ଆସୁଛନ୍ତି ମା’: ବିନା ଆଡ଼ମ୍ବରରେ ବିରାଜିବେ

ମା’ଙ୍କ ଅପରୂପ ପ୍ରତିକୃତି ସାଙ୍ଗକୁ ସୁଦୃଶ୍ୟ ତୋରଣ ଓ ଆଖିଝଲସା ସାଜସଜ୍ଜା। ଗହିଳ ଭିତରେ ଠେଲାପେଲା ହୋଇ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ଦର୍ଶନ ସହ ମେଳଣ ପଡ଼ିଆ ବୁଲା ଓ ଚାଟ୍‌, ଚାଓମିନ୍‌ ଖାଇବାର ମଜା ନିଆରା। କିନ୍ତୁ ଗତ ୨ ବର୍ଷ ହେଲା, କରୋନା ମହାମାରୀ ରାଜଧାନୀବାସୀଙ୍କୁ ଏଥିରୁ ବଞ୍ଚିତ କରି ରଖିଛି। ସଂକ୍ରମିତଙ୍କ ସଂଖ୍ୟା କମିଥିଲେ ହେଁ ବିପଦ ସଂପୂର୍ଣ୍ଣ ଟଳି ନଥିବାରୁ ସରକାର କୌଣସି ପ୍ରକାର ରିସ୍କ ନେବାକୁ ଚାହୁନାହାନ୍ତି। ତେଣୁ ଗତବର୍ଷ ଭଳି ଏବର୍ଷ ବି ପାର୍ବଣ ପାଇଁ କଡ଼ା କଟକଣା ଜାରି କରାଯାଇଛି। ପୂଜାକୁ ପୂରା ନିରାଡ଼ମ୍ବରରେ କରିବାକୁ କୁହାଯାଇଛି। ତେଣୁ ଦଶହରାକୁ ଆଉ ୧୫ଦିନରୁ କମ୍‌ ସମୟ ରହିଯାଇଥିଲେ ହେଁ ସେମିତି ସୋର୍‌ଶବ୍ଦ ନାହିଁ। ପୂଜା ମଣ୍ଡପକୁ ଭକ୍ତଙ୍କ ପ୍ରବେଶ ବାରଣ କରାଯାଇଥିବା ବେଳେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ବି ୪ ଫୁଟ୍‌ ମଧ୍ୟରେ ସୀମିତ ରଖିବାକୁ ପ୍ରଶାସନ କହିଛି। ତେଣୁ ଗତଥର ଭଳି ଏବର୍ଷ ବି କେବଳ ବିଧିରକ୍ଷା କରିବାକୁ ପୂଜା ହେବ।

ସର୍ବଧର୍ମ ସମନ୍ବୟର ପୂଜାମଣ୍ଡପ

ଚନ୍ଦ୍ରଶେଖରପୁର: କଟକଣା ସତ୍ତ୍ବେ ଏଥର ବି ଡିଷ୍ଟ୍ରିକ୍ଟ ସେଣ୍ଟର୍‌ କମିଟି ପକ୍ଷରୁ ସର୍ବଧର୍ମ ସମନ୍ବୟ‌ରେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ସ୍ଥାନୀୟ ଅଞ୍ଚଳରେ ରହୁଥିବା ବିଭିନ୍ନ ଧର୍ମର ଶ୍ରଦ୍ଧାଳୁ ଏକାଠି ହୋଇ ମା’ଙ୍କୁ ପୂଜାର୍ଚ୍ଚନା କରିବେ। ୨୦୦୮ରୁ କମିଟି ପକ୍ଷରୁ ଆରମ୍ଭ ହୋଇଥିବା ଏହି ନିଆରା ପୂଜା ରାଜଧାନୀରେ ଭାଇଚାରର ଅନନ୍ୟ ଉଦାହରଣ ସୃଷ୍ଟି କରି ଆସିଛି। ଏଠାରେ ହିନ୍ଦୁ, ମୁସଲିମ୍, ଖୀଷ୍ଟିଆନ୍ ଆଦି ଧର୍ମାବଲମ୍ବୀମାନେ ମିଳିମିଶି ପ୍ରତିବର୍ଷ ପୂଜା କରିଥା’ନ୍ତି। ଏବର୍ଷ କୋଭିଡ୍‌ କଟକଣା ଲାଗୁ ହୋଇଥିଲେ ହେଁ ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ। କମ୍‌ ଲୋକଙ୍କୁ ନେଇ ପୂଜା ହେବ। ଏବେ ମଣ୍ଡପରେ ମା’ଙ୍କ ମୃଣ୍ମୟ ମୂର୍ତ୍ତି ଗଢ଼ା ଚାଲିଛି। କେନ୍ଦ୍ରପଡ଼ାର କାରିଗର ପ୍ରଫୁଲ୍ଲ କୁମାର ବେହେରା ସରକାରଙ୍କ ଗାଇଡ୍‌ଲାଇନ୍‌ ଅନୁଯାୟୀ ମା’ଙ୍କ ମୂର୍ତ୍ତିକୁ ୪ ଫୁଟ୍‌ ମଧ୍ୟରେ ସୀମିତ ରଖି ତିଆରି କରୁଛନ୍ତି। ମୂର୍ତିରେ ରସାୟନିକ ରଙ୍ଗ ବ୍ୟବହାର କରାଯାଉ ନାହିଁ ବୋଲି କମିଟି ପକ୍ଷରୁ କୁହାଯାଇଛି।

କଟକଣା ମାନିବା ଆମର କର୍ତବ୍ୟ
ଚଳିତ ବ‌ର୍ଷ ପାର୍ବଣ ପାଇଁ ସରକାର ଯେଉଁ ଗାଇଡ୍‌ଲାଇନ୍ କରିଛନ୍ତି, ତାହାକୁ ପାଳନ କରିବା ଆମର ପ୍ରଥମ କର୍ତ୍ତବ୍ୟ। ମଣିଷ ଜୀବନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଜୀବନ ରହିଲେ ସିନା ଆମେ ପୂଜା ଦେଖିବୁ। ଏବେ ବି ସଂକ୍ରମଣ ଜାରି ରହିଥିବାରୁ ସରକାରଙ୍କ ଗାଇଡ୍‌ଲାଇନ୍‌ରେ ପୂଜା କରାଯିବ। ମା’ଙ୍କ ଆଶୀର୍ବାଦ ହେଲେ ଆରବର୍ଷକୁ ସ୍ଥିତିରେ ସୁଧାର ଆସିଥିବ ଓ ପୂର୍ବଭଳି ପୁଣିଥରେ ଜାକଜମକରେ ପୂଜା କରିବୁ।
ପ୍ରକାଶ ଚନ୍ଦ୍ର ବିଜୁଳି (ସଭାପତି)

ଏମିତି ପୂଜା ରାଜଧାନୀରେ ନିଆରା
ଆମ କମିଟି ପକ୍ଷରୁ ହେଉଥିବା ଏହି ପୂଜା ଭାଇଚାରାର ଏକ ଅନନ୍ୟ ଉଦାହରଣ। ଏଥିରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଆଦି ଧର୍ମାବଲମ୍ବୀମାନେ ଯୋଗଦେଇ ମା’ଙ୍କୁ ପୂଜା କରିଥା’ନ୍ତି। ଏମିତି ପୂଜା ରାଜଧାନୀରେ ବିରଳ। ତେଣୁ ଏହାଠାରୁ ବଡ଼ କଥା ଆମ ପାଇଁ ଆଉ କ’ଣ ବା ହୋଇପାରେ।
ସରୋଜକାନ୍ତ ମଲ୍ଲିକ (ସାଧାରଣ ସଂପାଦକ)

ପ୍ରସାଦ ସେବନ ବି ବନ୍ଦ

ରସୁଲଗଡ଼ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରତିବର୍ଷ ରସୁଲଗଡ଼ ଛକଠାରେ ଆୟୋଜିତ ହେଉଥିବା ଆକର୍ଷଣୀୟ ଦୁର୍ଗାପୂଜା ଦେଖିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମେ। ପାଖାପାଖି ୩୫ ଲକ୍ଷ ଟଙ୍କା ବ୍ୟୟବରାଦରେ ହେଉଥିବା ଏହି ପୂଜା‌ରେ ଷଷ୍ଠୀଠାରୁ ଲୋକଙ୍କ ଭିଡ଼ ଜମେ। ରାସ୍ତା ଜାମ୍‌ ଭଳି ପରିସ୍ଥିତି ଦେଖାଦିଏ। କିନ୍ତୁ ଏଥର ରସୁଲଗଡ଼ରେ ପୂଜାର ସେ ମାହୋଲ ଦେଖିବାକୁ ମିଳିବନି। ପୂରା ନିରାଡ଼ମ୍ବରରେ କେବଳ ବିଧିରକ୍ଷା ପାଇଁ ପୂଜା ହେବ।

ଅନ୍ତରକୁ ବାଧୁଛି
ମା’ଙ୍କ ପୂଜା ତ’ ପ୍ରତିବର୍ଷ ହେଉଛି। କିନ୍ତୁ ଆମ ଅସତର୍କତା ଯୋଗୁଁ ଯଦି କରୋନାରେ କାହା ଜୀବନ ଚାଲିଯାଏ ତେବେ ସେ ଜୀବନ ଆଉ ଫେରିବନି। ଏଣୁ ଆମେ ଚଳିତ ବର୍ଷ ବି ସରକାରଙ୍କ ନିୟମ ମାନି ପୂଜା କରିବୁ। ୧୧ ତାରିଖ ଷଷ୍ଠୀ ଦିନ ମା’ଙ୍କୁ ବିଲ୍ବବରଣ କରି ଅଣାଯିବ। ସପ୍ତମୀ ଭୋର୍‌ରୁ ସୂର୍ଯ୍ୟପୂଜା ପରେ ମା’ଙ୍କୁ ଚକ୍ଷୁ ଦାନ ପରେ ବିଭିନ୍ନ ପୂଜା ଅନୁଷ୍ଠିତ ହେବ। ଅଷ୍ଟମୀ, ନବମୀ ଓ ଦଶମୀ ପୂଜା ବିଧି ମୁତାବକ ହେବ। ପ୍ରସାଦ ସେବନ ଓ ବଣ୍ଟନ ବନ୍ଦ ରହିବ। ୧୬ ତାରିଖ ଦିନ ଭସାଣି ଅନୁଷ୍ଠିତ ହେବ। ସାଧାରଣତଃ ପୂଜାରେ ମା’ଙ୍କୁ ଭିନ୍ନ ଭିନ୍ନ ପ୍ରକାରର ପ୍ରସାଦ ଅର୍ପଣ କରାଯାଇଥାଏ। ସପ୍ତମୀରେ ଦହି ପଖାଳ, ଅଷ୍ଟମୀରେ ଚରୁ ଅନ୍ନ, ନବମୀରେ ଖେଚୁଡ଼ି ଭୋଗ ସହ ରସଗୋଲା ଓ ଦଶମୀରେ ସମସ୍ତ ପ୍ରକାର ଓଡ଼ିଆ ପାରମ୍ପରିକ ପିଠା ତିଆରି ହୋଇ ମା’ଙ୍କୁ ଅର୍ପଣ କରାଯାଏ। କିନ୍ତୁ ୨ବର୍ଷ ହେବ ସେ ସବୁ ବନ୍ଦ ରହିଥିବାରୁ ଅନ୍ତରକୁ ବାଧୁଛି।
ମଳୟ ରାଉତରାୟ, ସଭାପତି
ରସୁଲଗଡ଼ ଦୁର୍ଗାପୂଜା କମିଟି

ଆରବର୍ଷକୁ ଅପେକ୍ଷା
ରସୁଲଗଡ଼ ଦୁର୍ଗାପୂଜା କମିଟି ଓ ରସୁଲଗଡ଼ ଗ୍ରାମ୍ୟ କମିଟି ମିଶି ଚଳିତ ବର୍ଷ ଏହି ଦୁର୍ଗାପୂଜାର ଆୟୋଜନ କରିଛୁ। କିନ୍ତୁ ସମ୍ପୂର୍ଣ୍ଣ କଟକଣା ଓ ସରକାରଙ୍କ ଗାଇଡ୍‌ଲାଇନ୍‌କୁ ମାନି ଏହି ପୂଜା ପରିଚାଳିତ ହେବ। ମା’ଙ୍କ ମୂର୍ତି ଏବେ ଗଢ଼ା ଚାଲିଛି। ୪ ଫୁଟ୍‌ ଭିତରେ ମା’ଙ୍କୁ ଏହି ପ୍ରତିମୂର୍ତି ତିଆରି ହେବ। ପୂଜା ପାଇଁ କୌଣସି ଚାନ୍ଦା ଆଦାୟ ହେଉନାହିଁ। ରସୁଲଗଡ଼ ଗ୍ରାମବାସୀ ଓ କିଛି ସହୃଦୟ ବ୍ୟକ୍ତିଙ୍କ ବଦାନ୍ୟତାରେ ଏହି ପୂଜା ଆୟୋଜିତ ହେବ। ମଣ୍ଡପର ୩କଡ଼କୁ ଆବଦ୍ଧ କରାଯିବ। ମା’ଙ୍କ ଆଶୀର୍ବାଦ ରହିଲେ ଆସନ୍ତାବର୍ଷକୁ ମା’ଙ୍କର ଭବ୍ୟ ସ୍ବାଗତ କରାଯିବ।
ଜାପାନୀ ରାଉତରାୟ, ସମ୍ପାଦକ
ରସୁଲଗଡ଼ ଦୁର୍ଗାପୂଜା କମିଟି

ଗୁରୁବାରରୁ ନବରାତ୍ର ପୂଜା

ନୂଆପଲ୍ଲୀ ଦୁର୍ଗାମଣ୍ଡପ ନ ଦେଖିଲେ ପୂଜାବୁଲା ଅଧୁରା ବୋଲି କୁହାଯାଏ। ଜାତୀୟ ରାଜପଥକୁ ଲାଗି ରହିଥିବା ଏହି ମଣ୍ଡପରେ ପ୍ରତିବର୍ଷ ବିଭିନ୍ନ ଥିମ୍‌କୁ ନେଇ ତୋରଣ ପ୍ରସ୍ତୁତ ହୋଇଥାଏ। ତା’ ସାଙ୍ଗକୁ ସୁନା, ରୁପା ଆଦି ଅଳଙ୍କାରେ ସଜ୍ଜିତ ମା’ଙ୍କୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ତେଣୁ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥାଏ। କିନ୍ତୁ ଏ ବର୍ଷ ତାହା ଦେଖିବାକୁ ମିଳିବନି। ଲୋକେ ଯେପରି ରାସ୍ତା ଉପରେ ଠିଆ ହୋଇ ବି ମା’ଙ୍କ ଦର୍ଶନ କରିପାରିବେନି, ସେଥିପାଇଁ ମଣ୍ଡପ ଆଗରେ ପରଦା ଟଙ୍ଗା ଯିବ। ଏହାକୁ ନେଇ ଉଭୟ ଆୟୋଜକ ଓ ଭକ୍ତମହଲରେ ହତାଶା ଦେଖାଦେଇଛି। ୨୯ ତାରିଖରୁ ଆରମ୍ଭ ହୋଇଥିବା ଷୋଡ଼ଶ ଦିନାତ୍ମକ ପୂଜା ବୁଧବାର ଶେଷ ହେବା ପରେ ଗୁରୁବାରଠାରୁ ନବରାତ୍ର ପୂଜା ଆରମ୍ଭ ହେବ। ପୁରୋହିତ, ବାରିକ, କର୍ତ୍ତା, ଶଙ୍ଖୁଆ ଓ କିଛି କମିଟି ସଦସ୍ୟଙ୍କ ଉପସ୍ଥିତିରେ ମା’ଙ୍କ ଷୋଳ ପୂଜା ବିଧି ଚାଲିଛି। ଚଣ୍ଡୀପାଠ, ଘଟପୂଜା ସହ ସମସ୍ତ ବିଧି ଅନୁସାରେ ପୂଜା କାର୍ଯ୍ୟ ସମାପନ ହେଉଛି। ସକାଳ ୬ଟାରୁ ପୀଠ ପୂଜା ଆରମ୍ଭ ହୋଇ ରାତି ୧୧ଟା ପର୍ଯ୍ୟନ୍ତ ଚାଲିଛି। ଆଳତି ସମେତ ଅନ୍ୟ ସମସ୍ତ ନୀତିକାନ୍ତି ସମାପନ ହେଉଛି।

ସମ୍ବନ୍ଧିତ ଖବର