ଡିଏଭି ସ୍କୁଲ ଫି’ ବୃଦ୍ଧି ବିରୋଧରେ ଆନ୍ଦୋଳନ କରିବେ ଅଭିଭାବକ

ଭୁବନେଶ୍ୱର: ଡିଏଭି ସ୍କୁଲ ଛାତ୍ରଛାତ୍ରୀଙ୍କ ଫି’ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇବାକୁ ଧମକ ଦେଇଛି ଡାଭିଆନ୍‌ ପ୍ୟାରେଣ୍ଟସ୍‌ ଆସୋସିଏସନ। ଏନେଇ ଆଜି ହୋଟେଲ୍‌ ଆର୍ଯ୍ୟ ପ୍ୟାଲେସ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ପକ୍ଷରୁ କୁହାଯାଇଛି ଯେ ଡିଏଭି ସ୍କୁଲଗୁଡ଼ିକ ଚକ୍ରବୃଦ୍ଧି ହାରରେ ସ୍କୁଲ ଫି’ ବୃଦ୍ଧି କରୁଛନ୍ତି। ଏନେଇ ବାରମ୍ବାର ପ୍ରତିବାଦ କରାଯାଉଥିଲେ ମଧ୍ୟ ସ୍କୁଲ କର୍ତୃପକ୍ଷ ତାହାକୁ ହେୟଜ୍ଞାନ କରୁଛନ୍ତି। ପ୍ରତିବର୍ଷ ପିଲାଙ୍କଠାରୁ ଯେତିକି ଫି’ ନେଉଛନ୍ତି ତାହାକୁ ଭିତ୍ତିଭୂମି ବିକାଶ କାର୍ଯ୍ୟରେ ଖର୍ଚ୍ଚ କରୁନାହାନ୍ତି। ଆଇନ ଅଦାଲତର କୌଣସି ବି ନିର୍ଦେଶକୁ ସ୍କୁଲଗୁଡ଼ିକ ତିଳେମାତ୍ର ଭ୍ରୂକ୍ଷେପ କରୁନାହାନ୍ତି। ଏପରିକି ବାର୍ଷିକ ଆୟବ୍ୟୟ ଅଟକଳ ପୂର୍ବରୁ ପିଲାଙ୍କୁ ଦିଆଯାଉଥିବା ଡାଏରିରେ ସେମାନଙ୍କ ଅଭିଭାବକଙ୍କଠାରୁ ୧୫ ପ୍ରତିଶତ ଫି’ ବୃଦ୍ଧି ପାଇଁ ସହମତି ସଂଗ୍ରହ କରାଯାଉଛି। ବିଭିନ୍ନ ସମୟରେ ସ୍କୁଲ କର୍ତୃପକ୍ଷ ଆଳ ଦେଖାଇ ଅର୍ଥ ଆଦାୟ କରୁଛନ୍ତି। ଏହାର ବିରୋଧ କଲେ ପିଲାଙ୍କୁ ଆୟୁଧ କରି ଅଭିଭାବକଙ୍କ ଉପରେ ଚାପ ସୃଷ୍ଟି କରାଯାଉଛି ବୋଲି ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏନେଇ ବାରମ୍ବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୁଫଳ ମିଳି ନ ଥିବା ସଂଘର ଆବାହକ ଗଗନ ବିହାରୀ ରାଉତ, ସଂଯୁକ୍ତା ପାଣିଗ୍ରାହୀ, ମନୋରଞ୍ଜନ ସାହୁ, ସୁରେଶ ସ୍ୱାଇଁ, ରାକେଶ ସାମନ୍ତରାୟ, ମଧୁସୂଦନ ବିଶ୍ୱାଳ ପ୍ରମୁଖ କହିଛନ୍ତି।

ସମ୍ବନ୍ଧିତ ଖବର