କାମରେ ଲାଗୁନି ବ୍ରିଜ୍‌; ଦୟା‌ୱେ‌ଷ୍ଟ କେନାଲରେ ମାଡ଼ି ଚାଲିଛି ରିଟେନିଂ ୱାଲ୍‌

ଭୁବନେଶ୍ୱର : ରସୁଲଗଡ଼ରୁ ଜିଜିପି କଲୋନିକୁ ସଂଯୋଗ କରି ଦୟା ୱେଷ୍ଟ କେନାଲ ଉପରେ ଏକ ବ୍ରିଜ୍‌ ନିର୍ମାଣ ହୋଇଛି। ୧କୋଟି ୨୫ଲକ୍ଷ ଟଙ୍କାରେ ଏହି ବ୍ରିଜ୍‌ ନିର୍ମାଣ ହୋଇଥିଲେ ହେଁ ଲୋକଙ୍କ କାମରେ ଆସୁନି। ପୂର୍ତ୍ତ ବିଭାଗ ବର୍ଷକ ତଳୁ ଏହି ବ୍ରିଜ୍‌ ନିର୍ମାଣ କରିଥିଲେ ବି ଏହାର ଆପ୍ରୋଚ୍‌ ରାସ୍ତା ନିର୍ମାଣ କରୁନି। ଅଧାପନ୍ତରା ହୋଇ ବ୍ରିଜ୍‌ ପଡ଼ିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲାଣି।

ପୂର୍ତ୍ତ ବିଭାଗ ବ୍ରିଜ୍‌କୁ ଅଧାପନ୍ତରା ଛାଡ଼ି ଏବେ ଦୟାୱେଷ୍ଟ କେନାଲରେ ରିଟେନିଂ ୱାଲ୍‌ ନିର୍ମାଣ କରିବାରେ ଲାଗିଛି। ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ କେନାଲର ଦୁଇ ପାର୍ଶ୍ବକୁ ପୋତି କଙ୍କ୍ରିଟ ପାଚେରି ନିର୍ମାଣ କରିଚାଲିଛି। ଦୈନିକ ହଜାର ହଜାର ଲୋକ ଏହି ରାସ୍ତାରେ ଯାତାୟାତ କରୁଥିଲେ ହେଁ ସେମାନଙ୍କ ସମସ୍ୟା ପ୍ରତି ବିଭାଗୀୟ ଅଧିକାରୀମାନେ ଆଖି ବୁଜି ଦେଇଛନ୍ତି।

କିଛି ଲୋକ କଷ୍ଟେମଷ୍ଟେ ବ୍ରିଜ୍‌ ଉପରେ ଯାଉଥିଲେ ହେଁ ସେମାନଙ୍କୁ ବି ଦୁର୍ଘଟଣାଗସ୍ତ ହୋଇ ତଳେ ପଡ଼ିବାକୁ ବାଟ କରାଯାଇଛି। ବ୍ରିଜ୍‌ ଉପରେ ଚିପ୍ସ ଓ ବାଲି ଗଦାଇ ରଖାଯାଉଥିବାରୁ ଏହି ରାସ୍ତାରେ ଯାଉଥିବା ଲୋକଙ୍କ ଗାଡ଼ି ଚକା ଖସି ପଡ଼ୁଛି। ଏନେଇ ସ୍ଥାନୀୟ ବିଧାୟକଙ୍କଠାରୁ ଆରମ୍ଭ କରି ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଅଭିଯୋଗ କରାଗଲାଣି। କିନ୍ତୁ କିଛି ସୁଫଳ ମିଳୁନି।

ସ୍ଥିତି ଏପରି ହେଲାଣି ଯେ ଲୋକ ପ୍ରଶ୍ନ କଲେଣି କୋଟିଏ ଟଙ୍କା ଖର୍ଚ୍ଚ କରି ବ୍ରିଜ୍‌ ନିର୍ମାଣ ହୋଇଛି ଅଥଚ ଲୋକଙ୍କ କାମରେ ଲାଗୁନି। ପୂର୍ତ୍ତ ବିଭାଗ ଯଦି ବ୍ରିଜ୍‌ ନିର୍ମାଣ କରୁଛି, ତାହା କିପରି ଯଥାସମ୍ଭବ ଶୀଘ୍ର ଲୋକଙ୍କ କାମରେ ଲାଗିବ, ତା’ ବ୍ୟବସ୍ଥା ବି କରିବା ଦରକାର। ଏହି ବ୍ରିଜ୍‌ ତୁରନ୍ତ କାର୍ଯ୍ୟକ୍ଷମ ନହେଲେ ସ୍ଥାନୀୟ ଲୋକ ରାସ୍ତାରୋକ କରିବା ସହ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏନେଇ ସ୍ଥାନୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବ୍ରିଜ୍‌ ନିର୍ମାଣ ଶେଷ ହୋଇଛି। କିନ୍ତୁ ଆପ୍ରୋଚ୍‌ ‌ରାସ୍ତାରେ କିଛି ସମସ୍ୟା ରହିଛି। ପୂର୍ବରୁ ଗୋଟିଏ ପାର୍ଶ୍ବରେ ରାସ୍ତା ମଝିରେ ବିଦ୍ୟୁତ ଖୁଣ୍ଟ ଥିଲା। ଓପିଟିସିଏଲ୍‌କୁ ବାରମ୍ବାର କହିବା ପରେ ବିଦ୍ୟୁତ ଖୁଣ୍ଟ ଉଠିଲା। ଏବେ ଆଉ ଏକ ପାର୍ଶ୍ବରେ ଜନସ୍ବାସ୍ଥ୍ୟ ବିଭାଗର ପାଣି ପାଇପ୍‌ ଅଛି। ଏହାକୁ ସ୍ଥାନାନ୍ତର କରିବାକୁ ଚିଠି ଲେଖିଛୁ। ଏହି ପାଇପ୍‌ ଉଠିଲେ ବ୍ରିଜ୍‌ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ। ସେହିପରି କେନାଲରେ ପ୍ରାଚୀ ଡିଭିଜନ୍‌ର ବିନା ଅନୁମତିରେ ରିଟେନିଂ ୱାଲ୍‌ ନିର୍ମାଣ ନେଇ ଶ୍ରୀ ପଣ୍ଡା କହିଛନ୍ତି ଯେ କେନାଲ ବନ୍ଧ ରାସ୍ତା ଭୁଶୁଡ଼ି ପଡ଼ିବାର ସମ୍ଭାବନା ଥିବାରୁ ଆମେ ରିଟେନିଂ ୱାଲ୍‌ ନିର୍ମାଣ କରିଛୁ।

ସମ୍ବନ୍ଧିତ ଖବର