ପୁଣି ‌ତେଜିଲା ଡମ୍ପିଂୟାର୍ଡ ତାତି: ବାୟୋମାଇନିଂ ମେସିନ୍‌କୁ ପୂରାଇଦେଲେନି

ବିଏମ୍‌ସିର ପ୍ରତିଶ୍ରୁତି ଖିଲାପ ଅଭିଯୋଗରେ ଦାରୁଠେଙ୍ଗବାସୀଙ୍କ ରାସ୍ତାରୋକ୍‌

ବାରଙ୍ଗ : ବାୟୋମାଇନିଂ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ବିଏମ୍‌ସି ଦେଇଥିବା ପ୍ରତିଶ୍ରୁତି ଖିଲାପ କରୁଥିବା ଅଭିଯୋଗରେ ପୁଣି ଦାରୁଠେଙ୍ଗରେ ଡମ୍ପିୟାର୍ଡ ତାତି ଦେଖିବାକୁ ମିଳିଛି। ଆବର୍ଜନା ପକାଇବା ବନ୍ଦ ନକରି ବାୟୋମାଇନିଂ ପ୍ଲାଣ୍ଟ କରିବାକୁ ବିଏମ୍‌ସି ଗଳାବାଟରେ ଯୋଜନା କରୁଥିବା ଜଣାପଡ଼ିବା ପରେ ଦାରୁଠେଙ୍ଗରେ ପୁଣି ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଗ୍ରାମବାସୀମାନେ ବାୟୋମାଇନିଂ ମେସିନ୍‌ ଧରି ଆସିଥିବା ଟ୍ରକ୍‌, ଟ୍ରଲରଗୁଡ଼ିକୁ ଅଟକ ରଖିବା ସହ ଆଜି ଦିନ ତମାମ୍‌ ବାରଙ୍ଗ-ପିତାପଲ୍ଲୀ ରାସ୍ତାକୁ ଅବରୋଧ କରିଥିଲେ। ତେବେ ସନ୍ଧ୍ୟାରେ ବିଏମ୍‌ସି କର୍ତ୍ତୃପକ୍ଷ ଉକ୍ତ ମେସିନ୍‌ଗୁଡ଼ିକ ହଟାଇ ନେବାକୁ ଗ୍ରାମବାସୀଙ୍କୁ ପୁଣି ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀମାନେ ଧାରଣାରୁ ହଟିଛନ୍ତି। ଶନିବାର ସକାଳୁ ସକାଳୁ ଡମ୍ପିୟାର୍ଡ ଭିତରେ ଫସି ରହିଥିବା ଟ୍ରଲରଗୁଡ଼ିକ ସହ ସେଥିରେ ବୋଝେଇ ହୋଇ ରହିଥିବା ବାୟୋମାଇନିଂ ମେସିନ୍‌ଗୁଡ଼ିକୁ ଅନ୍ୟତ୍ର ହଟାଇ ନିଆଯିବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଗୁରୁବାର ସକାଳୁ ସକାଳୁ ବାରଙ୍ଗ-ପିତାପଲ୍ଲୀ ରାସ୍ତାରେ ଡମ୍ପିଂୟାର୍ଡ ଛକରେ ଦାରୁଠେଙ୍ଗ ଗ୍ରାମବାସୀମାନେ ରାସ୍ତା‌ରୋକ୍‌ କରିଥିଲେ। ସରପଞ୍ଚ ତପନ ଚକ୍ରବର୍ତ୍ତୀଙ୍କ ନେତୃତ୍ବରେ ଶତାଧିକ ଗ୍ରାମବାସୀ ରାସ୍ତା ଉପରେ ବସି ବିଏମ୍‌ସି ବିରୋଧରେ ନାରାବାଜି କରିଥିଲେ। ଫଳରେ ଉଭୟ ବାରଙ୍ଗ ଓ ଚନ୍ଦକା ଦିଗରୁ ଆସୁଥିବା ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଥିଲା। ତେବେ ବିକ୍ଷୋଭକାରୀମାନେ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ି ଦେଉଥିଲେ। ଅପରାହ୍ନରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ସେଠାରେ ପହଞ୍ଚି ଆନ୍ଦୋଳନରେ ସାମିଲ ହୋଇଥିଲେ। ଗଣ୍ଡଗୋଳ ଆଶଙ୍କାରେ ଚନ୍ଦକା ଥାନା ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ମାତ୍ର ଧାରଣାରତ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଭାବେ ରାସ୍ତା ଅବରୋଧ କରିବସିଥିଲେ।

ଗ୍ରାମବାସୀମାନଙ୍କ ଅଭିଯୋଗ ଅନୁସାରେ ଗତ ବର୍ଷ ଅଗଷ୍ଟ ମାସରେ ବିଏମ୍‌ସି କାର୍ଯ୍ୟାଳୟରେ ବିଭାଗୀୟ ମନ୍ତ୍ରୀ, ମେୟର, କମିସନର, ଜଟଣୀ ବିଧାୟକ ଓ ଦାରୁଠେଙ୍ଗବାସୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା। ତଦନୁଯାୟୀ ଆଗ ଡମ୍ପିଂୟାର୍ଡରେ ବର୍ଜ୍ୟବସ୍ତୁ ପଡ଼ିବା ବନ୍ଦ କରାଯିବ ଓ ପରେ ବାୟୋମାଇନିଂ ପ୍ରକଳ୍ପ କରାଯିବ ବୋଲି ସ୍ଥିର କରାଯାଇଥିଲା। ବିଏମ୍‌ସି ଏପ୍ରିଲ୍‌ ମାସ ଯାଏ ସମୟ ନେଇଥିଲା। ମାତ୍ର ବୁଧବାର ରାତିରେ ବିଏମ୍‌ସି କର୍ତ୍ତୃପକ୍ଷ ଏହି ଉଚ୍ଚସ୍ତରୀୟ ବୈଠକର ନିଷ୍ପତ୍ତିକୁ ନିଜଆଡ଼ୁ ଅମାନ୍ୟ କରିଥିଲେ। ବିଶାଖାପାଟଣାରୁ ୫ଟି ଟ୍ରଲରରେ ବାୟୋମାଇନିଂ ମେସିନ୍‌ ଆଣି ରାତି ଅଧିଆ ଲୁଚାଚୋରାରେ ଡମ୍ପିଂୟାର୍ଡ ଭିତରକୁ ପୂରାଇ ଦେଇଥିଲେ। ୩ଟି ଗାଡ଼ି ଡମ୍ପିୟାର୍ଡ ଭିତରକୁ ଚାଲିଯାଇଥିବା ବେଳେ ଦୁଇଟି ଗାଡ଼ିକୁ ଲୋକେ ବାହାରେ ଅଟକାଇଥିଲେ। ସରପଞ୍ଚ ଶ୍ରୀ ଚକ୍ରବର୍ତ୍ତୀଙ୍କ କହିବା କଥା ବିଏମ୍‌ସି ହିଁ ଏଭଳି ଜନଆନ୍ଦୋଳନକୁ ଉସୁକାଉଛି। ନିଜ ପ୍ରତିଶ୍ରୁତି ଅନୁସାରେ କାମ ନକରି ଲୋକଙ୍କୁ ରାସ୍ତାକୁ ଆସିବାକୁ ବାଧ୍ୟ କରୁଛି। ରାତିଅଧିଆ ବାୟୋମାଇନିଂ ମେସିନ୍‌ ଆଣି ଡମ୍ପିୟାର୍ଡ ଭିତରକୁ ଲୁଚାଚୋରାରେ ନେବା ଅର୍ଥ ବିଏମ୍‌ସି ଗୋଟିଏ କଥା କହି ଭିତରେ ଭିନ୍ନ ଯୋଜନା କରୁଛି। ଏହା ଦାରୁଠେଙ୍ଗବାସୀଙ୍କ ପ୍ରତି ପ୍ରତାରଣା ଓ ଲୋକେ ଏହାର ଦୃଢ଼ ଜବାବ ଦେବେ।

ତେବେ ଆଜି ସନ୍ଧ୍ୟାରେ ମେୟର ସୁଲୋଚନା ଦାସ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଆନ୍ଦୋଳନରତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଡମ୍ପିଂୟାର୍ଡ ଭିତରେ ରଖାଯାଇଥିବା ଯନ୍ତ୍ରାଂଶ ସବୁକୁ ସକାଳେ ବାହାର କରିନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର