ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ଅଧୀନ ଦୂର ଓ ଅନ୍‌ଲାଇନ୍‌ ଶିକ୍ଷାକେନ୍ଦ୍ର(ଡିଡିସିଇ)ରେ ନାମଲେଖା ବନ୍ଦ। ନ୍ୟାସନାଲ ଆସେସ୍‌ମେଣ୍ଟ ଆଣ୍ଡ୍‌ ଆକ୍ରି‌ଡିଟେସନ୍‌ କାଉନସିଲ୍‌(ନାକ୍‌)ରେ ଉତ୍କଳ ବିଶ୍ବବିଦ୍ୟାଳୟ ଖରାପ ପ୍ରଦର୍ଶନ ପରେ ୨୦୨୩-୨୪ ଶିକ୍ଷାବର୍ଷରେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନୂତନ ନାମଲେଖା ଉପରେ ରୋକ ଲଗାଯାଇଥିଲା। କୌଣସି ନୂଆ ଛାତ୍ରଛାତ୍ରୀଙ୍କ ନାମଲେଖା ହୋଇ ନ ଥିଲା। ଯେଉଁମାନେ ପୂର୍ବରୁ ନାମ ଲେଖାଇଥିଲେ କେବଳ ସେମାନଙ୍କର ହିଁ ପାଠପଢ଼ା ଚାଲିଛି। ଇତିମଧ୍ୟରେ ୨୦୨୪-୨୫ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଥିବା ବେଳେ ନାମଲେଖା ହେବ କି ନାହିଁ ତାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଶଙ୍କା ପ୍ରକାଶ ପାଇଛି। କାରଣ ଡିଡିସିଇ ୱେବସାଇଟ୍‌ରେ ଏବେ ମଧ୍ୟ ନାମଲେଖା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନାମଲେଖା ବନ୍ଦ ରହିବା ନେଇ ୨୦୨୩‌ରୁ ଜାରି ହୋଇଥିବା ବିଜ୍ଞପ୍ତି ଏବେ ମଧ୍ୟ ୱେବସାଇଟ୍‌ରେ ରହିଛି। ନିୟମିତ ଭାବେ ପାଠପଢ଼ା ପାଇଁ ସମୟ ଦେଇପାରୁ ନ ଥିବା ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଡିଡିସିଇରେ ବିଭିନ୍ନ ପାଠ୍ୟକ୍ରମ ଉପଲବ୍ଧ ରହିଛି। ମ୍ୟାନେଜ୍‌ମେଣ୍ଟ ପାଠ୍ୟକ୍ରମରେ ଏମ୍‌ବିଏ, ଆଇଏମ୍‌ବିଏ ଓ ବିବିଏ ପରି ପାଠ୍ୟକ୍ରମ ଥିବା ବେଳେ କମ୍ପ୍ୟୁଟର ସାଇନ୍ସ ଓ ଆପ୍ଲିକେସନ‌ରେ ଏମ୍‌ସିଏ ୨ ବର୍ଷିଆ ରେଗୁଲାର ମୋଡ୍‌ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରାଯାଉଛି। ଏହାବ୍ୟତୀତ ଅର୍ଥନୀତି, ଓଡ଼ିଆ, ସାମାଜିକ ବିଜ୍ଞାନ, ଶିକ୍ଷା, ରାଜନୀତି ବିଜ୍ଞାନ, ଇତିହାସ, ଇଂରାଜୀ, ପ୍ଲବିକ ଆଡମି‌ନିଷ୍ଟେସନ, ସୋସିଆଲ ୱାର୍କ, ହିନ୍ଦୀ, ସଂସ୍କୃତ ଓ ବାଣିଜ୍ୟ ବିଭାଗର ସ୍ନାତକୋତ୍ତର ପାଠ୍ୟକ୍ରମରେ ଦୂର ଓ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରାଯାଇଥାଏ। କଳା, ବାଣିଜ୍ୟ ବିଭାଗରେ ସ୍ନାତକ ପାଠ୍ୟକ୍ରମ ଶିକ୍ଷା ପ୍ରଦାନ କରାଯିବା ନେଇ ୱେବସାଇଟ୍‌ରେ ଉଲ୍ଲେଖ ରହିଛି।

Advertisment

୧୫ ଏକର ପରିମିତ ଜମିରେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାନୁଷ୍ଠାନରେ ୨୫ଟି କ୍ଲାସରୁମ୍‌ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଏଠାରେ କମ୍ପ୍ୟୁଟର ସେଲ୍‌, ଡାଇନିଂ ରୁମ୍‌, ପାର୍କିଂ ସୁବିଧା, ଗ୍ୟାରେଜ୍‌, ବ୍ୟାଙ୍କ୍‌ ସୁବିଧା, ୩ଟି ସମ୍ମିଳନୀ କକ୍ଷ ରହିଛି। ୮୦ ସିଟ୍‌ ବିଶିଷ୍ଟ ଲାଇବ୍ରେରି ସହ ସେଥିରେ ୧୮ ହଜାର ୪୭୯ଟି ବହି ରହିଛି। ଭର୍ଚୁଆଲ ଟ୍ୟୁଟୋରିଆଲ୍‌ ଷ୍ଟୁଡିଓ ଉପଲବ୍ଧ ରହିଛି। ଛାତ୍ରଛାତ୍ରୀଙ୍କ ପାଇଁ ଏତେ ସବୁ ସୁବିଧା ପରେ ମଧ୍ୟ ଗତବର୍ଷ ଏଠାରେ ନାମଲେଖା ହୋଇପାରି ନ ଥିଲା। ନାକ୍‌ ଗ୍ରେଡ୍‌ରେ ଉତ୍କଳ ବିଶ୍ବବିଦ୍ୟାଳୟ ଖରାପ ପ୍ରଦର୍ଶନ କରିବାରୁ ଡିଡିସିଇରେ ନାମଲେଖାକୁ ବନ୍ଦ କରି ଦିଆଯାଇଥିଲା। ଇତିମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟକୁ ପୁଣିଥରେ ନାକ୍‌ ଟିମ୍‌ ଗସ୍ତ କରିବା ସହ ‘ଏ+’ ଗ୍ରେଡ୍‌ ପ୍ରଦାନ କରି ସାରିଛନ୍ତି। ତା’ସତ୍ତ୍ବେ ମଧ୍ୟ ୨୦୨୪-୨୫ ଶିକ୍ଷାବର୍ଷରେ ଏଠାରେ ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ଦିଗରେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ। ଡିଡିସିଇର ଜଣେ ଅଧିକାରୀ କହିଛନ୍ତି ଯେ ବିଶ୍ବବିଦ୍ୟାଳୟ ନାକ୍‌ ସମସ୍ୟା ପାଇଁ ୨୦୨୩-୨୪ ଶିକ୍ଷାବର୍ଷରେ ନାମଲେଖା ହୋଇପାରି ନ ଥିଲା। ତେବେ ୨୦୨୪-୨୫ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ପୁଣିଥରେ ‘ଏ+’ ଗ୍ରେଡ୍‌ ମାନ୍ୟତା ହାସଲ କରିଛି। ନାମଲେଖା ପାଇଁ ପୁଣିଥରେ ଅନୁମତି ମିଳିବା ନେଇ ଆମେ ଆଶାବାଦୀ ରହିଛୁ। ଆବଶ୍ୟକୀୟ ସମସ୍ତ ଡକ୍ୟୁମେଣ୍ଟ ଆବେଦନ କରାଯାଇଛି। ଧାର୍ଯ୍ୟ ସମୟରେ ପୁଣିଥରେ ନାମଲେଖା ଅନୁଷ୍ଠିତ ହେବ।