ଛୁଆ କାହାର? ପାଲଟା ଅଭିଯୋଗ ଆଣିଲେ ଘରମାଲିକ, ରେଳଧାରଣାରୁ ପାଇ କୁନି ଝିଅକୁ ଦେଇଥିଲେ ସନ୍ତୋଷ

ଭୁବନେଶ୍ବର: ଭୁବନେଶ୍ୱର ମଞ୍ଚେଶ୍ବର ଆଖଣ୍ଡଳମଣି ବସ୍ତିରେ କୁନି ଝିଅକୁ ଘର ମାଲିକ ନେଇଯିବା ଘଟଣାରେ ନୂଆମୋଡ଼ ଆସିଛି। ଘରଭଡ଼ା ଦେଇ ନପାରିବାରୁ ୯ବର୍ଷୀୟା କୁନି ଝିଅକୁ ଘର ମାଲିକ ବଳପୂର୍ବକ ନେଇଯାଇଛି ବୋଲି ଗତକାଲି ବାପାମାଆ ଅଭିଯୋଗ କରିବା ପରେ ପାଲଟା ଅଭିଯୋଗ ଆଣିଛନ୍ତି ଘର ମାଲିକ। ସେ ପାଲଟା ଅଭିଯୋଗ ଆଣି କହିଛନ୍ତି କି ବିବାହ ପୂର୍ବରୁ ରେଳଧାରଣାରୁ ଛୁଆଟିକୁ ପାଇ କେନ୍ଦ୍ରାପଡ଼ାର ସନ୍ତୋଷ ତାଙ୍କୁ ଦେଇଥିଲେ। ୮ ବର୍ଷ ହେଲାଣି ସେ ଝିଅକୁ ଲାଳନପାଳନ କରୁଛନ୍ତି ।

ବାପା-ମା’ଙ୍କ ଅଭିଯୋଗ ପରେ ଛୁଆକୁ ଉଦ୍ଧାର କରିବା ପାଇଁ ଚାଇଲଡ୍ ଲାଇନ ସହାୟତାରେ ଘଟଣାସ୍ଥଳରେ ପହଞ୍ଚିଥିଲା ମଞ୍ଚେଶ୍ୱର ଥାନା ପୁଲିସ୍ । ଆଜି ପୁଲିସ ଓ ଚାଇଲ୍ଡ ଲାଇନ୍ ମୁଣ୍ଡା ସାହି ବସ୍ତିରେ ପହଞ୍ଚିଥିଲେ। ଏହି ସମୟରେ ଏପରି ଅଭିଯୋଗ କରିଥିଲେ ଘର ମାଲିକ। ହେଲେ ଚାଇଲ୍ଡ ଲାଇନ୍ ପକ୍ଷରୁ କୁହାଯାଇଛି ଯେ, ଝିଅ ଯାହାର ହୋଇଥାଉ ନା କାହିଁକି ଆଇନ ଅନୁସାରେ ତାର ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ ।

ଗତକାଲି ହୋଇଥିବା ଅଭିଯୋଗ ଅନୁଯାୟୀ, କେନ୍ଦ୍ରାପଡ଼ା ଅଞ୍ଚଳର ସନ୍ତୋଷ ପ୍ରଧାନ ଓ ତାଙ୍କ ପତ୍ନୀ ମନ୍ଦୋନ୍ଦରୀ ୩ ବର୍ଷ ତଳେ ଭୁବନେଶ୍ବରକୁ ଆସିଥିଲେ। ମଞ୍ଚେଶ୍ବର ଆଖଣ୍ଡଳମଣି ବସ୍ତିରେ ବାବୁଲି ବିଷୋୟୀଙ୍କ ଘରେ ଭଡ଼ାରେ ରହିଥିଲେ। ଦମ୍ପତି ପର ଘରେ କାମ କରି ଚଳୁଥିଲେ। କିଛି ଦିନ ତଳେ ଭଡ଼ା ଦେଇ ନପାରିବାରୁ ବାବୁଲି ଓ ତାଙ୍କ ପତ୍ନୀ ଟୁନି ସନ୍ତୋଷଙ୍କ ଝିଅକୁ ବଳପୂର୍ବକ ନେଇଯାଇଥିଲେ। ପ୍ରାୟ ୯ଦିନ କାଳ ଝିଅକୁ ଅଲଗା ରଖିବା ପରେ ସନ୍ତୋଷ ପତ୍ନୀଙ୍କ ସହ ଆସି ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ମଞ୍ଚେଶ୍ବର ଥାନା ପୁଲିସ ଚାଇଲ୍ଡ ଲାଇନ୍ ସହାୟତାରେ ଗତ ୧୫ ତାରିଖରେ ବାବୁଲିଙ୍କ ଘରେ ଚଢ଼ଉ କରିଥିଲା। ମାତ୍ର ସେତେବେଳକୁ ବାବୁଲି ଓ ତାଙ୍କ ପତ୍ନୀ ଝିଅକୁ ନେଇ ଫେରାର୍ ହୋଇଯାଇଥିବା ଚାଇଲ୍ଡ ଲାଇନ୍‌ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର