ମା’ ଆସୁଛନ୍ତି, ଚାନ୍ଦି ମେଢ଼ରେ ଝଲସିବେ ହର ପାର୍ବତୀ

ବଡ଼ଗଡ଼ରେ ଆୟୋଜିତ ହର ପାର୍ବତୀ ପୂଜା ଚଳିତ ବର୍ଷ ୪୨ବର୍ଷରେ ପଦାର୍ପଣ କରିଛି। ନେତାଜୀ ଯୁବକ ସଂଘ ସୁବର୍ଣ୍ଣ ଜୟନ୍ତୀ ପାଳିବାକୁ ଯାଉଥିବା ବେଳେ ଚଳିତ ବର୍ଷ ପୂଜାରେ କିଛି ନିଆରା ଭେଟି ଦେବାକୁ ଅଣ୍ଟା ଭିଡ଼ିଛି ସଂଘ। ଏଥର ୬୦ ଫୁଟ ଉଚ୍ଚ ଏବଂ ୫୦ ଫୁଟ ଓସାର ବିଶିଷ୍ଟ କାଳ୍ପନିକ ତୋରଣ ଦେଖିବାକୁ ମିଳିବ। ବିଶେଷତଃ କାଉଁରିଆ କାଠିର ସୂକ୍ଷ୍ମ କାରିଗରୀ ତୋରଣରେ ଚମକ ଭରିବ। ଏଥିପାଇଁ କୋଲକାତାର ଚବିଶ ପ୍ରଗଣାରୁ ୨୫ଜଣ କାରିଗର ନି‌େୟାଜିତ ହୋଇଛନ୍ତି। ଏଥିସହ ୫ଟି ବଡ଼ ଆଲୋକ ତୋରଣ ଏବଂ ୬୦ଟି ଆଲୋକ ଷ୍ଟ୍ରକ୍‌ଚର୍‌ରେ ବଡ଼ଗଡ଼ ଗ୍ରାମକୁ ସୁସଜ୍ଜିତ କରାଯିବ। ୪୨ ବର୍ଷ ତଳେ ଗାଁ’ର କିଛି ବରିଷ୍ଠ ବ୍ୟକ୍ତିବିଶେଷଙ୍କ ଦ୍ବାରା ମାତ୍ର ୬୦୦ ଟଙ୍କାରେ ପୂଜା ଆରମ୍ଭ ହୋଇଥିବା ବେଳେ ଚଳିତ ବର୍ଷର ବଜେଟ୍‌ ୧୩ ଲକ୍ଷ ଟଙ୍କାରେ ପହଞ୍ଚିଛି।

ଏଥର ପୂଜାମଣ୍ଡପରେ ହର ପାର୍ବତୀଙ୍କ ରୁଦ୍ରାବତାର ଦେଖିବାକୁ ମିଳିବ। ହର ପାର୍ବତୀଙ୍କ ସମେତ ଗଣେଶ, କାର୍ତିକ ଚାନ୍ଦି ମେଢ଼ରେ ଝଲସିବେ। ସୁରକ୍ଷା ପାଇଁ ୧୨ଜଣ ସଶସ୍ତ୍ର ପୁଲିସ୍‌ଙ୍କ ସମେତ ପୁଲିସ୍‌ ବାହିନୀ ରହିବେ। ୪ଟି ସିସିଟିଭି କ୍ୟାମେରା ଖଞ୍ଜାଯିବା ସହ ୬୦ଜଣ ସ୍ବେଚ୍ଛାସେବୀ ଶାନ୍ତିଶୃଙ୍ଖଳା ଉପରେ ନଜର ରଖିବେ। ଦୀପକ ବେହେରା, ଶୁଭେନ୍ଦୁ ସାହୁ, ସୁଶୀଲ କୁମାର ଜେନା, ଦିଲ୍ଲୀପ କୁମାର ଭୂୟାଁ, ବିଭୂତି ବେହେରା, ଅଜିତ କୁମାର ରାଉତ ଏନେଇ ସୂଚନା ଦେଇଛନ୍ତି।

ଚମକାଇବ ଭସାଣି ଯାତ୍ରା, ସାମିଲ୍‌ ହେବେ ୬୦୦ କଳାକାର
ନେତାଜୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ହର ପାର୍ବତୀ ପୂଜା ଅବସରରେ ସବୁଠୁ ଆକର୍ଷଣ ସାଜେ ଭସାଣି ଯାତ୍ରା। ଏଥିରେ ମୟୂର ନାଚ, ଶ୍ରୀକାକୁଲମ୍‌ ବ୍ୟାଣ୍ଡ୍‌ ପାର୍ଟି, କଳସ ନୃତ୍ୟ, ଘଣ୍ଟ, ଯୋଡ଼ି ଶଙ୍ଖ, ପାଇକ ନୃତ୍ୟ, ମହିଳା ପାଇକ ନୃତ୍ୟ, ଆଦିବାସୀ ନୃତ୍ୟ, ଜାଗା ଆଖଡ଼ା ନୃତ୍ୟ ଦେଖିବାକୁ ମିଳିବ। ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର, କେରାପୁଟ, ବ୍ରହ୍ମପୁର, ବୌଦ୍ଧରୁ ୬୦୦ରୁ ଅଧିକ ପାରମ୍ପରିକ କଳାକାର ସାମିଲ୍‌ ହେବେ। ଏଠାରେ ଭସାଣି ଯାତ୍ରା ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ବଜେଟ୍‌ର ସିଂହଭାଗ ଭସାଣି ଯାତ୍ରାରେ ଖର୍ଚ ହେବ।
ସନ୍ତୋଷ କୁମାର ସିଂହ (ସଭାପତି)

ସଂଗୀତରେ ମଜିବେ, କମେଡିରେ ହସିବେ
ସାଂସ୍କୃତିକ କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର, ଶକ୍ତି ମିଶ୍ର, ଅଭିଜିତ ମଜୁମଦାର, ଆର୍‌ଏସ୍‌ କୁମାର ଓ ସ୍ମିତା ପଣ୍ଡାଙ୍କ ସଂଗୀତର ଝଲକ ସାଙ୍ଗକୁ ହାସ୍ୟ କଳାକାର ପ୍ରଜ୍ଞାଙ୍କ କମେଡ଼ିର ତଡ଼କା ଉପଭୋଗ କରିବାର ସୁଯୋଗ ମିଳିବ। ଚଳିତ ବର୍ଷ କେରଳ ବନ୍ୟା ପୀଡ଼ିତଙ୍କୁ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।
ବୃନ୍ଦାବନ ଦାସ (ସମ୍ପାଦକ)

ସମ୍ବନ୍ଧିତ ଖବର