ଦୟାୱେଷ୍ଟ୍‌ କେନାଲ୍ ରାସ୍ତା ମରଣଯନ୍ତା: ବର୍ଷକରେ ଭଙ୍ଗା ସାଇଫନ୍‌ ନେଲା ୩ ମୁଣ୍ଡ

ଚନ୍ଦ୍ରଶେଖରପୁର : ପଳାସୁଣୀ ଛକରୁ ବାରଙ୍ଗ ଦିଗକୁ ଲମ୍ବିଥିବା ଦୟାୱେଷ୍ଟ କେନାଲ ବନ୍ଧ ରାସ୍ତା ପାଲଟିଛି ମରଣଯନ୍ତା। ଏହି ବନ୍ଧରେ ଥିବା ଭଙ୍ଗା ସାଇଫନ୍‌ରେ ଗଳି ପ୍ରତିବର୍ଷ ୫/୬ ମୁଣ୍ଡ ଯାଉଛି। ଗତବର୍ଷ ୩ ଜଣଙ୍କ ପ୍ରାଣହାନି ଘଟିଛି। ଦୀର୍ଘ ବର୍ଷ ଧରି ସାଇଫନ୍‌ଗୁଡ଼ିକରେ ଥିବା ସୁରକ୍ଷା ଖମ୍ବ ମରାମତି ହେଉନଥିବାରୁ ଅନ୍ଧାରରେ ବାଇକ୍‌ ବା ସାଇକେଲ ଆରୋହୀମାନେ ତଳକୁ ଖସି ମୃତ୍ୟୁର ଶିକାର ହେଉଛନ୍ତି। ମାତ୍ର ରାସ୍ତା ନବୀକରଣ ଆଳରେ ଉକ୍ତ ସାଇଫନ୍‌ ଖମ୍ବଗୁଡ଼ିକ ମରାମତି କରାଯାଉନାହିଁ କି ଖମ୍ବସବୁକୁ ବଦଳାଇ ସ୍ଥାୟୀ ୱାଲ୍‌ କରାଯାଉନାହିଁ। ଫଳରେ ବର୍ଷ ବର୍ଷ ଧରି ଭଙ୍ଗା ସାଇଫନ୍‌ ଲୋକଙ୍କ ଜୀବନ ନେଉଛି।

ସୂଚନାଯୋଗ୍ୟ, ଏହି ରାସ୍ତା ହେଉଛି ୭୦ ବର୍ଷ ତଳର ପୁରୁଣା। ପାଞ୍ଚ ପଞ୍ଚାୟତ ଯଥା ବରିମୁଣ୍ଡ, ଦାଢ଼ା, କଳାରାହାଙ୍ଗ, କଲ୍ୟାଣପୁର, ରଘୁନାଥପୁରର ହଜାର ହଜାର ଅଧିବାସୀ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଅଧିକାଂଶ ବ୍ୟବସାୟୀ ଏହି ରାସ୍ତାରେ ଯାତାୟାତ କରନ୍ତି। ଏମିତିକି ଏବେ ରଙ୍ଗମାଟିଆ, ମଞ୍ଚେଶ୍ବର ଶିଳ୍ପାଞ୍ଚଳ, ପଟିଆ, ବାରଙ୍ଗ ଆଦି ଅଞ୍ଚଳର ଶହ ଲୋକ ମଧ୍ୟ ଜରୁରୀ ସମୟରେ ଏହି ରାସ୍ତା ଦେଇ ଯାତାୟାତ କରନ୍ତି। ବିଶେଷକରି ଭୁବନେଶ୍ବରରୁ କମ୍ ଦୂରତା‌ ହେଉଥିବା ଦୃଷ୍ଟିରୁ ବହୁ ‌ଲୋକ ଏହି ରାସ୍ତାକୁ ବ୍ୟବହାର କରନ୍ତି। ଏହି ରାସ୍ତାରେ ରହିଛି ୪ଟି ସାଇଫନ୍ ବ୍ରିଜ୍। ସାଇଫନ୍‌ ତଳେ ଯାଇଛି ଗଙ୍ଗୁଆ ନାଳ। ପଳାସୁଣୀ, ଚକେଇସିହାଣି, କାଳିଖମା ଓ କଳାଝରୀ ନିକଟରେ ରହିଛି ଏସବୁ ସାଇଫନ୍‌। କାଳିଖମା ସାଇଫନ୍ ସବୁଠାରୁ ଭୟଙ୍କର।

ପୂର୍ବରୁ ସାଇଫନ୍‌ଗୁଡ଼ିକରେ ସାଇଡ୍‌ ୱାଲ୍‌ କରିବା ବଦଳରେ କେବଳ ସିମେଣ୍ଟ ଖମ୍ବ ନିର୍ମାଣ କରାଯାଇଥିଲା। ମାତ୍ର ବର୍ଷ ବର୍ଷ ଧରି ଉକ୍ତ ଖମ୍ବକୁ ମରାମତି ନକରିବାରୁ ସେଗୁଡ଼ିକ କାଳକ‌୍ରମେ ଦୁର୍ବଳ ‌ହୋଇ ଭାଙ୍ଗିଗଲାଣି। ସେହିଭଳି ବହୁ ସମୟରେ ଭାରୀଯାନ ଚଳାଚଳ ହେବା ଦ୍ବାରା ଉକ୍ତ ସିମେଣ୍ଟ ଖମ୍ବ ଗୁଡ଼ିକ ଭାଙ୍ଗି ଗଲାଣି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା ନାହିଁ। ତେଣୁ ରାତିରେ ପୂରା ଅନ୍ଧାରରେ ଲୋକେ ଯାତାୟାତ କରୁଛନ୍ତି। ରାତିରେ ବର୍ଷାଦିନେ ଏହି ସାଇଫନ୍‌ ସବୁ ଅଧିକ ବିପଜ୍ଜନନକ ହୋଇପଡ଼ୁଛି। କେହି ସାଇଫନ୍‌ରୁ ତଳକୁ ଖସିଲେ, ପ୍ରାୟ ୫୦ ଫୁଟ୍‌ ତଳକୁ ଖସି ଗଙ୍ଗୁଆରେ ପଡ଼ିବ। ତେଣୁ ମୃତ୍ୟୁ ସୁନିଶ୍ଚିତ। ୨୦୨୧ ମସିହାରେ ଏହି ରାସ୍ତାରେ ୩ଜଣଙ୍କ ମୃତ୍ୟୁ ଘଟିଛି। ଏମିତି ପ୍ରତିବର୍ଷ ପାଖାପାଖି ୫/୬ ଜଣଙ୍କର ମୃତ୍ୟୁ ହେଉଛି। ଏନେଇ ବିଭାଗୀୟ ଜଣେ ଅଧିକାରୀଙ୍କ କହିବା କଥା ନୂଆ ଭୁବନେଶ୍ବର ‌ରେଳ‌ ଷ୍ଟେସନ୍ ପାଇଁ ଏହି କେନାଲ ରାସ୍ତା ନବୀକରଣ ହେବ। ଖୁବ୍‌ ଶୀଘ୍ର ଏହି ରାସ୍ତା ପ୍ରଶସ୍ତିକରଣ ହେବାକୁ ଯାଉଛି। ତେଣୁ ପୁରୁଣା ରାସ୍ତାରେ ମରାମତି କରାଯାଇପାରୁନାହିଁ।

ଗତବର୍ଷର ଦୁର୍ଘଟଣା
ଫେବ୍ରୁଆରି ୨୬: ଦାଢ଼ା ଅଞ୍ଚଳର ପରିବା ବ୍ୟବସାୟୀ ଅରୁଣ ପାତ୍ର ରାତିରେ ବାଇକ୍ ନେଇ ଗାଁକୁ ଫେରୁଥିବା ବେଳେ କାଳିଖମା ସାଇଫନ୍ ବ୍ରିଜ୍‌ରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲେ। ୫୦ ଫୁଟ୍‌ ତଳେ ଗଙ୍ଗୁ୍ଆ ନାଳ ପଙ୍କରେ ପଡ଼ି ଆଉ ଉଠି ପାରିନଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଅଗଷ୍ଟ ୧୭: ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାର ଅଞ୍ଚଳର ଡେଲିଭରି ବୟ ଭାବରେ କାର୍ଯ୍ୟ କରୁଥିବା କୌଳାସ ପରିଡ଼ା ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ। ରସୁଲଗଡ଼ରୁ ଜୟଦେବବିହାର ଦେଇ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଥିବାରୁ କୈଳାସ ଏହି କେନାଲ ବନ୍ଧରେ ଘରକୁ ଫେରୁଥିଲେ। ମାତ୍ର ଅନ୍ଧାରରେ ବାଟ ଜାଣିନପାରି କଳାଝରୀ ସାଇଫନ୍ ବ୍ରିଜ୍‌ରୁ ସେ ତଳକୁ ଗଳିପଡ଼ିଥିଲେ। ବାଇକ୍‌ ସହ ପାଣି ଭିତରେ ପଡ଼ି ରାତି ସାରା ଛଟପଟ ହୋଇଥିଲେ। ସକାଳେ ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ପୁଲିସ ସହାୟତାରେ ହସ୍ପିଟାଲ୍ ପଠାଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଡିସେମ୍ବର ୩୦: ପଟିଆ ଅଞ୍ଚଳର ଶଶିକାନ୍ତ ସିଂ ବିଳମ୍ବିତ ରାତିରେ ଏହି ରାସ୍ତାରେ ଘରକୁ ଫେରୁଥିଲେ। କିନ୍ତୁ ଚକେଇସିହାଣି ସାଇଫନ୍ ବ୍ରିଜ୍‌ରେ ସେ ତଳକୁ ଖସି ପଡ଼ିଥିଲେ। ତଳେ ଗଙ୍ଗୁଆ ନାଳ ପଙ୍କରେ ପୋତି ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ସକାଳେ ତାଙ୍କ ମୃତଦେହ ଗଙ୍ଗୁଆ ନାଳ ପଙ୍କରୁ ଠାବ କରାଯାଇଥିଲା।

ସମ୍ବନ୍ଧିତ ଖବର