ସରୁନି ଦୟା ରିଂ ରୋଡ୍ ସେତୁ, ୪୦ଫୁଟ୍ ଲୁହା ଶିଡ଼ିରେ ବାଜି ଲାଗୁଛି ଜୀବନ
ବି ଚେତା ପଶୁନି, ଶୀଘ୍ର କାମ ସାରିବାକୁ ଦାବି
ଧଉଳି: ଧଉଳି ଶାନ୍ତିସ୍ତୂପ ନିକଟ ଦୟାନଦୀରେ ନିର୍ମିତ ଅଧାପନ୍ତରିଆ ବ୍ରିଜ୍ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଛି। ୪ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ବ୍ରିଜ୍ର କାମ ସରୁ ନଥିବା ବେଳେ ସ୍ଥାନୀୟ ଲୋକ ଏବେ ସେହି ଅଧାଗଢ଼ା ବ୍ରିଜ୍ରେ ଅତି ବିପଜ୍ଜନକ ଭାବେ ଯାତ୍ରା କରୁଛନ୍ତି। ଯାତାୟାତ ପାଇଁ ଅଲଗା ରାସ୍ତା ଥିଲେ ହେଁ ଏହି ବାଟ ଦେଇ ଲକ୍ଷ୍ୟସ୍ଥଳ ନିକଟ ହୋଇଥିବାରୁ ଅତି ବିପଦପୂର୍ଣ୍ଣ ଭାବେ ପ୍ରାୟ ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଶିଡ଼ି ଚଢ଼ି ବ୍ରିଜ୍ ପାର ହେଉଛନ୍ତି। ଟିକିଏ ଅସାବଧାନ ହେଲେ ନଦୀରେ ପଡ଼ି ଜୀବନ ଯାଇପାରେ।
କିନ୍ତୁ ଏଥିପ୍ରତି ନା ସେମାନଙ୍କ ଖାତିର୍ ଅଛି ନା ସେମାନଙ୍କୁ କିଏ ବାରଣ କରୁଛି। ଏହି କାରଣରୁ ୫ ଦିନ ତଳେ ଏଠାରେ ଜଣେ ବ୍ୟବସାୟୀଙ୍କ ଜୀବନ ଯାଇଛି। ଶାନ୍ତିସ୍ତୂପ ବଜାରରୁ ଦୋକାନ ବନ୍ଦ କରି ରାତିରେ ଫେରୁଥିବା ବେଳେ ଇଟିପୁର ଗ୍ରାମର ପ୍ରଦ୍ୟୁମ୍ନ ସ୍ବାଇଁ(୩୫)ଙ୍କ ଶିଡ଼ିରୁ ଖସି ମୃତ୍ୟୁ ହୋଇଥିଲା। ପରିବାରଲୋକ ବହୁ ଖୋଜାଖୋଜି କରିବା ପରେ ତାଙ୍କର କୌଣସି ସନ୍ଧାନ ନ ମିଳିବାରୁ ଧଉଳି ଥାନାରେ ଜଣାଇଥିଲେ। ପରଦିନ କଲ୍ୟାଣପୁର ନିକଟରୁ ତାଙ୍କ ମୃତଦେହ ଜବତ କରାଯାଇଥିଲା। ନଦୀସୂଅରେ ଶବ ଭାସି କଲ୍ୟାଣପୁରଠାରେ ଲାଗିଥିଲା। କିନ୍ତୁ ଏହା ପରେ ବି ବ୍ରିଜ୍ ନିର୍ମାଣ କରୁଥିବା ବିଭାଗ କିମ୍ବା ସଂପୃ୍କ୍ତ ଠିକାଦାରଙ୍କ ଚେତା ପଶୁନି।
ସୂଚନାଯୋଗ୍ୟ, ୨୦୧୮ ମସିହାରେ ଶାନ୍ତିସ୍ତୂପ ନିକଟସ୍ଥ କୁମାରଡିହ-ଇଟିପୁର ପାର୍ଶ୍ବରେ ଦୟା ରିଂ ରୋଡ୍ ବ୍ରିଜ୍ ନିର୍ମାଣ ନେଇ ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୨୮୦ ମିଟର ଲମ୍ବ ସାଢ଼େ ୧୧ ମିଟର ଚଉଡ଼ା ବିଶିଷ୍ଟ ଉକ୍ତ ବ୍ରିଜ୍ ନିର୍ମାଣ ଲାଗି ପ୍ରଥମ ପର୍ଯ୍ୟାୟରେ ପୂର୍ତ୍ତ ବିଭାଗ ପକ୍ଷରୁ ୧୭କୋଟି ଏବଂ ପରେ ବ୍ୟୟ ଅଟକଳ ଅନୁଦାନ ରାଶି ବଢ଼ି ୨୪ କୋଟିରେ ପହଞ୍ଚିଲାଣି। ୨୦୨୦ ମସିହା ସୁଦ୍ଧା କାମ ଶେଷ କରିବାକୁ କଣ୍ଟ ରହିଥିବା ବେଳେ ଏଯାବତ୍ କାମ ସରି ନାହିଁ।
ତେବେ ଏହି ବାଟ ଦେଇ ଇଟିପୁର, କୁମାରଡିହ ଏବଂ ଶାନ୍ତିସ୍ତୂପ ବଜାରକୁ ବାଟ କମ୍ ହୋଇଯାଇଥିବାରୁ ବ୍ୟବସାୟୀମାନେ ୪/୫ କିମି ଅଧିକ ବାଟ ବୁଲିବା ବଦଳରେ ଏହି ଅଧାଗଢ଼ା ବ୍ରିଜ୍ ଦେଇ ବିପଦପୂର୍ଣ୍ଣ ଭାବେ ଯାତାୟାତ କରିବାକୁ ଭୟ କରୁନାହାନ୍ତି। ଦିନବେଳା ବହୁ ସଂଖ୍ୟାରେ ବ୍ୟବସାୟୀ ଏଠାରେ ୪୦ ଫୁଟ୍ ଉଚ୍ଚତା ବିଶିଷ୍ଟ ଏକ ଲୁହା ଶିଡ଼ିରେ ଚଢ଼ି ଏହି ବ୍ରିଜ୍ ଉପରେ ଆରପଟକୁ ଯାଉଛନ୍ତି ଓ ଫେରୁଛନ୍ତି।
କୁମାରଡିହ ପାର୍ଶ୍ବରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେଉନଥିବାରୁ ବ୍ରିଜ୍ର ବାକି କାମ ସରିପାରୁନାହିଁ। ତେଣୁ ତୁରନ୍ତ ଏହି ବ୍ରିଜ୍ କାମ ସାରିବା ଓ କାମ ନ ସରିବା ପର୍ଯ୍ୟନ୍ତ ଏହି ବ୍ରିଜ୍ ଦେଇ ବିପଦପୂର୍ଣ୍ଣ ଯାତାୟାତ ଉପରେ ରୋକ୍ ଲଗାଇବା ପାଇଁ ସ୍ଥାନୀୟ ବୁଦ୍ଧିଜୀବୀମହଲରେ ଦାବି ହୋଇଛି।