ଭୁବନେଶ୍ବର: ମୁଣ୍ଡ ଉପରେ ମୌସୁମୀ। ତଥାପି ଶୋଇଛନ୍ତି ଭୁବନେଶ୍ବର ମହାନଗର ନିଗମ(ବିଏମ୍ସି) କର୍ତ୍ତୃପକ୍ଷ। ଅଦ୍ୟାବଧି ଭୁବନେଶ୍ବର ସହର ଭିତର ଡ୍ରେନ୍ ପୂର୍ଣ୍ଣମାତ୍ରାରେ ସଫା ହୋଇନି। ସେପଟେ ପୂର୍ତ୍ତ ବିଭାଗ ଭୁବନେଶ୍ବର ମହାନଗର ନିଗମ ଭିତରେ ଥିବା ୩୬୦ କିଲୋମିଟରର ନାଳରେ ହାତ ମାରିନି। ଏଭଳି ସ୍ଥିତିରେ ସହରର ପ୍ରାକୃତିକ ନାଳ, ବୋଝ ଉପରେ ନଳିତା ବିଡ଼ା ହେବାକୁ ଯାଉଛି। ବର୍ଷା ବେଳେ ସହର ପାଇଁ ବରଦାନ ସାଜୁଥିବା ପ୍ରାକୃତିକ ନାଳ ଅଦ୍ୟାବଧି ସଫା କରାଯାଇନି କି ଜବରଦଖଲମୁକ୍ତ କରାଯାଇନି। ସହରର ବର୍ଷାଜଳ ନିଷ୍କାସନରେ ପ୍ରମୁଖ ଭୂମିକା ତୁଲାଉଥିବା ଦୟା ୱେଷ୍ଟ୍ କେନାଲ୍ ଓ ଗଙ୍ଗୁଆ ନାଳ ଏବେ ବି ଆବର୍ଜନାରେ ପୋତି ହୋଇରହିଛି। ସବୁଠି ଜବରଦଖଲ ସାଙ୍ଗକୁ ଦଳ ଓ କୁଢ଼କୁଢ଼ ଆବର୍ଜନା। ଯାହା ଆଗାମୀ ମୌସୁମୀ ବର୍ଷାରେ ଭୁବନେଶ୍ବରବାସୀଙ୍କୁ କନ୍ଦାଇବାକୁ ଯାଉଛି।
ସିଏଜି ବି ତାଙ୍କ ରିପୋର୍ଟରେ ପ୍ରାକୃତିକ ନାଳର ଜବରଦଖଲ, ଆବର୍ଜନାକୁ ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଦୟା ୱେଷ୍ଟ କେନାଲ୍ ଓ ଗଙ୍ଗୁଆ ନାଳ ଦିନକୁ ଦିନ ସଂକୁଚିତ ହେଉଥିବା ବେଳେ ପ୍ରାୟ ୩୦ ଫୁଟ ଓସାରର ଏହି ନାଳରୁ ୫ରୁ ୭ ଫୁଟ୍ ଜବରଦଖଲକୁ ଚାଲିଗଲାଣି ବୋଲି ଫଟୋଚିତ୍ର ସମ୍ବଳିତ ତଥ୍ୟଭିତ୍ତିକ ରିପୋର୍ଟ ଦେଇ ଏହାକୁ ଜବରଦଖଲମୁକ୍ତ କରିବାକୁ କହିଥିଲେ। ସହରର ଆବର୍ଜନା ବି ଏହାର ଗତିରୋଧ କରୁଥିବା କହିଥିଲେ। କିନ୍ତୁ ସେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ହେଉ କି ବିଏମ୍ସି, ସମସ୍ତେ ଚୁପ୍ ହୋଇ ବସିଛନ୍ତି। ଯାହା ଭୁବନେଶ୍ବରବାସୀଙ୍କୁ ଆଗାମୀ ମୌସୁମୀରେ ଜଳମଗ୍ନ କରିବାର ଆଶଙ୍କା ସୃଷ୍ଟି କରିଛି। ନିକଟରେ ମୁଖ୍ୟ ଶାସନ ସଚିବ ଏହା ଉପରେ ସମୀକ୍ଷା କରି ନାଳ ଅବରୋଧମୁକ୍ତ କରିବାକୁ କହିଛନ୍ତି। ମେୟର ସୁଲୋଚନା ଦାସ କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୦ କୋଟି ଟଙ୍କା ଦେବେ। ନଗର ଉନ୍ନୟନ ବିଭାଗ ୩୦ କୋଟି ଟଙ୍କା ଦେଇଛନ୍ତି। ଏଥିରେ ଆର୍ସିସି ୱାଲ୍ କରି ସହରାଞ୍ଚଳ ବନ୍ୟା ସମସ୍ୟା ଦୂର କରାଯିବ ବୋଲି କହିଛନ୍ତି। କିନ୍ତୁ ଅଧିକାରୀମାନେ କେତେଦୂର ଏହା କରୁଛନ୍ତି ଦେଖିବାକୁ ବାକି ରହିଛି।
ସବୁଠି ଜବରଦଖଲ, ଦଳ ଓ ଆବର୍ଜନା
ଅବରୋଧମୁକ୍ତ କରିବାକୁ ସିଏଜି ଦେଇଥିଲେ ରିପୋର୍ଟ
ଭୁବନେଶ୍ବର ମହାନଗର ନିଗମର ସବୁ ବର୍ଷା ଓ ବର୍ଜ୍ୟଜଳ କୁଆଖାଇ ଓ ଦୟାରେ ମିଶୁଛି। ବିଏମ୍ସି ତଥ୍ୟ ମୁତାବକ, ପଟିଆ, ସୈନିକ ସ୍କୁଲ, ଓଏପି, ବାଣୀବିହାର, ଲକ୍ଷ୍ମୀସାଗର, ବଡ଼ଗଡ଼, କେଦାରଗୌରି, ଏୟାରପୋର୍ଟ, ଘାଟିକିଆ, ନିକୋ ପାର୍କ ଅଞ୍ଚଳରେ ପ୍ରାୟ ୭୭ କିଲୋମିଟରର ୧୫ଟି ପ୍ରାକୃତିକ ନାଳ ବର୍ଷା ସମୟରେ ଉଦ୍ବୃତ୍ତ ଜଳ ନିଷ୍କାସନରେ ପ୍ରମୁଖ ଭୂମିକା ତୁଲାଇ ଆସୁଛି। ଯାହାର ପାଣି ଦୟା ୱେଷ୍ଟ୍ କେନାଲ୍ ଓ ଗଙ୍ଗୁଆ ନାଳ ଦେଇ କୁଆଖାଇ ଓ ଦୟାରେ ମିଶୁଛି। ଅଧିକାଂଶ ବର୍ଜ୍ୟଜଳ ଗଙ୍ଗୁଆ ନାଳ ଜରିଆରେ ନିଷ୍କାସିତ ହେଉଛି। ଯାହା ସହରବାସୀଙ୍କୁ ବନ୍ୟା ଭଳି ସ୍ଥିତିରୁ ସୁରକ୍ଷା ଦେଇ ଆସୁଥିଲା। କିନ୍ତୁ ଦୟା ୱେଷ୍ଟ କେନାଲ୍, ଗଙ୍ଗୁଆ ନାଳ ସହ ୧୫ ପ୍ରାକୃତିକ ନାଳ କ୍ରମେ ପୋତି ହୋଇଗଲାଣି। ସହରର ଆବର୍ଜନା ଏହା ଭିତରେ ପଡ଼ୁଛି। ଏହା ସହରାଞ୍ଚଳ ବନ୍ୟାର ପ୍ରମୁଖ କାରଣ ସାଜୁଛି। ଏବେ ବି ଜିଜିପି କଲୋନି, କେଶୁରା, ଝାରପଡ଼ା, ପଳାଶୁଣି, ଚକେଇଶିଆଣି ଆଦି ଅଞ୍ଚଳରେ ପ୍ରାକୃତିକ ନାଳ ଅବରୋଧ ହୋଇ ରହିଛି।
୩୪.୮୬ କିଲୋମିଟରର ଦୟା ୱେଷ୍ଟ୍ କେନାଲ୍ ଭୁବନେଶ୍ବର ମହାନଗର ନିଗମରେ ୧୬.୧୦ କିଲୋମିଟର ବ୍ୟାପ୍ତ ଓ ଏହା କାଳିଖମାରୁ ବାହାରି ସୁନ୍ଦରପଦାରେ ଶେଷ ହୋଇଛି। ସେହିଭଳି ଖୋର୍ଦ୍ଧା ଜିଲ୍ଲା ଗାଡ଼କଣଠାରୁ ବାହାରି ପୁରୀ ଜିଲ୍ଲା ପିପିଲି ବ୍ଲକ କଣ୍ଟି ବିରିମୁଳଠାରେ ଶେଷ ହୋଇଥିବା ଗଙ୍ଗୁଆ ନାଳର ଲମ୍ବ ୩୫.୭ କିଲୋମିଟର ଓ ପ୍ରାୟ ୩୧ କିଲୋମିଟର ନାଳ ଭୁବନେଶ୍ବର ମହାନଗର ନିଗମ ଦେଇ ଯାଇଛି। ନିକଟରେ ସିଏଜି ଏବଂ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ରିପୋର୍ଟରେ କହିଥିଲେ, ଭୁବନେଶ୍ବର ମହାନଗର ନିଗମର ୧୧ଟି ନାଳ ଦୟା ୱେଷ୍ଟ କେନାଲ୍ରେ ମିଶିଥିବା ବେଳେ ବାକି ନାଳ ଗଙ୍ଗୁଆରେ ମିଶିଛି। କିନ୍ତୁ ଅନେକ ୱାର୍ଡରେ ବର୍ଜ୍ୟଜଳ ନିଷ୍କାସନ ହୋଇପା ନପାରି ରାସ୍ତାରେ ଭାସୁଛି। ଏହାର କାରଣ ନାଳ ସଫାରେ ଅବହେଳା ବୋଲି ଦର୍ଶାଯାଇଛି। ଅପରପକ୍ଷେ ଏଥିରେ ଛଡ଼ାଯାଉଥିବା ନାଳପାଣି ବିଶୋଧନ ହେଉନଥିବାରୁ ଏହା ଦୟା ଓ କୁଆଖାଇକୁ ବିଷାକ୍ତ କରୁଛି ବୋଲି ବି ରିପୋର୍ଟରେ କୁହାଯାଇଛି।