ଆସୁଛନ୍ତି ମା’: ଝଲମଲ କରିବ ଇଟାଲିଆନ୍‌ ପ୍ୟାଲେସ୍‌

ବଡ଼ଗଡ଼ ଗାଁ ଦୁର୍ଗାପୂଜା

ପୁରୁଣା ଭୁବନେଶ୍ୱର: ୧୯୮୫ ମସିହାରୁ ଆରମ୍ଭ ହୋଇ ୩୬ ବର୍ଷରେ ପଦାର୍ପଣ କରୁଥିବା ବଡ଼ଗଡ଼ ଗାଁ ଦୁର୍ଗାପୂଜା ଏଥର ଖୁବ୍‌ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବ। ପାଖାପାଖି ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିବା ଏହି ପୂଜାର ମୁଖ୍ୟ ଆକର୍ଷଣ ହେଉଛନ୍ତି ମା’ ମହିଷାମର୍ଦ୍ଦିନୀଙ୍କ ମୃଣ୍ମୟୀ ମୂର୍ତ୍ତି। ତେବେ ଚଳିତ ବର୍ଷ ଏଠାରେ ଝଲମଲ କରିବ ଇଟାଲିଆନ୍‌ ତୋରଣ। ଏହି ସୁଦୃଶ ତୋରଣ ନିର୍ମାଣ କରୁଛନ୍ତି ସାଲେପୁରର ଓଡ଼ିଆ କାରିଗର। ୬୫ ଫୁଟ୍‌ ଉଚ୍ଚତା ଓ ୪୦ ଫୁଟ୍‌ ପ୍ରସ୍ଥର ଏହି ସୁନ୍ଦର ତୋରଣରେ ଇଟାଲିର କାରୁକାର୍ଯ୍ୟ ଶୋଭାପାଇବ। ସେହିଭଳି ମା’ ମହିଷାମର୍ଦ୍ଦିନୀ ମୂର୍ତ୍ତିର ଉଚ୍ଚତା ୨୦ ଫୁଟ୍‌ ହେବ ଏବଂ ମେଢ଼ର ଉଚ୍ଚତା ହେବ ୨୫ ଫୁଟ୍‌। ମା’ଙ୍କ ମୂର୍ତ୍ତି ସାଙ୍ଗକୁ ସୁନ୍ଦର ସୁନ୍ଦର ପାର୍ଶ୍ବ ଦେବଦେବୀମାନଙ୍କ ମୂର୍ତ୍ତି ମଣ୍ଡପରେ ଶୋଭା ବର୍ଦ୍ଧନ କରିବେ। ମଣ୍ଡପକୁ ବାଦ୍‌ ଦେଲେ ବଡ଼ଗଡ଼ ଗାଁ ମୁଣ୍ଡରେ ଏକ ଲାଇଟ୍‌ ତୋରଣ ମଧ୍ୟ କରାଯାଉଛି।

ବଡ଼ କଥା ହେଉଛି ଏହି ପୂଜାରେ ପ୍ରାୟ ସବୁପ୍ରକାର ପାରମ୍ପରିକ ରୀତିନୀତି ଅନୁସରଣ କରାଯାଏ। ମଣ୍ଡପରେ ସବୁବେଳେ ପାରମ୍ପରିକ ଢୋଲ ଓ ମହୁରୀ ବାଦ୍ୟ ବାଜିବ। ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦର୍ଶକମାନଙ୍କୁ ଆକର୍ଷଣ କରିବ। ଏଠାରେ ମହାଷ୍ଟମୀ ପୂଜା ବଡ଼ଧରଣର ହୋଇଥାଏ। ପ୍ରାୟ ୮ ଶହରୁ ଏକ ହଜାର ମହିଳା ମା’ଙ୍କ ନିକଟରେ ଶାଢ଼ି ପୂଜା କରିବା ବିଧି ରହିଆସିଛି। ସେହିଭଳି ଶ୍ରଦ୍ଧାଳୁମାନେ ମଧ୍ୟ ହଜାର ହଜାର ଦୀପ ଜାଳିବା ସବୁବର୍ଷ ହୋଇଆସୁଛି। ରାବଣ ପୋଡ଼ି ସାଙ୍ଗକୁ ଭସାଣ ଉତ୍ସବ ମଧ୍ୟ ଚଳିତ ବର୍ଷ ବେଶ୍ ଆକର୍ଷଣୀୟ କରାଯିବ ବୋଲି କମିଟି ନିଷ୍ପତ୍ତି ନେଇଛି।

ମା’ଙ୍କ ଲାଗି ପଣାରେ ସବୁରି ଆଗ୍ରହ
ମହାଷ୍ଟମୀ ପୂଜାରେ ମା’ଦୁର୍ଗାଙ୍କୁ ପଣା ଭୋଗ ଲାଗି ହେବା ଆମ ପୂଜାର ବିଶେଷତ୍ବ। ପ୍ରାୟ ୫ଶହରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମା’ ଏହି ପଣା ପ୍ରସାଦ ଭୋଗଲାଗି ହୁଏ। ସେହିଭଳି ନବମୀ ଦିନ ୭ଶହରୁ ଅଧିକ ଲୋକଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯିବ। ଭାଇଚାରା ଥିବାରୁ ଗ୍ରାମର ଛୋଟରୁ ବଡ଼ ସମସ୍ତେ ଏହି ପୂଜାରେ ସାମିଲ ହୁଅନ୍ତି।
ପ୍ରତାପ କୁମାର ଜେନା, ସଭାପତି

ଦର୍ଶକ ତଥା ଶ୍ରଦ୍ଧାଳୁମାନେ ଆମ ଅତିଥି
ମା’ଙ୍କ ପୂଜା ସମସ୍ତଙ୍କର। ଏହି ପୂଜା ଦେଖିବାକୁ ଆସୁଥିବା ବାହାରର ଦର୍ଶକ ତଥା ଶ୍ରଦ୍ଧାଳୁମାନେ ଆମ ଅତିଥି। ସେମାନଙ୍କ ପାଇଁ ବ୍ୟବସ୍ଥିତ ଢଙ୍ଗରେ ଦର୍ଶନ ସୁଯୋଗ ରହିଛି। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ଦଶମୀରେ ରାବଣପୋଡ଼ି ହେବ। ଏହା ଦେଖିବାକୁ ଆସୁଥିବା ଦର୍ଶକମାନେ କୌଣସି ସମସ୍ୟାରେ ଯେମିତି ନପଡ଼ିବେ, ସେଥିପ୍ରତି ଆମ କମିଟି ଗୁରୁତ୍ବ ଦେଇଆସୁଛି।
ଅଶୋକ କୁମାର ପାତ୍ର, ସମ୍ପାଦକ

ସମ୍ବନ୍ଧିତ ଖବର