ଡିଏଭି ଚନ୍ଦ୍ରଶେଖରପୁରରେ ଜାତୀୟ ପୁସ୍ତକ ସପ୍ତାହ, ସାମୟିକ ସଫଳତା, ବିଫଳତାରେ ପ୍ରଭାବିତ ହୁଅନାହିଁ

ଭୁବନେଶ୍ବର: ଯାନ୍ତ୍ରିକ ଜୀବନଚର୍ଯ୍ୟାରେ ବିପୁଳ ଐଶ୍ବର୍ଯ୍ୟ ଲାଭ କରିହୁଏ ନାହିଁ। ପ୍ରକୃତି ସହ ଏକାତ୍ମ ହେଲେ ହିଁ ସାର୍ଥକ ସୃଷ୍ଟି ସମ୍ଭବ ହୋଇଥାଏ ବୋଲି କହିଛନ୍ତି ବିଶିଷ୍ଟ କଥାକାର ଗୌରହରି ଦାସ। ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରରେ ଆୟୋଜିତ ‘ଲେଖକଙ୍କ ସହ ଭାବ ବିନିମୟ’ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସ କହିଲେ, ଆନନ୍ଦ ପ୍ରଦାନ କରିବା ସାହିତ୍ୟ ଓ ସାହିତ୍ୟିକର ଧର୍ମ ହେବା ଉଚିତ୍‌। ଏଥିସହ ବିଶ୍ବ ସାହିତ୍ୟ ଓ ଭାରତୀୟ ସାହିତ୍ୟରୁ ଅନେକ ଉଦାହରଣ ଦେବା ସହ ନିଜ ଲେଖକୀୟ ଜୀବନର ଅନୁଭୂତି ବାଣ୍ଟିଥିଲେ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖି ସାମୟିକ ସଫଳତା ଅବା ବିଫଳତାରେ ପ୍ରଭାବିତ ନହୋଇ ଅଧ୍ୟୟନ ଓ ପରିଶ୍ରମ ଜାରି ରଖିବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ଡ. କେ.ସି ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ସଂ‌ଯୋଜିକା ଇନ୍ଦିରା ଭଟ୍ଟାଚାର୍ଯ୍ୟ, ସୁପରଭାଇଜର୍‌ ନିହାରିକା ଗନ୍ତାୟତ, ପ୍ରମୋଦ କୁମାର ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ସ୍ବଲିଖିତ ପୁସ୍ତକମାନ ଶ୍ରୀ ଦାସ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ମୁଖ୍ୟ ଗ୍ରନ୍ଥାଗାରିକ ପ୍ରଦୀପ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷକ ଲକ୍ଷ୍ମୀଧର ରାଉତରାୟ ସଂଯୋଜନା କରିଥିଲେ। ଶେଷରେ ଡ. ଦେବେନ୍ଦ୍ର କୁମାର ପତି ଧନ୍ୟବାଦ ଅର୍ପଣ କରିଥିଲେ। ଜାତୀୟ ପୁସ୍ତକ ସପ୍ତାହ ଅବସରରେ ବିଦ୍ୟାଳୟ ପରିସରରେ ପୁସ୍ତକ ପ୍ରଦର୍ଶନୀ, ପ୍ରଚ୍ଛଦ ପ୍ରସ୍ତୁତି, ଡିଜାଇନିଂ ଏବଂ ସ୍ବରଚିତ କବିତା ଆବୃତ୍ତି କରାଯାଇଥିଲା।

ସମ୍ବନ୍ଧିତ ଖବର