ଭାରତୀୟ ବିଜ୍ଞାନ କଂଗ୍ରେସରେ ଡିଏଭି ଛାତ୍ରୀ ପ୍ରୀସିତାଙ୍କ ପ୍ରକଳ୍ପ ସର୍ବଶ୍ରେଷ୍ଠ

ଚନ୍ଦ୍ରଶେଖରପୁର : ମଣିପୁର ବିଶ୍ୱବିଦ୍ୟାଳୟ ଇମ୍ଫାଲ୍‌ ପରିସରରେ ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦ୍‌ଯାପିତ ହୋଇଛି। ଏଥିରେ ଡିଏଭି ପବ୍ଲିକ୍‌ ସ୍କୁଲ୍‌, ଚନ୍ଦ୍ରଶେଖରପୁରର ଏକାଦଶ ଶ୍ରେଣୀ ଛାତ୍ରୀ ପ୍ରୀସିତା ପ୍ରୀତମ୍‌ଙ୍କ ପ୍ରକଳ୍ପ ସର୍ବଶ୍ରେଷ୍ଠ ବିବେଚିତ ହୋଇ ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛି। ପ୍ରୀସିତାଙ୍କ ପ୍ରକଳ୍ପ ‘ଆଧାର ସଂଯୁକ୍ତ ଆବର୍ଜନାପାତ୍ର’ ଓଡ଼ିଶାର ଶ୍ରେଷ୍ଠ ପ୍ରକଳ୍ପ ଭାବରେ ମନୋନୀତ ହୋଇ ଜାତୀୟସ୍ତରର ପ୍ରଦର୍ଶନୀରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ସେଠାରେ ଏହା ଶ୍ରେଷ୍ଠ ବିବେଚିତ ହୋଇଛି। ଇଣ୍ଟିଗ୍ରେଟେଡ୍‌ ସର୍କିଟ୍‌, ମସ୍‌ପେକ୍‌, ବାଇପୋଲାର ଜଙ୍କସନ ଟ୍ରାଇଏଡ୍‌, କ୍ୟାପାସିଟର୍‌, ବ୍ୟାଟେରି ଆଦି ସହାୟତାରେ ସ୍ୱଳ୍ପ ଖର୍ଚ୍ଚରେ ପ୍ରସ୍ତୁତ ଏହି ଅଭିନବ ପ୍ରକଳ୍ପ ସ୍ୱଚ୍ଛଭାରତ ଅଭିଯାନକୁ ପ୍ରୋତ୍ସାହିତ କରିବା ସହ ନୂତନ ଦିଗ୍‌ଦର୍ଶନ ଦେଇ ପାରିବ ବୋଲି ବିଚାରକମଣ୍ଡଳୀ ସର୍ବ ସମ୍ମତି ପ୍ରକାଶ କରିଥିଲେ। ଆଧାର ନମ୍ବରକୁ ଡଷ୍ଟବିନ୍‌ ସହ ସଂଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଡିଭାଇସ୍‌ରେ ଯୋଗ କରିବା ପରେ ଆବର୍ଜନା ପକାଇଥିବା ବ୍ୟକ୍ତିର ଆକାଉଣ୍ଟ୍‌ରେ ଏହା ମୂଲ୍ୟାଙ୍କ ଆକାରରେ ଗଚ୍ଛିତ ହୋଇପାରିବ ବୋଲି ପ୍ରକଳ୍ପରେ ପ୍ରୀସିତା ଦର୍ଶାଇଛନ୍ତି। କଂଗ୍ରେସର ୫ ଦିନ ଯାକ ଅଧିବେଶନରେ ଏହି ଭିନ୍ନ ଧରଣର ପ୍ରକଳ୍ପ ଚର୍ଚିତ ହୋଇ ରହିଥିଲା। ଗତ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଏହି କଂଗ୍ରେସରେ ଦେଶ ଓ ବିଦେଶରୁ ଅନେକ ଖ୍ୟାତନାମା ବୈଜ୍ଞାନିକ ଯୋଗ ଦେଇଥିଲେ। ଭାରତବର୍ଷର ସମସ୍ତ ରାଜ୍ୟରୁ ବଛାବଛା ୬୦ ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଚୂଡ଼ାନ୍ତ ମନୋନୟନ ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିଲେ। ପ୍ରୀସିତାଙ୍କ କୃତିତ୍ୱ ଯୋଗୁଁ ଭାରତୀୟ ବିଜ୍ଞାନ କଂଗ୍ରେସରେ ଓଡ଼ିଶା ଗର୍ବିତ ହୋଇଥିବା କାରଣରୁ ଡିଏଭି ଚନ୍ଦ୍ରଶେଖରପୁରର ବିଦ୍ୟାଳୟ କର୍ତୃପକ୍ଷ ତା’ଙ୍କୁ ଅଭିନନ୍ଦନ ଓ ସ୍ୱତନ୍ତ୍ର ଭାବେ ସମ୍ବର୍ଧନା ଦିଆଯାଇଛି।

ସମ୍ବନ୍ଧିତ ଖବର