ଭୁବନେଶ୍ବର: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହାତ ଲିଖିତ ପୁସ୍ତକ ଉତ୍କଳ ବିଶ୍ବବିଦ୍ୟାଳୟ ପରିସରରେ ଥିବା ପରିଜା ପାଠାଗାରରେ ରହିଛି। ଏଥିସହ ଗାନ୍ଧୀଜୀଙ୍କର ସମସ୍ତ ପୁସ୍ତକ ବି ଏଠାରେ ଉପଲବ୍ଧ ହେଉଛି, ଯାହାକି ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣାରେ ସହାୟକ ହୋଇପାରିବ। ଶତାଧିକ ବିରଳ ତାଳପତ୍ର ପୋଥି ମଧ୍ୟ ପାଠାଗାର ପରିସରରେ ରହିଛି। କାହିଁ କେଉଁ କାଳରୁ ସେଗୁଡ଼ିକୁ ସଂଗୃହୀତ କରି ରଖାଯାଇଛି। ଉଇ ଲାଗିନି କି ନଷ୍ଟ ହୋଇନି। କର୍ତ୍ତୃପକ୍ଷଙ୍କ ଉଦ୍ୟମ ଫଳରେ ସେଗୁଡ଼ିକ ଏବେ ବି ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଛାତ୍ରଛାତ୍ରୀଙ୍କ ଗବେଷଣାରେ ଉପଯୋଗୀ ହୋଇପାରୁଥିବା ଉକ୍ତ ପୋଥିଗୁଡ଼ିକ ଦେଖି ନାକ୍ ପ୍ରତିନିଧି ଦଳ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଥିଲେ। ଏତେ ବର୍ଷର ପୋଥିଗୁଡ଼ିକ ସାଇତି ହୋଇ ରହିବାର ରହସ୍ୟ ସମ୍ପର୍କରେ ନାକ୍ ପ୍ରତିନିଧିଦଳର ଅଧ୍ୟକ୍ଷ ପ୍ରଫେସର୍ ଆର୍.ଏମ୍ ମିଶ୍ରଙ୍କ ସମେତ ପ୍ରଫେସର୍ ଜଗତଭୂଷଣ ନନ୍ଦ, ପ୍ରଫେସର ସଞ୍ଜୟ କୁମାର, ପ୍ରଫେସର୍ ରେଣୁ ଭରଦ୍ବାଜ, ପ୍ରଫେସର ଦେବାଶିଷ ଭଟ୍ଟାଚାର୍ଯ୍ୟ ଜାଣିବାକୁ ଚାହିଥିଲେ। ସେଠାରେ ଉପସ୍ଥିତି କର୍ମଚାରୀମାନେ ସେମାନଙ୍କୁ ଟିକିନିଖି ବୁଝାଇଥିଲେ।
ଗସ୍ତର ଦ୍ବିତୀୟ ଦିନ ପରିଜା ପାଠାଗାରରୁ ଆରମ୍ଭ ହୋଇଥିଲା ନାକ୍ ପ୍ରତିନିଧି ଦଳର ପରିଦର୍ଶନ। ସକାଳୁ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ବରିଷ୍ଠ ଅଧିକାରୀ ରାଜ୍ୟର ସର୍ବପୁରାତନ ପାଠାଗାର ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରତୀକ ପରିଜା ଲାଇବ୍ରେରି ପରିଦର୍ଶନ ସମୟରେ ପ୍ରତିନିଧି ଦଳକୁ ସ୍ବାଗତ କରିଥିଲେ। ଏହାପରେ ପ୍ରତିନିଧି ଦଳର ସଦସ୍ୟମାନେ ପରିଜା ପାଠାଗାରର ଗୋଟି ଗୋଟି ବିଭାଗ ବୁଲି ଦେଖିଥିଲେ। କେଉଁ ବିଭାଗରେ କ’ଣ ସବୁ ପୁସ୍ତକ ରହିଛି, ସେ ବିଷୟରେ ଜାଣିବାକୁ ଚାହିଥିଲେ। ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମଧ୍ୟ କିଛି ସାମଗ୍ରୀକୁ ସୁସଜ୍ଜିତ ଭାବେ ରଖାଯାଇଥିଲା। ପାଠଗାରରେ ବୁଲିବା ସମୟରେ ସେମାନେ ବିରଳ ତାଳପତ୍ର ପୋଥି, ମହାତ୍ମା ଗାନ୍ଧୀଙ୍କ ହାତଲେଖା ଏକ ପୁସ୍ତକ ଦେଖି ଚକିତ ହୋଇଯାଇଥିଲେ। ଏଥିସହ ବହୁ ପ୍ରାଚୀନ ପୁସ୍ତକ, ପତ୍ରପତ୍ରିକା ଦେଖି ମଧ୍ୟ ଖୁସିବ୍ୟକ୍ତ କରିଥିଲେ। ଏହାପରେ ପରିଜା ଡିଜିଟାଲ ପାଠାଗାର ପରିଦର୍ଶନ କରି ଇ-ଲର୍ଣ୍ଣିଂ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ସେଠାରୁ ପ୍ରତିନିଧିଦଳର ସଦସ୍ୟମାନେ ୩ ଭାଗରେ ବିଭକ୍ତ ହୋଇ କ୍ୟାମ୍ପସର ବିଭିନ୍ନ ସ୍ଥାନକୁ ପରିଦର୍ଶନରେ ଯାଇଥିଲେ। ଜନସଂଖ୍ୟା ଗବେଷଣା କେନ୍ଦ୍ର, ଗୋପବନ୍ଧୁ ଛାତ୍ରାବାସ, ଫକୀର ମୋହନ ଛାତ୍ରାବାସ, କୁନ୍ତଳା କୁମାରୀ ଛାତ୍ରୀ ନିବାସ ପରିଦର୍ଶନ କରି ଅନ୍ତେବାସୀଙ୍କ ସହ ଆଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/465fs4h654sfsfhhf.jpg)