ଭୁବନେଶ୍ୱର: ବହୁଚର୍ଚ୍ଚିତ ଦାରୁଠେଙ୍ଗ ବାୟୋମାଇନିଂ ପ୍ରକଳ୍ପ ପାରିପାର୍ଶ୍ବିକ ଅଞ୍ଚଳର ବିକାଶ ହେବ। ଏଥିପାଇଁ ୨୯.୩୯ କୋଟି ଟଙ୍କାର ଡିପିଆର(ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ) ପ୍ରସ୍ତୁତ ହୋଇଛି। ଯେଉଁଥିରେ ସ୍ବାସ୍ଥ୍ୟକେନ୍ଦ୍ର, ଖେଳପଡ଼ିଆ, ବ୍ୟାୟାମ କେନ୍ଦ୍ର, ରାସ୍ତାଘାଟ, ସ୍ବେରେଜ୍ ଆଦିର ନିର୍ମାଣ ହେବ। ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ଏହି ଅନୁଦାନ ମଞ୍ଜୁର ପାଇଁ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖାଯାଇଛି। ଗତ କର୍ପୋରେସନ୍ ବୈଠକରେ ବି ଏ ଉପରେ ବିସ୍ତୃତ ଆଲୋଚନା ହୋଇଛି। ପୂର୍ବରୁ ପାରିପାର୍ଶ୍ବିକ ଉନ୍ନତି ପ୍ରକଳ୍ପ ଖର୍ଚ୍ଚ ତଥା ଡିପିଆର୍ ୫୯.୭୦ କୋଟି ଟଙ୍କା ଥିଲା। କିନ୍ତୁ ଏତେ ଖର୍ଚ୍ଚ ଭାରକୁ ନେଇ ଆପତ୍ତି ଓ ପିଏମ୍ୟୁ ସେଲ୍ ଦ୍ବାରା ସମୀକ୍ଷା ପରେ ଏହାକୁ ୪୪.୭୬ କୋଟି ଟଙ୍କାକୁ କମାଇ ଦିଆଯାଇଛି।
ଖୋର୍ଦ୍ଧା ଜିଲ୍ଲା ଦାରୁଠେଙ୍ଗ ପଞ୍ଚାୟତ ଭୁଆସୁଣି ଆବର୍ଜନା ସମସ୍ୟା ୨୦୨୦ ମସିହାରୁ ଆରମ୍ଭ ହେଲାଣି। ଭୁବନେଶ୍ବର ସହରର ସମସ୍ତ ଆବର୍ଜନା ଏହିଠାରେ ଗଦା ହେଉଥିଲା। ଫଳରେ ଆବର୍ଜନାର ପାହାଡ଼ ସୃଷ୍ଟି ହୋଇଥିଲା ଏବଂ ଆଖପାଖ ଅଞ୍ଚଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା। ଏହାକୁ ନେଇ ଦାରୁଠେଙ୍ଗ ପଞ୍ଚାୟତବାସୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଆବର୍ଜନା ଫଳରେ ଆଖପାଖ ଅଞ୍ଚଳରେ ନାନାଦି ଦୁଃସାଧ୍ୟ ରୋଗ ବ୍ୟାପୁଥିବା ଏବଂ ଜୀବନହାନି ଘଟୁଥିବା ଅଭିଯୋଗ କରିଥିଲେ। ଏଥିପାଇଁ ଗ୍ରାମବାସୀ ଜେଲ୍ ଯାଇଥିଲେ। କଥା କୋର୍ଟକୁ ଯାଇଥିଲା। ଶେଷରେ ବିଏମ୍ସି ଆବର୍ଜନା ପକାଇବା ବନ୍ଦ କରିବା ନେଇ ସହମତି ଜଣାଇଥିଲା ଏବଂ ପଡ଼ିଥିବା ଆବର୍ଜନାର ପ୍ରକ୍ରିୟାକରଣର ପ୍ରତିଶ୍ରୁତି ଦେଇଥିଲା। ୨୦୨୩ ମେ ୧୮ରେ ଏଠାରେ ବାୟୋମାଇନିଂ ପ୍ରକଳ୍ପ ଆରମ୍ଭ ହୋଇଥିଲା। ସେ ସମୟରେ ପ୍ରାଥମିକ ଆକଳନରୁ ପ୍ରାୟ ୧୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ପଡ଼ିଥିବା ଜଣାପଡ଼ିଥିଲା। ଓର୍ସାକ୍ ଜରିଆରେ ପୁନଃଆକଳନ ପରେ ପ୍ରାୟ ୨୫ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନା ପଡ଼ିଥିବା ଜଣାପଡ଼ିଥିଲା। ସେଠାରେ ପ୍ରତିଦିନ ୬୦୦ରୁ ୭୦୦ ଟନ୍ ଆବର୍ଜନା ପ୍ରକ୍ରିୟାକରଣ ଚାଲିଥିବା ବେଳେ ପ୍ରାୟ ୬ଲକ୍ଷ ମେଟ୍ରିକ୍ ଟନ୍ ଆବର୍ଜନାର ପ୍ରକ୍ରିୟାକରଣ ସରିଲାଣି। ୨୦୨୬ ସୁଦ୍ଧା ସବୁ ଆବର୍ଜନାର ପ୍ରକ୍ରିୟାକରଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି।
ଅପରପକ୍ଷେ ଆବର୍ଜନା ପକାଇବାର କ୍ଷତି ଭରଣା ପାଇଁ ଦାରୁଠେଙ୍ଗ ପଞ୍ଚାୟତବାସୀ ପାରିପାର୍ଶ୍ବିକ ବିକାଶର ସର୍ତ୍ତ ରଖିଥିଲେ। ଦାରୁଠେଙ୍ଗ ସରପଞ୍ଚ ୨୦୨୨ ଡିସେମ୍ବର ୨୧ରେ ଚିଠି ସଂଖ୍ୟା-୨୩୦/୨୦୨୨ରେ ପାରିପାର୍ଶ୍ବିକ ବିକାଶର ଏକ ତାଲିକା ଦେଇଥିଲେ। ପରେ ୨୦୨୩ ଜାନୁଆରି ୬ରେ ସଂପୃକ୍ତ ହିତାଧିକାରୀଙ୍କୁ ନେଇ ଏ ଉପରେ ତତ୍କାଳୀନ କମସିନର୍ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ବୈଠକରେ ପଞ୍ଚାୟତବାସୀ ରାସ୍ତା, ପାର୍କ, ସ୍ବେରେଜ୍ ସହ ଅନ୍ୟାନ୍ୟ ବିକାଶ ଦାବି କରିଥିଲେ। ଏହି ଆଧାରରେ ଚଳିତବର୍ଷ ମାର୍ଚ୍ଚ ୨୪ରେ ଚିଠି ସଂଖ୍ୟା-୧୨୮୮ରେ ଭୁବନେଶ୍ବର ବିଡିଓ ୫୯.୭୦ କୋଟି ଟଙ୍କାର ଏକ ଡିପିଆର୍ ଦେଇଥିଲେ। ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ପାଇଁ ୬୫.୭୬ ଲକ୍ଷ ଟଙ୍କା, ରାସ୍ତା ସହ ସ୍ବେରେଜ, ଡ୍ରେନେଜ୍, ଷ୍ଟ୍ରିଟ୍ଲାଇଟ୍ ବ୍ୟବସ୍ଥା ପାଇଁ ୩୮.୦୧ କୋଟି ଟଙ୍କା, ବାଲୁଙ୍କେଶ୍ବର ମନ୍ଦିର, ପୋଖରୀ ବିକାଶ ଓ ଆଲୋକୀକରଣ ପାଇଁ ୩.୭୬ କୋଟି ଟଙ୍କା, କଲ୍ୟାଣମଣ୍ଡପ ପାଇଁ ୪ କୋଟି ଟଙ୍କା, ପାର୍କ ଓ ଓପନ୍ ଏୟାର ଜିମ୍ ପାଇଁ ୩ କୋଟି ଟଙ୍କା, ଷ୍ଟାଡିୟମ ନିର୍ମାଣ ପାଇଁ ୧୦.୨୭ କୋଟି ଟଙ୍କାର ଡିପିଆର ଦେଇଥିଲେ। ବିଏମ୍ସି ପିଏମ୍ୟୁ ସେଲ୍ ସମୀକ୍ଷା ପରେ ଭୁବନେଶ୍ବର ବିଡିଓଙ୍କ ଦ୍ବାରା ନିଯୁକ୍ତ ପରାମର୍ଶଦାତା ସଂସ୍ଥାକୁ ବ୍ୟୟ ଅଟକଳ କମାଇବା ସହ ଆବଶ୍ୟକ ସଂଶୋଧନ କରି ଦେବାକୁ କୁହାଯାଇଥିଲା। ସେହି ଅନୁସାରେ ପରାମର୍ଶଦାତା ସଂସ୍ଥା ୨୯କୋଟି ୩୯ଲକ୍ଷ ୨ହଜାର ଟଙ୍କାର ନୂଆ ଡିପିଆର୍ ଦେଇଛି। ଯେଉଁଥିରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣରେ ୩କୋଟି ୪୫ଲକ୍ଷ ୧୨ହଜାର ଟଙ୍କା, ରାସ୍ତା, ଡ୍ରେନେଜ ସହ ସୌରଶକ୍ତି ଷ୍ଟ୍ରିଟ୍ଲାଇଟ୍ ବାବଦରେ ୧୨କୋଟି ୬୦ଲକ୍ଷ ଟଙ୍କା; ବାଲୁଙ୍କେଶ୍ବର ମନ୍ଦିର, ପୋଖରୀ ଓ ଅନ୍ୟାନ୍ୟ ପାରିପାର୍ଶ୍ବିକ ବିକାଶ ପାଇଁ ୪.୨୪ କୋଟି ଟଙ୍କା; କଲ୍ୟାଣମଣ୍ଡପ ପାଇଁ ୬.୦୯ କୋଟି ଟଙ୍କା, ପାର୍କ ଓ ମୁକ୍ତାକାଶ ଜିମ୍ ପାଇଁ ୩ କୋଟି ଟଙ୍କାର ଡିପିଆର କରାଯାଇଛି।
ଯେହେତୁ ବିଡିଓ ଦେଇଥିବା ରିପୋର୍ଟରେ ସ୍ବେରେଜ୍ ବ୍ୟବସ୍ଥାକୁ ସାମିଲ୍ କରାଯାଇ ନ ଥିଲା, ତେଣୁ ପୁଣିଥରେ ସର୍ଭେ କରାଯାଇ ୧୫.୩୭ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ଆକଳନ କରାଯାଇଛି। ଯେଉଁଥିରେ ସ୍ବେରେଜ୍ ବ୍ୟବସ୍ଥାର ୧୦ ବର୍ଷର ପରିଚାଳନା ଓ ମରାମତି ଅନ୍ତର୍ଭୁକ୍ତ ରହିଛି। ଏହି ଅତିରିକ୍ତ ବ୍ୟୟ ଅନୁମୋଦନ ପାଇଁ ଗତ ଜୁଲାଇ ୧ ତାରିଖରେ ବିଏମ୍ସି ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଛି।