ଭୁବନେଶ୍ବର: ଦୟାୱେଷ୍ଟ କେନାଲ ଦୁଇ କଡ଼ ଦେଇ ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ସର୍ଭେ ଆରମ୍ଭ ହୋଇଛି। ବାରଙ୍ଗଠାରୁ ଜଟଣୀ ପର୍ଯ୍ୟନ୍ତ ପ୍ରାୟ ୩୮ କିମି କେନାଲର ଉଭୟ ପାର୍ଶ୍ବରେ ‘ନିଶ୍ବାସ’(ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ୱାର୍କ ଆଣ୍ଡ ସୋସିଆଲ ସାଇନ୍ସ) ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ସର୍ଭେ ଆରମ୍ଭ କରିଛନ୍ତି। ପ୍ରଥମ ଦିନରେ ୧୦୦ରୁ ଊର୍ଦ୍ଧ୍ବ ଘରର ସର୍ବେକ୍ଷଣ ହୋଇଛି। ତା’ ସହିତ ପାଖାପାଖି ଅଞ୍ଚଳର ମଧ୍ୟ ସର୍ଭେ କରାଯାଇଛି। ସକାଳ ୯ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଫର୍ମାଟ୍ରେ ଏହି ଛାତ୍ରଛାତ୍ରୀମାନେ ତଥ୍ୟ ସଂଗ୍ରହ କରିଛନ୍ତି। ଏଭଳି ୭ ଦିନ ପର୍ଯ୍ୟନ୍ତ ସର୍ଭେ ଚାଲିବ ବୋଲି ଜଣାପଡ଼ିଛି। ୭ ଦିନ ମଧ୍ୟରେ ସର୍ଭେ ନ ସରିଲେ ଏହି କାର୍ଯ୍ୟକୁ ପରିବର୍ଦ୍ଧିତ କରାଯିବା ନେଇ ଯୋଜନା ହେବ ବୋଲି କୁହାଯାଉଛି। ଏଥିପାଇଁ ବିଡିଏ ୭ଟି ଟିମ୍ ଗଠନ କରିଛି। ଟିମ୍ର ସଦସ୍ୟମାନେ ସର୍ଭେ କରୁଥିବା ଛାତ୍ରଛାତ୍ରୀଙ୍କ ସହ ରହୁଛନ୍ତି। ତେବେ ପ୍ରଥମ ଦିନରେ କୌଣସି ପ୍ରକାରର ବିଶୃଙ୍ଖଳା ହୋଇନଥିବା ଜଣାପଡ଼ିଛି।
୩୮ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଉଭୟପାର୍ଶ୍ବରେ ରହିଥିବା ବାସିନ୍ଦାଙ୍କର ସର୍ଭେ ହୋଇ ତଥ୍ୟ ସଂଗ୍ରହ କରାଯିବ। ପରିବାର ସଦସ୍ୟଙ୍କ ସଂଖ୍ୟା ଓ ଆର୍ଥିକ ସ୍ଥିତି ସମେତ ସମସ୍ତ ତଥ୍ୟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ବସ୍ତି ରହିଥିଲେ ସେଗୁଡ଼ିକୁ ଉଚ୍ଛେଦ କରାଯିବା ସହ ବସ୍ତିବାସିନ୍ଦାମାନଙ୍କର ସ୍ଥିତାବସ୍ଥା ଯାଞ୍ଚ କରାଯିବ। ଯଦି କୌଣସି ସରକାରୀ ଯୋଜନାରେ ସାମିଲ୍ ହୋଇନଥାନ୍ତି ତେବେ ସେମାନଙ୍କୁ ଥଇଥାନ କରାଯିବ। କେହି ସରକାରୀ ଜମି ମାଡ଼ି ବସିଥିଲେ ସେ ସବୁକୁ ଉଚ୍ଛେଦ କରାଯିବ। ୭ ଦିନ ଭିତରେ ସର୍ବେକ୍ଷଣ ଶେଷ ହେବା ପରେ ରାସ୍ତା ନିର୍ମାଣ ଆରମ୍ଭ ହେବ ବୋଲି ସୂଚନା ମିଳିଛି।