ଭୁବନେଶ୍ୱର: ସୁରକ୍ଷିତ ଯାତାୟାତ ନିଶ୍ଚିତ କରିବା ଉଦ୍ଦେଶ୍ୟରେ କଟକ-ପୁରୀ ବାଇପାସ୍ ରାସ୍ତାକୁ ଆଲୋକୀକରଣ କରାଗଲା। ଦାମୀ ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ୍ ଲଗାଗଲା। ମାତ୍ର ୩ ବର୍ଷ ଭିତରେ ଏହି ଷ୍ଟ୍ରିଟ୍ଲାଇଟ୍ ଅଚଳ ହୋଇଗଲାଣି। ଅଳ୍ପ କିଛି ଷ୍ଟ୍ରିଟ୍ଲାଇଟ୍କୁ ଛାଡ଼ିଦେଲେ ପ୍ରାୟ ସମସ୍ତ ଲାଇଟ୍ ଖରାପ। ଫଳସ୍ବରୂପ ରାତିରେ ରାସ୍ତାସାରା ଅନ୍ଧାର ରାଜୁତି କରୁଛି। ପାଦେ ପାଦେ ଦୁର୍ଘଟଣା ଓ ଚୋରିର ଭୟ ଘାରୁଛି। ୬ ମାସ ହେଲାଣି ଏଭଳି ସ୍ଥିତି ଲାଗି ରହିଛି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୧ ଫେବ୍ରୁଆରି ୩ରେ କଟକ-ପୁରୀ ବାଇପାସ ରାସ୍ତା ଆଲୋକୀକରଣ ପ୍ରକଳ୍ପର ଲୋକାର୍ପଣ କରିଥିଲେ। ୩୮୭ଟି ପୋଲ୍ରେ ୭୭୪ଟି ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଲଗାଯାଇଥିଲା। ଲିଙ୍ଗିପୁର, କେଶୁରା ଓ ପାଣ୍ଡରାରେ ତିନୋଟି ଉଚ୍ଚ କ୍ଷମତାସଂପନ୍ନ ହାଇମାଷ୍ଟ ଲାଇଟ୍ ଲଗାଯାଇଥିଲା। ବିଏମ୍ସି ଏ ବାବଦରେ ୨.୮୫ କୋଟି ଟଙ୍କା ଖର୍ଚ୍ଚ କରିଥିଲା। ପର୍ଯ୍ୟଟନ ବିଭାଗ ପ୍ରକଳ୍ପ ଖର୍ଚ୍ଚ ବହନ କରିଥିଲା। ସେ ସମୟରେ ସରକାର ଡିଣ୍ଡିମ ପିଟିଥିଲେ ଯେ ଏହି ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବ। ସଡ଼କ ଦୁର୍ଘଟଣା ଓ ଅପରାଧକୁ ରୋକିବ।
୨.୮୫ କୋଟିର ଏଲ୍ଇଡି ଷ୍ଟ୍ରିଟ୍ଲାଇଟ୍ ଅଚଳ
୩ ହାଇମାଷ୍ଟ ସହ ୩୮୭ ପୋଲ୍ରେ ଲାଗିଥିଲା ୭୭୪ ଏଲ୍ଇଡି
ରାତିରେ ଦୁର୍ଘଟଣା ଓ ଚୋରି ଭୟ
ସ୍ଥାନୀୟ ଲୋକଙ୍କ କହିବା କଥା, ଆରମ୍ଭରୁ ସବୁକିଛି ଠିକ୍ ଥିଲା। କିନ୍ତୁ ଏବେ ଅଧିକାଂଶ ଲାଇଟ୍ ଅଚଳ ହୋଇଗଲାଣି। ମରାମତି କି ରକ୍ଷଣାବେକ୍ଷଣ କରାଯାଉନି। ପଳାଶୁଣୀ ଛକରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତା ସଂପୂର୍ଣ୍ଣ ଅନ୍ଧାରରେ। ଚଳିତ ବର୍ଷାରେ ରାତି ସମୟ ଅଧିକ ବିପଦପୂର୍ଣ୍ଣ ହୋଇପଡ଼ିଛି। ଦୁର୍ଘଟଣା ଓ ଚୋରି ଆଶଙ୍କା ବଢ଼ିଯାଇଛି। ରାତିରେ ବହୁ ସଂଖ୍ୟାରେ ବୁଲା ଷଣ୍ଢ ଓ ଗାଈ ରାସ୍ତାରେ ଶୋଉଛନ୍ତି। ଅନ୍ଧାରରେ ଏମାନଙ୍କ ଦେହରେ ପିଟି ହୋଇ ଉଭୟ ଚାଳକ ଓ ଗାଈଗୋରୁ ମୃତାହତ ହେଉଛନ୍ତି। ପାଣ୍ଡରା ଓ କେଶୁରା ଅଞ୍ଚଳର ଲୋକେ ଅଭିଯୋଗ କରିଛନ୍ତି ଯେ ଏ ସଂପର୍କରେ ସେମାନେ ବିଏମ୍ସି କର୍ତ୍ତୃପକ୍ଷଙ୍କ ନିକଟରେ ଅନେକଥର ଅଭିଯୋଗ କଲେଣି। କିନ୍ତୁ ଫଳ ଶୂନ୍। ତୁରନ୍ତ ଅଚଳ ଲାଇଟ୍ ମରାମତି ସହ ବୁଲା ଗୋରୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବିଏମ୍ସି କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ରାସ୍ତାର କିଛି ଅଂଶ ଜାତୀୟ ରାଜପଥ ବିଭାଗ ଅଧୀନରେ ଓ କିଛି ଅଂଶ ଭୁବନେଶ୍ବର ମହାନଗର ନିଗମ ଅଧୀନରେ ରହିଛି। ତଥାପି କେଉଁଠି ତ୍ରୁଟି ରହିଛି, ଅନୁଧ୍ୟାନ କରିବୁ। ଯଦି ଜାତୀୟ ରାଜପଥ ବିଭାଗ ଅଧୀନ ଲାଇଟ୍ ଖରାପ ହୋଇଥିବ, ବିଭାଗକୁ ଜଣାଇବୁ।