ଶାଶୂ ଘରୁ ଝିଅ ନିଖୋଜ

ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ତଦନ୍ତ ପାଇଁ ମାନବାଧିକାର କମିସନରେ ପିଟିସନ୍‌

ଭୁବନେଶ୍ୱର : ‘ବିବାହ ପରଠାରୁ ଝିଅକୁ ଯୌତୁକ ବାବଦରେ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ବିଭିନ୍ନ ସମୟରେ ଝିଅକୁ ଗାଳିଗୁଲଜ କରି ମାଡ଼ ମାରି ଘରୁ ତଡ଼ି ଦେଉଥିଲେ। ଝିଅ ଘରର ମାନ ସମ୍ମାନକୁ ବଞ୍ଚାଇବାକୁ ଯାଇ କେବେ ବି ମୁହଁ ଖୋଲେ ନାହିଁ। ଫଳରେ ଦିନକୁ ଦିନ ଝିଅ ଉପରେ ଶାଶୂ ଘରର ଲୋକଙ୍କ ନିର୍ଯାତନା ବଢ଼ି ବଢ଼ି ଚାଲିଥିଲା। ହଠାତ ଦୁଇ ସପ୍ତାହ ହେବ ଝିଅ ଶାଶୂ ଘରୁ କେଉଁ ଆଡେ ନିଖୋଜ ହୋଇ ଯାଇଛି। ଶାଶୂ ଘର ଲୋକ କେହି ମଧ୍ୟ ଘରେ ନାହାନ୍ତି। ତେଣୁ ଏଭଳି ପରିସ୍ଥିତିରେ ଆମ୍ଭେ ସନ୍ଦେହ କରୁଛୁ, ଝିଅକୁ ହତ୍ୟା କରି ଶବ ଗାଏବ କରି ଦେଇଛନ୍ତି। ଏ ନେଇ ନୟାଗଡ଼ ସଦର ଥାନାରେ ଅଭିଯୋଗ କଲେ ମଧ୍ୟ ପୁଲିସ କେବଳ ଯୌତୁକ ନିର୍ଯାତନା ମାମଲା ରୁଜୁ କରି ବସି ପଡ଼ିଛି। କାହାରିକୁ ଗିରଫ କରିବାକୁ ସକ୍ଷମ ହୋଇନାହିଁ। ଶେଷରେ ବାଧ୍ୟ ହୋଇ ମାମଲାର ତଦନ୍ତ କରିବାକୁ ରାଜ୍ୟ ମାନବାଧିକାର କମିସନଙ୍କ ନିକଟରେ ପିଟିସନ୍‌ ଦାଖଲ କରୁଛୁ। ଆଶା କରୁଛୁ ଆମକୁ ନ୍ୟାୟ ମିଳିବ। ଏମିତି ଅଭିଯୋଗ ନେଇ ନୟାଗଡ଼ରୁ ଭୁବନେଶ୍ୱର ଆସିଥିଲେ ନିଖୋଜ ଝିଅର ମା’ ନିର୍ମଳା ପ୍ରଧାନ।

ନୟାଗଡ଼ ଜିଲ୍ଲା ସଦର ଥାନା ଅଧୀନ ବୋଦାପଡ଼ା ଗ୍ରାମର ନିର୍ମଳାଙ୍କ ଝିଅ ସୁମିତ୍ରା ପ୍ରଧାନଙ୍କର ୨୦୧୪ ମସିହାରେ ପଦ୍ମପୁର ଅଂଚଳର ମୃତ୍ୟୁଞ୍ଜୟ ପରିଡ଼ାଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ପରଠାରୁ ଶାଶୂ ଘର ଲୋକ ଝିଅକୁ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ଝିଅକୁ ମାରିଦେବେ ବୋଲି ଧମକ ଚମକ ଦେଉଥିଲେ। ହଠାତ ଗତ ମାସ ୨୪ ତାରିଖରେ ଝିଅର ଶାଶୂ ଘର ଲୋକେ ଟେଲିଫୋନ୍‌ କରି କହିଥିଲେ କି ତୁମ ଝିଅ ଘର ଛାଡି କେଉଁ ଆଡ଼େ ପଳାଇ ଯାଇଛି। ଖବର ପାଇ ନିର୍ମଳାଙ୍କ ପୁଅ ଓ ସ୍ୱାମୀ ପଦ୍ମପରରେ ପହଞ୍ଚି ଦେଖିବାକୁ ପାଇଥିଲେ କି ଝିଅ ଘରେ ନାହିଁ। ଘରେ ତାଲା ଝୁଲୁଛି। ଏଣୁ ମନରେ ସନ୍ଦେହ ହେଲା କି ଝିଅକୁ ହତ୍ୟା କରାଯାଇଛି ବୋଲି।

ଏ ନେଇ ନିର୍ମଳା ନୟାଗଡ଼ ସଦର ଥାନାରେ ଅଭିଯୋଗ କରିବା ପୁଲିସ ମୃତ୍ୟୁଞ୍ଜୟ ପରିଡ଼ା, ଲୋଚନ ପରିଡ଼ା, ରବି ଦଳେଇ, କାମିଳିନୀ ଦଳେଇ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। କିନ୍ତୁ ପୁଲିସ ଏଯାଏ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ପାରୁନାହିଁ। ଅଭିଯୁକ୍ତମାନେ ଖୁଲମ ଖୁଲା ନୟାଗଡ଼ ସଦର ଅଞ୍ଚଳରେ ବୁଲାବୁଲି କରୁଥିବା ସୁମିତ୍ରାଙ୍କ ପରିବାର ଲୋକ କହିଛନ୍ତି। ଏଣେ ଝିଅକୁ ନ ପାଇ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ମାନବାଧିକାର କମିସନ୍‌ରେ ପିଟିସନ୍‌ ଦାଖଲ କରି ଅନୁରୋଧ କରିଛନ୍ତି ତୁରନ୍ତ ଅଭିଯୁକ୍ତମାନଙ୍କ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଝିଅ ନିଖୋଜ ନେଇ ସତ୍ୟାସତ୍ୟ ଉନ୍ମୋଚନ ହେଉ।

ସମ୍ବନ୍ଧିତ ଖବର