ବିସ୍ଫୋରକ ସ୍ଥିତିରେ ଅଳିଆ ବିବାଦ : ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ୪ ଦିନ ହେଲା ଭୁଆସୁଣିରେ ଅଳିଆ ପଡ଼ୁନି

୬ରେ ବିଏମ୍‌ସିର ସମନ୍ୱୟ ‌ବୈଠକ, ଆମକୁ କେହି ଡାକିନାହାନ୍ତି: ଦାରୁଠେଙ୍ଗ ଗ୍ରାମବାସୀ

ଭୁବନେଶ୍ବର : ରାଜଧାନୀରେ ପୁଣି ଅଳିଆକୁ ନେଇ ବିବାଦ ଚରମ ସୀମାରେ ପହଞ୍ଚିଛି। ଭୁବନେଶ୍ବର ଅଳିଆ ଭୁଆସୁଣିରେ ପଡ଼ିବନି ବୋଲି ପୁଣି ଦାରୁଠେଙ୍ଗ ଗ୍ରାମବାସୀ ଜିଦ୍‌ ଧରିଛନ୍ତି। ଏଥିପାଇଁ ନୂଆବର୍ଷର ପ୍ରଥମ ଦିନରୁ ଭୁଆସୁଣିରେ ଅଳିଆ ପକାଇ ଦେଉ ନାହାନ୍ତି। ଚାରିଦିନ ହେଲା ଭୁଆସୁଣିସ୍ଥିତ ଡମ୍ପିଂୟାର୍ଡରେ ଅଳିଆ ପଡ଼ୁ ନାହିଁ। ଆଉ ତିନି ଚାରି ଦିନ ଏପରି ଜାରି ରହିଲେ ସ୍ଥିତି ଅଣାୟତ୍ତ ହୋଇଯିବ।

ଭୁଆସୁଣିରେ ଅଳିଆ ପକାଇବାକୁ ବିରୋଧ କରି ଦାରୁଠେଙ୍ଗ ଗ୍ରାମବାସୀ ନାସନାଲ୍ ଗ୍ରିନ୍ ଟ୍ରିବ୍ୟୁନାଲ (ଏନ୍‌ଜିଟି)ର ଦ୍ବାରସ୍ଥ ହୋଇଛନ୍ତି। ମାମଲାର ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଶୁଣାଣି ହୋଇନି। ବିଏମ୍‌ସି କର୍ତ୍ତୃପକ୍ଷ ବି ଏନ୍‌ଜିଟିରେ ସତ୍ୟପାଠ ଦାଖଲ କରିଥିଲେ ଯେ, ଜାନୁଆରି, ୨୦୨୦ରୁ ଆଉ ଭୁଆସୁଣିରେ ଅଳିଆ ପକାଇବେନି। ଫଳରେ ଦାରୁଠେଙ୍ଗବାନସୀଙ୍କ ଦୁଃଖ ଦୂର ହେଲା ଏବଂ ଆଉ ଅଳିଆ ପଡ଼ିବନି ବୋଲି ଧରି ନେଇଥିଲେ। ହେଲେ ଜାନୁଆରି ୧ରେ ପୁଣି ଅଳିଆ ଗାଡ଼ି ଭୁଆସୁଣି ଯିବାରୁ ଗ୍ରାମବାସୀ ତାର ବିରୋଧ କରିଥିଲେ। ତିନି ଦିନ ଗ୍ରାମବାସୀ ଅଳିଆ ଗାଡ଼ି ଫେରାଇବା ପରେ ଆଜି ବିଏମ୍‌ସିର ଅଳିଆ ଗାଡ଼ି ଭୁଆସୁଣିକୁ ଯାଇନି। ଏପଟେ ‌ସୈନିକ ସ୍କୁଲ ନିକଟସ୍ଥ ଅସ୍ଥାୟୀ ଡମ୍ପିଂୟାର୍ଡରେ ଅଳିଆ ଗଦା ହୋଇ ଚାଲି ଥିବାରୁ ବିବାଦର ସ୍ଥାୟୀ ସମାଧାନ ନ ହେଲେ ଉତ୍କଟ ପରିସ୍ଥିତି ବି ସୃଷ୍ଟି ହୋଇପାରେ।

ଏନେଇ ବିଏମ୍‌ସିର ପରିମଳ ଦାୟିତ୍ବରେ ଥିବା ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ଯେ ୬ତାରିଖ ଦିନ ଭୁଆସୁଣିରେ ଅଳିଆ ପକାଇବା ନେଇ ଆଲୋଚନା ହେବ। ବିଏମ୍‌ସି କାର୍ଯ୍ୟାଳୟରେ ବସିବାକୁ ଥିବା‌ ବୈଠକକୁ ଦାରୁଠେଙ୍ଗ ଗ୍ରାମବାସୀ, କମିସନରେଟ୍ ପୁଲିସ ଏବଂ ସ୍ଥାନୀୟ ବିଧାୟକ ଭାବେ ଜଟଣୀ ବିଧାୟକଙ୍କୁ ଡକାଯାଇଛି। ଏହି ‌ବୈଠକରେ ସମସ୍ତଙ୍କ ସହ ଆଲୋଚନା କରି ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯିବ।

ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି ଯେ, ରାଜଧାନୀ ଭିତରେ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରି ଆବର୍ଜନାରୁ ଖତ ବାହାର କରିବାକୁ କାମ ଚାଲିଛି। ଏବେ ୨୨ଟି ଜାଗାରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ପ୍ଲାଣ୍ଟ ଆସନ୍ତା ମାସେ ଦୁଇ ମାସ ମଧ୍ୟରେ ଶେଷ ହେବ। ଏହାପରେ ଭୁଆସୁଣିରେ ଆଉ ଆବର୍ଜନା ପଡ଼ିବନି। ଏନେଇ ଗ୍ରାମବାସୀଙ୍କ ସହ ଆଲୋଚନା ହେବ।

ବିଏମ୍‌ସି କର୍ତ୍ତୃପକ୍ଷ ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ୬ତାରିଖରେ ହେବାକୁ ଥିବା ବୈଠକକୁ ଡାକିଥିବା କହୁଥିଲେ ହେଁ ଗ୍ରାମବାସୀ କହିଛନ୍ତି ଯେ, ଆମକୁ କେହି କୌଣସି ବୈଠକକୁ ଡାକିନାହାନ୍ତି। ତେଣୁ କିଏ କାହା ସହ ଆଲୋଚନା କରିବ ଜାଣିନୁ। ଆମେ କିନ୍ତୁ ଆଉ ଭୁଆସୁଣିରେ ଅଳିଆ ପକାଇ ଦେବୁନି।

ଏବେ ସ୍ବଚ୍ଛ ସର୍ବେକ୍ଷଣ ଆରମ୍ଭ ହୋଇ ଯାଇଥିବା ବେଳେ ଦାରୁଠେଙ୍ଗରେ ଅଳିଆ ନ ପଡ଼ିବା ସ୍ଥିତି ବିଏମ୍‌ସିକୁ ହରଡ଼ଘଣାରେ ପକାଇ ଦେଇଛି। ଯଦି ଦୁଇ ତିନି ଦିନରେ ବିବାଦ ସମାଧାନ ନ ହୁଏ ତେବେ ରାଜଧାନୀରୁ ଆଉ ଅଳିଆ ଉଠି ପାରିବନି। ଏପଟେ କୌଣସି ମୁହୂର୍ତ୍ତରେ କେନ୍ଦ୍ରୀୟ ଟିମ୍‌ ସର୍ଭେ ପାଇଁ ଭୁବନେଶ୍ବର ଆସି ଯାଇ ପାରନ୍ତି। ଏଭଳି ସ୍ଥିତି ହେଲେ ଭୁବନେଶ୍ବରକୁ କମ୍‌ ମାର୍କ ମିଳିବାର ପ୍ରମୁଖ କାରଣ ପାଲଟିଯିବ।

ସମ୍ବନ୍ଧିତ ଖବର