ଭଦ୍ରକ ସାଳନ୍ଦୀ ହସ୍ପିଟାଲରେ ଡାଏଲିସିସ୍ ସେଣ୍ଟର ଉଦ୍‌ଘାଟିତ

ଭୁବନେଶ୍ବର : ରୋଟାରି କ୍ଲବ ଭଦ୍ରକ ଓ ରୋଟାରି କ୍ଲବ୍‌ ମିଡଟାଉନର ପୃଷ୍ଠପୋଷକତାରେ ଭଦ୍ରକ ମୋଟେଲ ଛକସ୍ଥିତ ସାଳନ୍ଦୀ ହସ୍ପିଟାଲ ପରିସରରେ ‘ଶ୍ରୀ ରାମଦାସ ଅଗରୱାଲ ମେମୋରିଆଲ ରୋଟାରି ଡାଏଲିସିସ ସେଣ୍ଟର’ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି। ସାଳନ୍ଦୀ ହସ୍ପିଟାଲର ମୁଖ୍ୟ ରୋଟାରିଆନ୍‌ ଡାକ୍ତର ପ୍ରଭାସ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ରୋଟାରି ପାଷ୍ଟ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଜୟ ଅଗ୍ରୱାଲ, ରୋଟାରି ଗଭର୍ଣ୍ଣର ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ରାଜ୍ୟପାଳ ପ୍ରଫେସର୍‌ ଲାଲ ତାଙ୍କ ବକ୍ତବ୍ୟରେ କହିଥିଲେ, ଭଦ୍ରକରେ ଡାଏଲିସିସ୍ ସେଣ୍ଟର ସ୍ଥାପନ କରିବାର ମହତ ଚିନ୍ତାଧାରା ଯେଉଁମାନଙ୍କ ମନରେ ସୃଷ୍ଟି ହୋଇଥିଲା ଏବଂ ଯେଉଁମାନେ ଏହାର ପ୍ରତିଷ୍ଠା ଦିଗରେ ସହଯୋଗ କରିଛନ୍ତି, ସମସ୍ତେ ପ୍ରଶଂସାର ପାତ୍ର। ରୋଟାରି ମିଡଟାଉନର ସଭାପତି ରୋ. ଅତୀଶ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଡାଏଲିସିସ୍ ସେଣ୍ଟର ଟ୍ରଷ୍ଟର ଚେୟାରମ୍ୟାନ ରୋ. ଶିଶିର ମିଶ୍ର ଭଦ୍ରକରେ ଡାଏଲିସିସ ସେଣ୍ଟରର ଆବଶ୍ୟକତା ଏବଂ ଏହାର ସ୍ଥାପନ ଦିଗରେ ଦୁଇ ରୋଟାରି କ୍ଲବର ଅବଦାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଶ୍ରୀ ଅଗ୍ରୱାଲ ତାଙ୍କ ଆଗାମୀ ଡ୍ରିମ୍‌ ପ୍ରୋଜେକ୍ଟ ଭାବରେ ଭଦ୍ରକରେ ଏକ ଟ୍ରମା କେୟାର ସେଣ୍ଟର ସ୍ଥାପନର ଇଚ୍ଛା ବ୍ୟକ୍ତ କରିଥିଲେ।

ଆଜି ପୂର୍ବାହ୍ନରେ ରାଜ୍ୟପାଳ ଭଦ୍ରକ ଜଳସେଚନ ଡାକବଙ୍ଗଳାରେ ପହଞ୍ଚିବା ପରେ ସେଠାରେ ଜିଲ୍ଲାପାଳ ଜ୍ଞାନ ଦାସ, ଏସ୍‌ପି ରାଜେଶ ପଣ୍ଡିତ ତାଙ୍କୁ ସ୍ୱାଗତ କରିଥିଲେ। ଏହି ଉତ୍ସବକୁ ରୋଟାରୀ କ୍ଲବ ଭଦ୍ରକର ସଭାପତି ରୋ. ସୁଧୀରଂଜନ ନାୟକଙ୍କ ସହିତ ଦୁଇ କ୍ଲବର ସମସ୍ତ ସଦସ୍ୟ ସଦସ୍ୟା, ଭଦ୍ରକ ଇନର ହୁଇଲ କ୍ଲବର ସଦସ୍ୟା ଏବଂ ସାଳନ୍ଦୀ ହସ୍ପିଟାଲର କର୍ମଚାରୀମାନେ ପରିଚାଳନା କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର