ବିପଦକୁ ବେଖାତିର

ଦୟା ନଦୀ ଜଳ ‘ବିଷାକ୍ତ’ କେବଳ ଘୋଷଣାରେ

ଧଉଳି ପାଦଦେଶ ଦେଇ ବୋହି ଯାଇଥିବା ଇତିହାସର ରକ୍ତ ନଦୀ ‘ଦୟା’ ଏବେ ପାଲଟିଛି ବିଷ ନଦୀ। ଏହି ନଦୀର ଜଳ ଏମିତି ଜହର ପାଲଟି ଯାଇଛି ଯେ ପିଇବା ତ ଦୂରର କଥା, ଗାଧୋଇବା ଉପଯୋଗୀ ବି ହୋଇ ରହିନାହିଁ। ଯେଉଁଥିପାଇଁ ରାଜ୍ୟ ସରକାର ନିକଟରେ ଏହି ନଦୀର ଜଳକୁ ‘ବିଷାକ୍ତ’ ଘୋଷଣା କରିଛନ୍ତି। ନଦୀ ଜଳ ବ୍ୟବହାର କରିବା ଉପରେ କଟକଣା ଜାରି କରିଛନ୍ତି। କିନ୍ତୁ ତାହାକୁ ମାନିବାକୁ କେହି ପ୍ରସ୍ତୁତ ନୁହଁନ୍ତି। ନଦୀ ତଟବର୍ତୀ ଅଞ୍ଚଳର ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ନଦୀର ଜଳକୁ ବ୍ୟବହାର କରୁଛନ୍ତି। କଟକଣା କେବଳ ଘୋଷଣାରେ ଅଟକି ରହିଛି। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ କିଛି କରାଯାଉ ନ ଥିବାବେଳେ ନଦୀ ଜଳକୁ ବ୍ୟବହାର ଉପଯୋଗୀ କରିବା ପାଇଁ ବି କିଛି ପଦକ୍ଷେପ ନିଆଯାଉ ନାହିଁ। ସବୁ ଜାଣି ଚୁପ୍‌ ହୋଇ ବସି ରହିଛନ୍ତି ସମସ୍ତେ। ବିପଦର ସମସ୍ତ ଆଶଙ୍କା ସତ୍ତ୍ୱେ ଏହି ନଦୀର ବିଷାକ୍ତ ଜଳକୁ କେମିତି ସ୍ଥାନୀୟ ଲୋକ ଓ ବାହାରୁ ଆସୁଥିବା ପର୍ଯ୍ୟଟକ ବିନ୍ଦାସ୍‌ ବ୍ୟବହାର କରି ଚାଲିଛନ୍ତି, ତାହା ଆଖିରେ ନ ଦେଖିଲେ ବିଶ୍ୱାସ କରିହେବ ନାହିଁ।

ନଈ ପାଣିରେ ରୋଷେଇ

ପ୍ରଶାସନର ଘୋଷଣା ପରେ ବି ନଦୀ କୂଳରେ ବସବାସ କରୁଥିବା ୨୨୦ରୁ ଅଧିକ ଗାଁ ଲୋକେ ଏବେ ବି ଦୟାର ବିଷାକ୍ତ ଜଳରେ ରୋଷେଇ କରୁଛନ୍ତି। ଏଥିପ୍ରତି କାହାର ବି ନିଘା ନାହିଁ। ଶନିବାର ଭୋର ୬ଟାରେ ‘ସମ୍ବାଦ’ ଟିମ୍‌ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ନାଥପୁରର ୧୦ରୁ ଅଧିକ ମହିଳା ହାଣ୍ଡି, ଗରା, ବାଲଟି ଧରି ନଦୀ କୂଳରେ ପହଞ୍ଚିଥିଲେ। ଗାଧୋଇ ସାରିବା ପରେ ନଦୀର ପାଣି ନେଇ ଘରକୁ ଯାଉଥିଲେ। ଏନେଇ ସେମାନଙ୍କୁ ପଚାରିବାରୁ କହିଥିଲେ ଯେ କେଉଁ କାଳରୁ ଏହି ନଦୀ ଜଳ ଉପରେ ଆମ ପରିବାର ନିର୍ଭର କରୁଛୁ। ସରକାର କ’ଣ ଘୋଷଣା କରିଛନ୍ତି ଆମେ ଜାଣିନୁ। ଜଳ ସଫା ଦେଖା ଯାଉଥିବାରୁ ତାହାକୁ ବ୍ୟବହାର କରୁଛୁ। ଆଜି ଯାଏ କାହାର କିଛି ହୋଇ ନାହିଁ। ଗାଈଗୋରୁ ବି ଏହି ପାଣି ପିଉଛନ୍ତି ବୋଲି ସେମାନେ କହିଥିଲେ। ନଦୀ କୂଳେ କୂଳେ ୨୦ କି.ମି. ଯିବା ବେଳେ ଅନେକ ଗ୍ରାମବାସୀ ନଦୀ ଜଳ ନେଉଥିବା ଦେଖିବାକୁ ମିଳିଥିଲା। ଡେଲାଙ୍ଗ ଏବଂ କଣାସ ଅଞ୍ଚଳରେ ଭୂଗର୍ଭସ୍ଥ ଜଳ କ୍ଷାର ଯୁକ୍ତ ଥିବାରୁ ଏହି ଅଞ୍ଚଳବାସୀ ନଦୀ ଜଳକୁ ଏବେ ବି ବ୍ୟବହାର କରୁଛନ୍ତି।

ଜମିରେ ମାଡ଼ୁଛି ଜହର ଜଳ

ଦୟା ନଦୀର ଉଭୟ ପାର୍ଶ୍ୱରେ ବାସ କରୁଥିବା ଚାଷୀ ଏହି ବିଷାକ୍ତ ଜଳକୁ କୃଷି କର୍ଯ୍ୟରେ ବ୍ୟବହାର କରୁଛନ୍ତି। ଏହି ଜଳ ପ୍ରାୟ ୧୨ ହଜାର ହେକ୍ଟର ଜମିରେ ମାଡ଼ୁଛି। ୧୨ ହଜାରରୁ ଅଧିକ ପରିବାର ଲୋକେ ରବି ଏବଂ ଖରିଫ ଫସଲ ଚାଷ କରି ପରିବାର ପୋଷଣ କରୁଛନ୍ତି। ବିଶେଷକରି ପନିପରିବା, ଆଖୁ ଚାଷ ଲାଗି ଏବେ ଚାଷୀମାନେ ବଡ଼ ବଡ଼ ପମ୍ପ୍‌ ସହାୟତାରେ ସେମାନଙ୍କ ଜମିକୁୁ ଜଳ ମଡ଼ାଉଛନ୍ତି। କୁରୁକ୍ଷୀଗୁଣ୍ଡିଆଠାରେ ଦୟା ନଦୀରେ ଗଙ୍ଗୁଆ ଜଳ ମିଶିବା ପରେ ପାଣି ଆହୁରି ବିଷାକ୍ତ ହୋଇଯାଇଛି। ତାହାକୁ ବି ଜମିରେ ମଡ଼ାଯାଉଛି। ଜମିରେ ବିଷାକ୍ତ ପାଣି ମାଡ଼ିବା ଦ୍ୱାରା ତାହା ଦ୍ୱାରା ଚାଷୀଙ୍କ ଗୋଡ଼ କୁଣ୍ଡାଇ ହେବା ସହ ଚର୍ମ ରୋଗ ଦେଖା ଦେଉଛି।

ବ୍ୟାପୁଛି ରୋଗ

ସହରରୁ ନିର୍ଗତ ଆବର୍ଜର୍ନାରେ ବହୁଳ ମାତ୍ରାରେ ଫ୍ଲୋରାଇଡ୍‌, ଲୁହା, ଜିଙ୍କ୍‌ ଭଳି କ୍ଷତିକାରକ ଖଣିଜ ପଦାର୍ଥ ସାଙ୍ଗକୁ ରୋଗ ସୃଷ୍ଟିକାରୀ ଜୀବାଣୁ ରହିଛନ୍ତି। ଏହାଦ୍ୱାରା ନଦୀ ଜଳ ଦୂଷିତ ହେବା ସହ ଆଖ ପାଖ ଅଞ୍ଚଳର ଭୂତଳ ଜଳକୁ ଦୂଷିତ କରୁଛି। ଆଉ ଏହି ପ୍ରଦୂଷିତ ଜଳରେ ଗାଧୋଇବା ଯୋଗୁଁ ଛୋଟ ପିଲା ଚର୍ମ ରୋଗ, ଜ୍ୱର, କାଶ ଆଦି ଭୋଗୁଥିବା ବେଳେ ବୟସ୍କଙ୍କୁ ଗ୍ୟାସଟି୍ରକ୍‌, ପେଟ ରୋଗ, ଶ୍ୱାସ, କିଡ୍‌ନି ରୋଗ, କ୍ୟାନସର, ତରଳ ଝାଡା, ଟାଇଫଏଡ୍‌, ଚର୍ମରୋଗ ଇତ୍ୟାଦି ହେଉଛି। ବିଶେଷ କରି ବର୍ଷା ଦିନେ ରୋଗ ଅଧିକ ବ୍ୟାପୁଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ଦୟାକୁ ବିଷାକ୍ତ କରୁଛି ଗଙ୍ଗୁଆ

ଭୁବନେଶ୍ୱର ସହର ମଧ୍ୟରେ ପ୍ରବାହିତ ୯ଟି ପ୍ରାକୃତିକ ନାଳର ଆବର୍ଜନା ଗଙ୍ଗୁଆକୁ ପ୍ରଦୂଷିତ କରୁଥିବାବେଳେ ଗଙ୍ଗୁଆ ପାଣି ଦୟା ନଦୀରେ ମିଶି ଦୟାକୁ ପ୍ରଦୂଷିତ କରୁଛି। ଯେଉଁ ସ୍ଥାନରେ ଗଙ୍ଗୁଆ ଦୟା ନଦୀରେ ମିଶିଛି ସେଠାରେ ମଧ୍ୟ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ ୧୦ରୁ ୧୨ ଫୁଟ୍‌ ପାଣି ରହିଛି। ଏହାର କିଛି ଦୂରରେ କମ୍‌ ପାଣି ରହିଥିଲେ ମଧ୍ୟ ଲୋକେ ନଦୀ ପାଣିରେ ପଶିଯିବାକୁ ଡରୁଛନ୍ତି।

ବିଷାକ୍ତ ପାଣିରେ ଆଖୁଧୁଆ

ରାଜଧାନୀର ବଜାରକୁୁ ବିକ୍ରି ହେବା ଲାଗି ଆସୁଥିବା ପନିପରିବା, ଆଖୁ ଆଦି ଏହି ନଦୀର ବିଷାକ୍ତ ଜଳରେ ଧୁଆ ହେଉଛି। ନଦୀ କୂଳରେ ଚାଷ କରିଥିବା ଚାଷୀ ବିଡ଼ା ବିଡ଼ା ଆଖୁ କାଟି ଏହି ପାଣିରେ ପକାଉଛନ୍ତି। ୨ରୁ ୩ ଘଣ୍ଟା ଧରି ଆଖୁ ପାଣିରେ ପଡ଼ିବା ପରେ ତାହାକୁ ନେଇ ସହରରେ ବିକ୍ରି କରୁଛନ୍ତି। ସେହି ଆଖୁ ରସକୁ ଲୋକେ ବି ପିଉଛନ୍ତି। ନାଥପୁରଠାରୁ ଆରମ୍ଭ କରି ବାରିମୂଳ ପର୍ଯ୍ୟନ୍ତ ନଦୀ କୂଳରେ ଆଖୁଚାଷ ହେଉଥିବା ଆଖୁ ସବୁ କଟା ହୋଇ ନଦୀ ପାଣିରେ ପଡ଼ୁଛି। କେବଳ ସେତିକି ନୁହେଁ।, ନଦୀ ପଠାରେ ଶାଗ, ବାଇଗଣ, ମୂଳା ପରି ପନିପରିବା ଚାଷ କରୁଥିବା ଚାଷୀମାନେ ବି ତାହାକୁ ଏହି ପାଣିରେ ଧୋଇ ବଜାରକୁ ବିକ୍ରି କରିବାକୁ ଆଣୁଛନ୍ତି।

ଗାଧୋଉଛନ୍ତି ପର୍ଯ୍ୟଟକ

ଦୟା ନଦୀର ଜଳ ଏବେ ଖାଲି ଆଖିକୁ କଳା ଦେଖାଯାଉଛି। ତଥାପି ‘ଧଉଳି’କୁ ବୁଲି ଆସୁଥିବା ଶହ ଶହ ପର୍ଯ୍ୟଟକ ପ୍ରତିଦିନ ଏହି ନଦୀର ବିଷାକ୍ତ ଜଳରେ ସ୍ନାନ କରୁଛନ୍ତି। ଏ ନେଇ କେହି ବି ସଚେତନ କରୁନାହାନ୍ତି। ସରକାରୀ ବାବୁମାନେ ସବୁ ଜାଣି ଚୁପ୍‌ ବସିଥିବା ବେଳେ ସ୍ୱେଚ୍ଛାସେବୀ ସଙ୍ଗଠନ କିମ୍ବା ସ୍ଥାନୀୟ ଲୋକେ ବି ଏ ନେଇ ମୁହଁ ଖୋଲୁ ନାହାନ୍ତି। ଏପରିକି ନଦୀ କୂଳରେ ଭୋଜି କରୁଥିବା କେତେକ ପର୍ଯ୍ୟଟକ ଏହି ନଦୀ ପାଣି ନେଇ ରୋଷେଇ କରୁଥିବା ଦେଖିବାକୁ ମିଳୁଛି। ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପର୍ଯ୍ୟଟକମାନେ ଏହି ଘାଟରେ ଗାଧୋଉଛନ୍ତି। ପ୍ରଶାସନ ପକ୍ଷରୁ ନଦୀ ଜଳ ବିଷାକ୍ତ ବୋଲି ସୂଚନା ଫଳକଟିଏ ମଧ୍ୟ ଲଗାଯାଇ ନାହିଁ।

ସମ୍ବନ୍ଧିତ ଖବର