ଭୁବନେଶ୍ବର : ୨୪ ଘଣ୍ଟା ବିତିଲାଣି। ତଥାପି ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଲାଗିଥିବା ନିଆଁ ଥମିବାର ନା ଗନ୍ଧ ଧରୁନି। ଏବେ ବି କୁହୁଳି କୁହୁଳି ଜଳୁଛି। ଆଉ ସେଥିରୁ ବାହାରୁଥିବା ବିଷାକ୍ତ ଧୂଆଁ ଏବେ ସମଗ୍ର ଅଞ୍ଚଳକୁ ଗ୍ରସ କରିଗଲାଣି। କେବେ ଜୀବନ ନେବ ତାହା ବି କହିବା ମୁସ୍କିଲ।
ଦାରୁଠେଙ୍ଗରେ ନିଆଁ ଲାଗିବା ପ୍ରଥମ କି ଦ୍ବିତୀୟ ଘଟଣା ନୁହେଁ। ଚଳିତବର୍ଷ ୮ରୁ ଅଧିକ ଥର ଡମ୍ପିଂୟାର୍ଡରେ ନିଆଁ ଲାଗିଲାଣି। ତଥାପି କାହାର ବି ଚେତା ପଶୁନି। ଗତକାଲି ଲାଗିଥିବା ନିଆଁକୁ ସଂପୂର୍ଣ୍ଣ ଭାବେ ଲିଭାଇବା ପାଇଁ ଆଜି ମଧ୍ୟ ଅଗ୍ନିଶମ ବିଭାଗର ୧୦ଟି ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଦିନରାତି ଅକ୍ଳାନ୍ତ ପରିଶ୍ରମ କରି ନିଆଁ ଲିଭାଇବାକୁ ଉଦ୍ୟମ କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରୁନି। ଏହି ବିଷାକ୍ତ ଧୂଆଁର ପ୍ରଭାବ ସିଧା ସଳଖ ଏବେ ଡମପଡ଼ା ଅଭୟାରଣ୍ୟ, ନନ୍ଦନକାନନ ସମେତ ୭ ଗ୍ରାମବାସୀଙ୍କ ଉପରେ ପଡ଼ୁଛି। ଆଜି ନ ହେଲେ ମଧ୍ୟ ଭବିଷ୍ୟତରେ ଏହି ବିଷାକ୍ତ ଧୂଆଁର ପ୍ରଭାବ ସ୍ଥାନୀୟ ଅଞ୍ଚଳରେ ପଡ଼ିବାର ଆଶଙ୍କା ରହିଛି। ସ୍ଥାନୀୟ ଲୋକ ଏହା ଜାଣି ମଧ୍ୟ ପୁଲିସ ଓ ପ୍ରଶାସନର ନାଲି ଆଖିକୁ ଡରି ଯାଇଛନ୍ତି। ମନ ଭିତରେ ଥିବା ଅସନ୍ତୋଷକୁ ସିଧାସଳଖ ପ୍ରକଟ କରି ପାରୁ ନ ଥିଲେ ମଧ୍ୟ ତାହା ଉଗ୍ର ରୂପ ଧାରଣ କଲାଣି। କେଉଁ ମୁହୂର୍ତରେ ତାହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି ନ କରିବ ତାର ଗ୍ୟାରେଣ୍ଟି ମଧ୍ୟ କହି ହେବ ନାହିଁ। ଏପରିକି ବିଏମ୍ସି ନିଜେ ଏହି ଡମ୍ପିଂୟାର୍ଡରେ ନିଆଁ ଲଗାଉଥିବା ଅଭିଯୋଗ ହୋଇଛି। ଡମ୍ପିଂୟାର୍ଡରେ ବାରମ୍ବାର ନିଆଁ ଲାଗିବା ଓ ପ୍ରଶାସନର ଉଦାସୀନତା ସମ୍ପର୍କରେ ଏକ ରିପୋର୍ଟ...
ଆଜି ମଧ୍ୟ ବିଏମ୍ସି ଅଳିଆ ଗଦଉଛି
ଗତକାଲି ଦିନରୁ ଡମ୍ପିଂୟାର୍ଡରେ ନିଆଁ ଲାଗିଥିଲା। ଯାହା ଆଜି ବି ଲିଭି ନାହିଁ। କିନ୍ତୁ ବିଏମ୍ସି ପକ୍ଷରୁ ଆଜି ମଧ୍ୟ ଡମ୍ପିଂୟାର୍ଡରେ ଅଳିଆ ଗଦା କରାଯାଉଛି। ଶହ ଶହ ସଂଖ୍ୟାରେ ବିଏମ୍ସି ଗାଡ଼ି ଡମ୍ପିଂୟାର୍ଡକୁ ଯାଉଛି। ମନ ଇଚ୍ଛା ଅଳିଆ ଆବର୍ଜନା ଗଦା କରାଯାଉଛି। ଯାହାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ରହିଛି।
ବିଏମ୍ସି ଲଗାଉଛି ନିଆଁ!
ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ପ୍ରତ୍ୟେକ ମାସରେ ନିଆଁ ଲାଗୁଛି। ଖବର ମିଳିବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ସପ୍ତାହକ ପର୍ଯ୍ୟନ୍ତ ସେଠାରେ ପଡ଼ି ରହି ନିଆଁ ଲିଭାଉଛନ୍ତି। ତେବେ ଏଭଳି ପ୍ରତ୍ୟେକ ମାସରେ ନିଆଁ ଲାଗିବା ପଛର କାରଣ ସମ୍ପର୍କରେ ପ୍ରକୃତ ଗୁମର ଖୋଲିଛନ୍ତି ଲୋକେ। ଲୋକଙ୍କ ଅଭିଯୋଗ ଯେ ବିଏମ୍ସି ପ୍ରତ୍ୟେକ ମାସ ଠିକ ୨୦ ତାରିଖ ବେଳକୁ ଅଳିଆ ଗଦାରେ ନିଆଁ ଲଗାଇ ଦେଉଛି। ନିଆଁ ଲିଭି ଯିବା ପରେ ତାକୁ ସମତୁଲ କରି ପୁଣି ଥରେ ଅଳିଆ ଗଦାଉଛି।
ବିପଦରେ ଅଭୟାରଣ୍ୟ
ବାରମ୍ବାର ଡମ୍ପିଂୟାର୍ଡରେ ଲାଗୁଥିବା ନିଆଁ ଓ ଧୂଆଁର ପ୍ରଭାବ ଏବେ ସିଧାସଳଖ ଚନ୍ଦକା ଅଭୟାରଣ୍ୟ, ନନ୍ଦନକାନନ ଓ ସ୍ଥାନୀୟ ଅଞ୍ଚଳରେ ଥିବା ଆମ୍ବ ପଡ଼ିଆ, କୃଷ୍ଣନଗର, ଭାଲୁଙ୍କା, ତୁଳସୀଦେଇପୁର, ବେଣ୍ଟୁଆ, ଦାରୁଠେଙ୍ଗ, ଜୁଝଗଡ଼ ଉପରେ ପଡ଼ିବାର ଆଶଙ୍କା ରହିଛି। ଲୋକେ ନିଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଅନେକ ମାରାତ୍ମକ ରୋଗ ବ୍ୟାପିବାର ଆଶଙ୍କା ସୃଷ୍ଟି ହୋଇଛି।
ସୁପ୍ରିମକୋର୍ଟରେ ମାମଲା
ଦାରୁଠେଙ୍ଗରୁ ଅଳିଆ ଗଦା ଉଠାଇବା ନେଇ ଗ୍ରାମବାସୀମାନେ ସ୍ଥାନୀୟ କୋର୍ଟଠାରୁ ଆରମ୍ଭ କରି ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ। କିନ୍ତୁ ସବୁଠାରୁ ନିରାଶ ହେବା ପରେ ଏବେ ଗ୍ରାମବାସୀ ସୁପ୍ରିମକୋର୍ଟ ଯାଇଛନ୍ତି। ଖୁବ ଶୀଘ୍ର ସୁପ୍ରିମକୋର୍ଟ ଏ ସମ୍ପର୍କରେ ରାୟ ପ୍ରଦାନ କରିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।