ଭୁବନଶ୍ୱର: ଖରାଦିନେ ପାନୀୟଜଳର ଆବଶ୍ୟକତା ଥିବା ବେଳେ ଭୁବନେଶ୍ବରରେ ଅଭାବନୀୟ ସ୍ଥିତି ଦେଖାଯାଇଛି। ଘରକୁ ଯୋଗା ଯାଉଥିବା ପାଣି ପଙ୍କୁଆ ଲାଗୁଥିବା ବେଳେ ଦୁର୍ଗନ୍ଧରେ ଫାଟି ପଡ଼ୁଛି। ଏଣୁ ପ୍ରବଳ ଖରାରେ ଡହଳ ବିକଳ ହେଉଛନ୍ତି ଲୋକେ। ଏଭଳି ସମସ୍ୟା ମୁଣ୍ଡାସାହି ବସ୍ତି, ଭଗବତୀ ବସ୍ତି, ବାବା ଆଖଣ୍ଡଳମଣି ବସ୍ତି, ମଣିନାଗେଶ୍ୱରୀ ବସ୍ତି, ଶ୍ରୀରାମନଗର ବସ୍ତିରେ ଦେଖାଦେଇଛି। ଏଥିରେ ୨୫ ହଜାର ପରିବାର ପ୍ରଭାବିତ ହୋଇଛନ୍ତି। ଯାହାକୁ ନେଇ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଇଛି। ଦୁଇ ଦିନ ହେବ ଏହି ସବୁ ଅଞ୍ଚଳରେ ଏଭଳି ଉତ୍କଟ ସମସ୍ୟା ଦେଖାଦେଇଛି। ପିଇବା ପାଇଁ ତ ଏହା ବ୍ୟବହାର ହୋଇ ପାରୁ ନାହିଁ, ଅନ୍ୟାନ୍ୟ କାମ ପାଇଁ ମଧ୍ୟ ଏହା ବ୍ୟବହାରଯୋଗ୍ୟ ହେଉନାହିଁ। ଅଧିକାଂଶ ବାସିନ୍ଦା ବିକଳ୍ପ ନଥିବାରୁ ଏହି ପାଣିକୁ ବାଧ୍ୟହୋଇ ବ୍ୟବହାର କରୁଛନ୍ତି। ଯାହା ଫଳରେ ଆଗକୁ ଝାଡ଼ାବାନ୍ତି ବା ଜଣ୍ଡିସ୍‌ ଭଳି ରୋଗ ଆଶଙ୍କାରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।

Advertisment

ଏହି ସବୁ ଅଞ୍ଚଳ ପଳାସୁଣି ଜଳ ବିଶୋଧନାଗାର ଅଧhନରେ ରହିଛି। ୨-୩ ଦିନଧରି ଏହି ସମସ୍ୟା ଲାଗିରହିଥିଲେ ମଧ୍ୟ କୌଣସି ସମାଧାନ ବାହାରି ପାରିନାହିଁ। ଏଣୁ ଲୋକେ ହନ୍ତସନ୍ତ ହେଉଛନ୍ତି। କେତେକ ପାଣିକୁ ଫୁଟାଇ ବ୍ୟବହାର କରିବାକୁ ଚାହୁଥିଲେ ମଧ୍ୟ ତା’ପରେ ମଧ୍ୟ ଦୁର୍ଗନ୍ଧ ଯାଉନଥିବା ଅଭିଯୋଗ କରିଛନ୍ତି। ଭଲପାଣି ଆଣିବାକୁ ହେଲେ ୨ କିମି ଯିବାକୁ ହେଉଥିବା ମଧ୍ୟ କେତେକ ଅଭିଯୋଗ କରିଛନ୍ତି। ଏ ନେଇ ୱାଟ୍‌କୋର ଜଣେ ଅଧିକାରୀ କହିଛନ୍ତି, ‘‘ଏ ନେଇ ଅଭିଯୋଗ ଆସିଛି। ଆମେ ପାଣି ପରୀକ୍ଷା କରିଛୁ। ପଳାସୁଣି ଜଳ ବିଶୋଧନାଗାରରୁ ପ୍ରତିଦିନ ୮ ମିଲିଅନ ଲିଟର ଜଳ ସହରକୁ ଯୋଗାଇ ଦିଆଯାଉଛି। ଯେଉଁଠୁ ପାଣି ଉଠୁଛି, ସେଠାରେ ଉପରମୁଣ୍ଡରେ ପାଣି ଗୋଳିଆ ହୋଇଯାଇଛି। ଏହାକୁ ବିଶୋଧନ କରାଯାଉଛି। ଜଳ ଯୋଗାଣରେ କୌଣସି ବ୍ୟତିକ୍ରମ ଘଟିନାହିଁ। ଯୋଗାଇ ଦିଆଯାଉଥିବା ପାଣିକୁ ନିୟମିତ ଟେଷ୍ଟିଂ କରାଯାଉଥିବାରୁ କେହି ଆତଙ୍କିତ ହେବା ଉଚିତ ନୁହେଁ।’’