ଭୁବନେଶ୍ୱର : ଇଣ୍ଟରନେଟ୍ ଜରିଆରେ ବନ୍ଧୁକ କାରବାରକୁ ନେଇ ରାଜଧାନୀର ଜଣେ ଛାତ୍ରଙ୍କୁ ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଜେରା କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଯୁବକଜଣଙ୍କ କୌତୂହଳବଶତଃ ଡାର୍କୱେବ୍ ଜରିଆରେ ଏପରି କରିଥିବାରୁ ଏନ୍ଆଇଏ କେବଳ ତାଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଛି। ତେବେ ଯୁବକଜଣଙ୍କ ଏପରି ସାଇଟ୍ ବିଷୟରେ କେମିତି ଜାଣିବାକୁ ପାଇଲେ, ଏହି ଡାର୍କୱେବ୍ କ’ଣ, କେତେ ନିରାପଦ, କ’ଣ କ୍ଷତି କରିପାରିବ ତଥା ଯୁବପିଢ଼ିଙ୍କୁ କିପରି ଏଥିରୁ ଦୂରରେ ରଖାଯାଇପାରିବ, ସେ ନେଇ ଏକ ସ୍ବତନ୍ତ୍ର ରିପୋର୍ଟ।
ଡାର୍କୱେବ୍ କ’ଣ?
ଡାର୍କୱେବ୍ ହେଉଛି ଅନଲାଇନ୍ କଳା କାରବାରର ଏକ ସାଇଟ୍। ଏହି ସାଇଟ୍କୁ ଯିବାକୁ ହେଲେ ଏକ ସ୍ବତନ୍ତ୍ର ବ୍ରାଉଜର୍ ରହିଛି (ସୁରକ୍ଷା ଦୃଷ୍ଟିକୋଣରୁ ଆମେ ଏଠାରେ ବ୍ରାଉଜର୍ ଆଡ୍ରେସ୍ ଉଲ୍ଲେଖ କରୁ ନାହୁଁ)। ସେହି ବ୍ରାଉଜର୍କୁ ଇନଷ୍ଟଲ କରି ଡାର୍କୱେବ୍ ସାଇଟ୍ ଭିତରକୁ ପଶି ହେବ। ଦେହ ବ୍ୟବସାୟ, ଅଶ୍ଳୀଳ ଚଳଚ୍ଚିତ୍ର, କଣ୍ଟ୍ରାକ୍ଟ କିଲର, ବନ୍ଧୁକ କାରବାର, ଆତଙ୍କୀ କାର୍ଯ୍ୟକଳାପ, ହ୍ୟାକିଂ ଭଳି ଯାବତୀୟ ଅପରାଧ ଏହି ଡାର୍କୱେବ୍ ମାଧ୍ୟମରେ କରାଯାଉଛି। ଏଥିପାଇଁ ଏକାଧିକ ପାସୱାର୍ଡ ଉପଲବ୍ଧ ରହିଛି, ଯାହା ସାହାଯ୍ୟରେ କୌଣସି ଫିଲ୍ମକୁ ଇଣ୍ଟରନେଟ୍ ମାଧ୍ୟମରେ ବିନା କୌଣସି ଅର୍ଥରେ ଦେଖିହେବ। ଅନ୍ଲାଇନ୍ ଗେମ୍ରେ ଯେଉଁଠି ଅସ୍ତ୍ରଶସ୍ତ୍ର କିଣିବାକୁ ଟଙ୍କା ଦରକାର ହେବ, ସେଠାରେ ପାସ୍ୱାର୍ଡକୁ ବ୍ୟବହାର କରି ମାଗଣାରେ ଖେଳି ହେବ। ଏଥିଲାଗି କୌଣସି ପ୍ରତିବନ୍ଧକ ନାହିଁ। ବଡ଼ କଥା ହେଲା, ଏହି ସାଇଟ୍ରେ ହେଉଥିବା ବେଆଇନ କାରବାରକୁ ଟ୍ରାକ୍ କରିବା ପୁଲିସ୍ ପକ୍ଷେ କଷ୍ଟକର। କାରଣ ଏହାକୁ ସାଧାରଣତଃ ଆମେ ବ୍ୟବହାର କରୁଥିବା ଇଣ୍ଟରନେଟ୍ରେ ଟ୍ରାକିଂ କରାଯାଇ ପାରିବ ନାହିଁ। କିନ୍ତୁ କେତେକ ଗୁଇନ୍ଦା ସଂସ୍ଥା ଏହି ସାଇଟ୍ରେ ଥିବାରୁ ହାତଗଣତି କେତେକ ଘଟଣାରେ ଅପରାଧକୁ ରୋକାଯାଇ ପାରୁଛି କିମ୍ବା ଅପରାଧୀଙ୍କ ପାଖରେ ପୁଲିସ ପହଞ୍ଚି ପାରୁଛି।
କ’ଣ କ୍ଷତି କରିପାରିବ?
ଏହି ସାଇଟ୍ ଭିତରକୁ ପଶିଲେ ଜଣେ ଆପରାଧିକ କାର୍ଯ୍ୟକ​ଳାପରେ ଜଡ଼ିତ ରହିବା ସମ୍ଭାବନା ଅଧିକ। ଯେପରି ଛାତ୍ରଜଣଙ୍କ ଏହି ସାଇଟରେ ପଶି ଅତ୍ୟାଧୁନିକ ବନ୍ଧୁକ ସର୍ଚ୍ଚ କରିବା ସହ କୌତୂହଳବଶତଃ କିଣିବା ଲାଗି ବୁକିଂ କରିଥିଲେ। ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀ ଫିଲ୍ମ, ଖେଳ ଆଦି ଇଣ୍ଟରନେଟ୍ ଜରିଆରେ ମାଗଣା ଦେଖିବା ପାଇଁ ଏହାକୁ ବ୍ୟବହାର କରୁଛନ୍ତି। ସେଥିରେ ଏମିତି କିଛି ପାସଵାର୍ଡ ରହିଛି, ଯାହା ବ୍ୟବହାର କରି ମାଗଣାରେ ଇଣ୍ଟରନେଟ୍ ସୁବିଧା ପାଇ ହେବ। କିନ୍ତୁ ତାହା ବିପଦ ମଧ୍ୟ ଆଣିବାର ସମ୍ଭାବନା ରହିଛି। ଡାର୍କୱେବ୍ ସାଇଟ୍ରେ ପେସାଦାର ହ୍ୟାକର୍ ରହିଛନ୍ତି। ଏହି ସାଇଟ୍ ବ୍ୟବହାର ସମୟରେ ଏଭଳି ଏକ ଲିଙ୍କ୍ ପଠାଇବେ, ଯାହା ବ୍ୟବହାରକାରୀଙ୍କ କମ୍ପ୍ୟୁଟର୍କୁ ହ୍ୟାକ୍ କରି ସଂପୂର୍ଣ୍ଣ ତଥ୍ୟ ଚୋରି କରିନେଇପାରେ। ଏହାଦ୍ବାରା ଜଣେ ବ୍ୟକ୍ତିର ଆକାଉଣ୍ଟ କିମ୍ବା କ୍ରେଡିଟ୍ କାର୍ଡରୁ ସବୁ ଟଙ୍କା ଉଭାନ୍ ମଧ୍ୟ ହୋଇଯାଇ ପାରିବ। ସେହିପରି କମ୍ପ୍ୟୁଟର୍ ଖରାପ ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି କହିଛନ୍ତି ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ।
ବେଶି ଉତ୍ସାହିତ କରୁଛି ଅନ୍ଲାଇନ୍ ଗେମ୍
ଅନଲାଇନ୍ ଗେମ୍ ମାୟାରେ ପଡ଼ିଛନ୍ତି ଯୁବପିଢ଼ି, ଛାତ୍ରଛାତ୍ରୀ। ଏକାଧିକ ଖେଳାଳୀ ଏକାସାଙ୍ଗରେ ଖେଳୁ ଥିବାରୁ ସେମାନେ ଉତ୍ସାହିତ ହୋଇଯାଉଛନ୍ତି। ଜଣଙ୍କୁ ହରାଇବା ଲାଗି ମଝିରେ ମଝିରେ ଅସ୍ତ୍ରଶସ୍ତ୍ର କିଣିବାକୁ ପଡ଼େ। ଏଥିପାଇଁ ଅନଲାଇନ୍ରେ ଟଙ୍କା ମଧ୍ୟ ଦେବାକୁ ପଡ଼େ। ଅସ୍ତ୍ରଶସ୍ତ୍ର କିଣିବାକୁ କେମିତି କମ୍ ଟଙ୍କା ଖର୍ଚ୍ଚ କରି କିମ୍ବା ବିନା ମୂଲ୍ୟରେ କିଣିହେବ, ସେଥିପାଇଁ ଅନଲାଇନ୍ ସର୍ଚ୍ଚ କରନ୍ତି ସେମାନେ। ସର୍ଚ୍ଚ କରୁ କରୁ ଡାର୍କୱେବ ସାଇଟ୍ ସମ୍ପର୍କରେ ସୂଚନା ପାଆନ୍ତି। ତାହା ଭିତରକୁ ଯାଇ ପାସଵାର୍ଡ ଆଣି ଅସ୍ତ୍ରଶସ୍ତ୍ର କିଣନ୍ତି, ଯାହାକୁ କ୍ରାକ୍ ପାସଵାର୍ଡ କୁହାଯାଏ। ଆଉ ଗୋଟିଏ ଦିଗ ହେଉଛି, ଏହି ସାଇଟ୍ରେ ଥରେ ପଶିଲେ ଆପରାଧିକ ମାନସିକତା ଆସିଥାଏ ବୋଲି ଜଣେ ସାଇବର ବିଶେଷଜ୍ଞ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/cyber-aa.jpg)