ଆବର୍ଜନା କୁଣ୍ଡ ପାଲଟିଛି ଦୟାୱେଷ୍ଟ କେନାଲ୍‌

ବେଧଡ଼କ ପୋତା ଚାଲିଛି, ପ୍ରଶାସନର ନିଘା ନାହିଁ

ଭୁବନେଶ୍ୱର: ଦିନେ ରାଜଧାନୀ ଉପକଣ୍ଠରେ କୃଷକଙ୍କ ଜୀବନରେଖା ପାଲଟିଥିବା ଦୟାୱେଷ୍ଟ କେନାଲ୍‌ ଆଜି ମୃତପ୍ରାୟ। ଏହି କେନାଲ୍‌ ଏବେ ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଭୁବନେଶ୍ବର ସହରର ଆବର୍ଜନାରେ ଏହି କେନାଲ୍‌ ପୋତି ହୋଇଗଲାଣି। ଜବରଦଖଲ ଯୋଗୁଁ ବହୁ ସ୍ଥାନରେ କେନାଲ ସଂକୁଚିତ ହୋଇଗଲାଣି। ଅନାବନା ଗଛ ଓ ଦଳ ବି ମାଡ଼ି କେନାଲର ଅସ୍ତିତ୍ବ ଲୋପ ପାଇଗଲାଣି। ମାତ୍ର ପରିତାପର କଥା, ପ୍ରଶାସନର ଏଥିପ୍ରତି ନିଘା ନାହିଁ।

ବାରଙ୍ଗଠାରୁ ବାହାରିଥିବା ଏହି କେନାଲ ଜଟଣୀ ରଥିପୁରଠାରେ ଶେଷ ହୋଇଛି। ୩୨ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି କେନାଲରୁ ୧୪ କିଲୋମିଟର ଭୁବନେଶ୍ବର ଚକେଇସିଆଣି, ପଳାସୁଣି, ଜିଜିପି କଲୋନି, ଲକ୍ଷ୍ମୀସାଗର, ଝାରପଡ଼ା, ବଡ଼ଗଡ଼, ବ୍ରହ୍ମେଶ୍ୱର ପାଟଣା, ଗ୍ୟାରେଜ୍‌ ଛକ, ସାମନ୍ତରାପୁର ଅଞ୍ଚଳ ଦେଇ ପ୍ରବାହିତ ହୋଇଛି। ପୂର୍ବରୁ ଏହି ୧୪ କି‌ମି ଅଂଶ ଅଞ୍ଚଳରେ ଲୋକେ ଚାଷ କାର୍ଯ୍ୟ ଲାଗି ଏହି କେନାଲ ଉପରେ ନିର୍ଭର କରୁଥିଲେ। କିନ୍ତୁ କିଛି ବର୍ଷ ହେବ, ରାଜଧାନୀ କଳେବରର ଦ୍ରୁତ ଅଭିବୃଦ୍ଧି ଯୋଗୁଁ କେନାଲ ଆବର୍ଜନାରେ ପୂର୍ଣ୍ଣ ହୋଇଗଲାଣି। କେନାଲର ଦୁଇପାର୍ଶ୍ୱରେ ଗଢ଼ିଉଠିଛି ମାଳମାଳ ଘର। ଚକେଇସିଆଣି ଓ ଜିଜିପି ଅଞ୍ଚଳରେ କେନାଲ କୂଳରେ ବସ୍ତି ଗଢ଼ି ଉଠିଛି। ଏମିତିକି ଏହି ଅଞ୍ଚଳରେ ବସ୍ତିବାସିନ୍ଦାମାନେ କେନାଲକୁ ପୋତି ଭିତରକୁ ମାଡ଼ି ଯାଇଛନ୍ତି। ବେଧଡ଼କ ଭାବେ ପୋତା ଚାଲିଛି କେନାଲ। ଯିଏ ଯେମିତି ପାରିଲେ, କେନାଲ୍‌କୁ ପୋତି ଚାଲିଛନ୍ତି। ଇଟା, ଢଳେଇ, କଂକ୍ରିଟ୍‌, ମାଟି ପକାଇ କୋନାଲ ପୋତା ହେଉଛି। କେତେକ ସ୍ଥାନରେ ଲୋକେ ନିଜ ଘର ସମ୍ମୁଖ ସମ୍ପ୍ରସାରଣ କରିବା ଲାଗି କେନାଲ ପୋତୁଛନ୍ତି। ଜିଜିପି କଲୋନିଠାରୁ ଝାରପଡ଼ା ପର୍ଯ୍ୟନ୍ତ ପ୍ରାୟ ଦେଢ଼ କିମି ଅଞ୍ଚଳରେ କେନାଲ ଭିତରେ ଏମିତି ବହୁ କୋଠା ଗଢ଼ି ଉଠିଛି। ଫଳରେ ୫୦ ଫୁଟ୍‌ ଓସାରର କେନାଲ ଏବେ ମାତ୍ର ୧୫ଫୁଟ୍‌ ରହିଛି। ପଳାସୁଣି ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ ହେବା ପରେ ଏହି କେନାଲର ସ୍ଥିତି ସବୁଠାରୁ ବଡ଼ କଦର୍ଯ୍ୟ ହୋଇପଡ଼ିଛି।

ଦିନେ ରାଜଧାନୀ କଡ଼ ଦେଇ ଯାଇଥିବା ଏହି କେନାଲ ଏବେ ରାଜଧାନୀ ଭିତରେ ରହିଗଲାଣି। ବିଭିନ୍ନ କଲୋନି ବା ବସ୍ତିର ଡ୍ରେନ୍ ସବୁ କେନାଲକୁ ସଂଯୋଗ ହୋଇଯାଇଛି। କେନାଲ କଡ଼ରେ ଥିବା ବସ୍ତିରୁ ଆରମ୍ଭ କରି ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ସମସ୍ତେ ଡ୍ରେନ୍ ପାଣି ଏହି କେନାଲକୁ ଛାଡ଼ି ଦେଉଛନ୍ତି। କିଛି ବର୍ଷ ହେଲା ମୌସୁମୀ ଆସିବା ପୂର୍ବରୁ ଦୟାୱେଷ୍ଟ କେନାଲରୁ ଦଳ କଢ଼ା ଯାଉଥିଲା। କିନ୍ତୁ ଏଥର ସେଭଳି କିଛି ବି କରାଯାଇନାହିଁ। କେନାଲରେ ଦଳ ଭର୍ତ୍ତି ହୋଇଗଲାଣି। ଫଳରେ ଉପରମୁଣ୍ଡରୁ ପାଣି ଆସିପାରୁନାହିଁ। ଏମିତିରେ ବି କେନାଲରେ ପାଣି ଛଡ଼ା ଯାଉନାହିଁ। ତେବେ ପଳାସୁଣିରୁ ଜିଜିପି କଲୋନି ଆଡ଼କୁ ଯାଇଥିବା କେନାଲ ବନ୍ଧ ରାସ୍ତାର ଉଚ୍ଚତା ବି କମିଯାଇଛି। ଯଦି କେନାଲକୁ ଖୋଳା ନ ଯାଏ କିମ୍ବା ଦଳ କଢ଼ା ନ ଯାଏ, ବର୍ଷା ଦିନେ ଏହି ବନ୍ଧ ବୁଡ଼ି ଲୋକଙ୍କ ଘରେ ପାଣି ପଶିବା କିଛି ଅସମ୍ଭବ ନୁହେଁ। ତୁରନ୍ତ ଏହି କେନାଲ୍‌କୁ ପୁନରୁଦ୍ଧାର କରିବା ସହ ଜବରଦଖଲ ଉଚ୍ଛେଦ କରି ସୌନ୍ଦର୍ଯ୍ୟୀକରଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର