ଫୁଲର ମହଲରେ ବିରାଜିବେ ମା, ଆଲୁଅରେ ଝଟକିବ ତୋରଣ

ଛନଛନ କାଶତଣ୍ଡୀ ମନ ହରିଲାଣି। ଶରତର ମୃଦୁ ମଳୟ ତନମନରେ ପାର୍ବଣର ରଙ୍ଗ ମାଖିଲାଣି। ମହାମାୟୀଙ୍କୁ ସ୍ବାଗତ କରିବାକୁ ସଜେଇ ହେଲାଣି ପୂଜା ମଣ୍ଡପ। କିଣାକିଣି ପାଇଁ ଜମି ଆସିଲାଣି ବଜାର ଘାଟ। ଆଡ଼ମ୍ବର ସହକାରେ ମା’ଙ୍କୁ ଆବାହନ ପାଇଁ ସଜା ଚାଲିଛି ସୁଦୃଶ୍ୟ ତୋରଣ। ପୂଜା ଅନୁଷ୍ଠାନ ମଧ୍ୟରେ ଆରମ୍ଭ ହୋଇଯାଇଛି ଅଘୋଷିତ ପ୍ରତିଯୋଗିତା। କାରିଗରଙ୍କୁ ଫୁର୍‌ସତ ନାହିଁ। ପୂଜା କମିଟିକୁ ତର ନାହିଁ। କୋଉ ପୂଜା ମଣ୍ଡପ‌ କେତେ ଚକ୍‌ମା ଦେଖେଇବ, ଏହା ଦେଖିବାକୁ ଲୋକେ ବି ଆତୁର ‌ହେଲେଣି। ସମଗ୍ର ରାଜଧାନୀରେ ୧୬୫ଟି ପୂଜା ମଣ୍ଡପରେ ମା’ ପୂଜା ପାଇବାକୁ ଯାଉଥିବା ବେଳେ ପୂଜାନୁଷ୍ଠାନର ପ୍ରସ୍ତୁତିକୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା ‘ବିରାଜିବେ ମହାମାୟୀ’।

ଫୁଲର ମହଲରେ ବିରାଜିବେ ମା’। ଆଲୁଅରେ ଝଟକିବ ତୋରଣ। ମା’ଙ୍କ ଆବିର୍ଭାବଠୁ ନେଇ ବିସର୍ଜନର କଥା ବଖାଣିବ ଭିତର ମହଲ। ୭୦ ଫୁଟ ଉଚ୍ଚ ଓ ୧୬୫ ଫୁଟ ଓସାର ବିଶିଷ୍ଟ ତୋରଣ ଭେଟିଦେବ ରସୁଲଗଡ଼ ଦୁର୍ଗାପୂଜା ସମିତି। ଚଳିତ ବର୍ଷ ପୂଜା ୨୮ ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥର ୧୦ଲକ୍ଷରୁ ଅଧିକ ଟଙ୍କା କେବଳ ତୋରଣରେ ଖର୍ଚ ହେବ। ଏଥିପାଇଁ ଅଗଷ୍ଟ ୧୫ରୁ ତୋରଣ ସାଜସଜା ଆରମ୍ଭ ହୋଇଛି। କୋଲକାତାର ୪୦ ଜଣ କାରିଗର ତୋରଣ ପ୍ରସ୍ତୁତିରେ ନିୟୋଜିତ ହୋଇଛନ୍ତି। ଏହା ବ୍ୟତୀତ ୫ଟି ବଡ଼ ଆଲୁଅ ତୋରଣରେ ଝଲସିବ ପୂଜା ମଣ୍ଡପ ପରିସର। ଏହା ବ୍ୟତୀତ ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଭେଟିଦେବେ ନାମୀ କଳାକାର। ଷଷ୍ଠୀରେ ଭଜନରୁ ଆରମ୍ଭ ହେବ ସାଂସ୍କୃତିକ ସନ୍ଧ୍ୟା। ଅଭିଜିତ ମଜୁମ୍‌ଦାରଙ୍କ ସମେତ ଅସୀମା ପଣ୍ଡା, ଦୀପ୍ତିରେଖା, ତାରିକ୍‌ ଅଜିଜ୍‌ ପ୍ରମୁଖ ସଂଗୀତ ପରିବେଷଣ କରିବେ। ସାଂସ୍କୃତିକ ମଣ୍ଡପରେ ଅଞ୍ଚଳର ବରିଷ୍ଠ ନାଗରିକଙ୍କୁ ସମ୍ବର୍ଧିତ କରାଯିବ। ପୂଜା ମଣ୍ଡପ ପରିସରରେ ଲାଗିବ ମୀନାବଜାର। ରାମଦୋଳିରୁ ଆରମ୍ଭ କରି ୩୫ଟି ଷ୍ଟଲ୍‌ ଲାଗିବ। କିଣାକିଣି କରିବା ସହ ପୂଜା ପରିସର ବୁଲିବା ପାଇଁ ପରିସକୁ ବ୍ୟବସ୍ଥିତ କରାଯିବ।

ସମ୍ବନ୍ଧିତ ଖବର