ଭୁବନେଶ୍ବର: ଜବରଦଖଲରେ ଦୟା ୱେଷ୍ଟ୍‌ କେନାଲ। ‌କେନାଲ୍‌ ଦୁଇପାର୍ଶ୍ବ ତ’ ଦୂରର କଥା କେନାଲ୍‌ ଭିତରେ ବି ଗଢ଼ି ଉଠିଲାଣି କଂକ୍ରିଟ୍‌ ଘର ଓ ଦୋକାନ। ସେ ଜଳସଂପଦ ବିଭାଗ ହେଉ କି ଭୁବନେଶ୍ବର ମହାନଗର ନିଗମ, ଏଥିରେ କେହି ଲଗାମ କଷୁ ନଥିବାରୁ ଦିନକୁ ଦିନ ଜବରଦଖଲ ବଢ଼ିଚାଲିଛି। ବଡ଼ କଥା ହେଉଛି, ଯେଉଁ କଂକ୍ରିଟ୍‌ ଘର ସବୁ କେନାଲ ଭିତରେ ଗଢ଼ି ଉଠିଛି, ସେଠାକୁ ବିଜୁଳି ସଂଯୋଗ ଦିଆଯାଇଛି। ସବୁ ଘରେ ପ୍ରାୟ ଟିଭି ଲାଗିଛି। ଏକାଧିକ ଘରେ ଏୟାର୍‌ କଣ୍ଡିସନର୍‌ ବି ଲାଗିଛି। ବହୁ ଘର ଭଡ଼ାରେ ଲାଗିଛି।

Advertisment

ଜବରଦଖଲ ଯୋଗୁ ଅତୀତରେ ଚାଷ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ଏହି କେନାଲ୍‌ ଆଜି ଅଚଳ ଅବସ୍ଥାରେ ପଡ଼ିଛି। ଜଳବନ୍ଦି ସମୟରେ ବର୍ଷା ପାଣି ନିଷ୍କାସନରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ଜିଜିପି କଲୋନି ହେଉ କି ବମିଖାଲ, ଚକେଇସିଆଣି ଅବା ପଳାଶୁଣି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସବୁଠି ସମାନ ସ୍ଥିତି। ନିକଟରେ ସିଏଜି କେନାଲ୍ ଜବରଦଖଲର ପ୍ରତିକାର ଅତ୍ୟାବଶ୍ୟକ ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଥିଲେ। କିଛି ମାସ ତଳେ ନଗର ଉନ୍ନୟନ ସଚିବ ଉଷା ପାଢ଼ୀ ଓ ତତ୍କାଳୀନ ଭୁବନେଶ୍ବର ମହାନଗର ନିଗମ କମିସନର ରାଜେଶ ପ୍ରଭାକର ପାଟିଲ୍‌ ବିଭାଗୀୟ ଅଧିକାରୀଙ୍କୁ ନେଇ ଦୟା ୱେଷ୍ଟ କେନାଲ୍‌ ସ୍ଥିତି ଅନୁଧ୍ୟାନ କରିଥିଲେ। ଖୁବଶୀଘ୍ର କେନାଲ୍‌କୁ ଜବରଦଖଲମୁକ୍ତ କରାଯିବ ବୋଲି କହିଥିଲେ। କିନ୍ତୁ ଏହା କେବଳ ଭାଷଣରେ ସୀମିତ ରହିଛି।

କେନାଲ ଶଯ୍ୟାରେ ବି କଂକ୍ରିଟ୍‌ ଘର, ଦୋକାନ
ଜବରଦଖଲ ଘରକୁ ବିଜୁଳି, ଲାଗିଛି ଟିଭି ଓ ଏସି

ଜଳସଂପଦ ବିଭାଗ ସୂଚନା ମୁତାବକ, ଦକ୍ଷିଣରେ ଦୟା ଓ ଉତ୍ତରରେ କୁଆଖାଇରେ ମିଶିଥିବା ଦୟା ୱେଷ୍ଟ କେନାଲର ଲମ୍ବ ପ୍ରାୟ ୩୪.୮୬ କିମି। ଏହାର ୧୬.୧୦ କିମି ଅଂଶ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳ ଦେଇ ଯାଇଛି। ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର ଚାଷଜମିକୁ ଜଳସେଚନ କରିବା ସହ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନରେ ପ୍ରମୁଖ ଭୂମିକା ଏହି କେନାଲ ନେଇ ଆସିଛି। କିନ୍ତୁ ଦିନକୁ ଦିନ ଏହି କେନାଲ ସଂକୁଚିତ ହେବାରେ ଲାଗିଛି। ସରକାରୀ ଅବହେଳା କାରଣରୁ ଆଜି ଏହି କେନାଲ୍‌ ଚାଷୀଙ୍କ ଆବଶ୍ୟକତା ମେଣ୍ଟାଇ ପାରୁନି। ସିଏଜି ବି ତାଙ୍କ ରିପୋର୍ଟରେ ଏକଥା ସ୍ପଷ୍ଟ କରି ସାରିଛନ୍ତି। ସିଏଜି ତାଙ୍କ ରିପୋର୍ଟରେ କହିଥିଲେ, ୨୦୦୫ରେ ଏହା ଅବରୋଧମୁକ୍ତ ଥିଲା। ଏବେ ସିଂହଭାଗ ଜାଗା ଜବରଦଖଲକୁ ଚାଲିଗଲାଣି। କେବଳ ଚକେଇସିଆଣି ଅଞ୍ଚଳରେ ୧୧୯୫ଟି ଘର କେନାଲ୍‌ ଜାଗାରେ ଠିଆ ହୋଇଛି। ପୂର୍ବରୁ ଦୟା ୱେଷ୍ଟ୍‌ କେନାଲ୍‌ ଜରିଆରେ ୨ହଜାର ୪୧୭ ହେକ୍ଟର ଚାଷ ଜମି ଜଳସେଚିତ ହେଉଥିଲା। ଏହା ଅଧାରୁ କମ୍‌କୁ ଖସି ଆସିଛି। ବମିଖାଲ, ସାମନ୍ତରାପୁର ଆଦି ଅଞ୍ଚଳରେ ବହୁ ଜାଗା ଜବରଦଖଲକୁ ଚାଲିଗଲାଣି।