ଭୁବନେଶ୍ବର: ବହୁ ସମୟରେ ନିଶାଡ଼ି କଏଦୀମାନେ ଜେଲ୍ରେ ସମସ୍ୟା ସୃଷ୍ଟି କରନ୍ତି। ସେମାନଙ୍କୁ ଜେଲ୍ରେ ଆବଶ୍ୟକ ପରିମାଣର ନିଶା ନ ମିଳିବାରୁ ସେମାନଙ୍କଠାରେ ବିଭିନ୍ନ ବିଲକ୍ଷଣ ଦେଖାଯାଏ। ତେଣୁ ସେଭଳି କଏଦୀ କେତେବେଳେ ଗଣ୍ଡଗୋଳ କରେ ତ କେବେ ପୁଣି ଅସୁସ୍ଥ ହୋଇପଡ଼େ। ଏହି ସମସ୍ୟାର ସମାଧାନ କରିବାକୁ ରାଜ୍ୟ ଜେଲ୍ ବିଭାଗ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ବିଚାର ଚଳାଇଛି। ସେଥିପାଇଁ ଜେଲ୍ ବିଭାଗ ରାଜ୍ୟର ୪ଟି ପ୍ରମୁଖ ଜେଲ୍ରେ ନିଶା ନିବାରଣ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ସେହିଭଳି ଜେଲ୍ ଭିତରକୁ ନିଶାଦ୍ରବ୍ୟ ଆସୁଥିବାର ଗଳାବାଟ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ ଡ୍ରଗ୍ସ ଡିଟେକ୍ସନ୍ କିଟ୍ ଲଗାଯିବ ବୋଲି ପ୍ରସ୍ତାବ ରହିଛି।
ଜେଲ୍ ଡିଜି ସୁଶାନ୍ତ ନାଥଙ୍କ ସୂଚନାନୁସାରେ ବ୍ରହ୍ମପୁର, କଟକ, ସମ୍ବଲପୁର ଓ ଭୁବନେଶ୍ବର ଝାରପଡ଼ା ଜେଲ୍ରେ ନିଶା ନିବାରଣ କେନ୍ଦ୍ର ଖୋଲାଯିବ। ଜେଲ୍ରେ ଥିବା ନିଶାଖୋର ବନ୍ଦୀମାନଙ୍କୁ ଏହି ନିଶା ନିବାରଣ କେନ୍ଦ୍ରରେ ରଖି ଚିକିତ୍ସା ଯୋଗାଇ ଦିଆଯିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରତି କେନ୍ଦ୍ରରେ ୩୦ଜଣଙ୍କୁ ଚିକିତ୍ସା କରାଯିବ। ସେମାନଙ୍କୁ ନିଶା କବଳରୁ ମୁକ୍ତ କରିବା ଏକ ବଡ଼ କାମ ହେବ ବୋଲି ଡିଜି ଶ୍ରୀ ନାଥ କହିଛନ୍ତି। ଏହାଦ୍ବାରା ଜଣେ ନିଶା କବଳରୁ ମୁକ୍ତି ପାଇବା ସହ ଅପରାଧ ଜଗତରୁ ବାହାରିବା ସମ୍ଭାବନା ରହିଛି। ଜଣେ କଏଦୀ ନିଶାରୁ ମୁକ୍ତି ପାଇବା ପରେ ବିଭିନ୍ନ ଦକ୍ଷତା ବିକାଶ ତାଲିମରୁ ବି ଫାଇଦା ପାଇବ। ଜେଲ୍ରୁ ମୁକୁଳିବା ପରେ ସେ ଜଣେ ସାମାଜିକ ସୁସ୍ଥ ମଣିଷ ହୋଇ ବାହାରିବ। ତେଣୁ ସେଭଳି ଅପରାଧୀ ପାଇଁ ନିଶା ନିବାରଣ କେନ୍ଦ୍ର ଥିବା ଜେଲ୍, କାଳ କୋଠରୀ ନୁହେଁ, ଏକ ମୁକ୍ତିଶାଳା ପାଲଟିବ। ଏହି ମହତ ଉଦ୍ଦେଶ୍ୟ ରଖି ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।
ରାଜ୍ୟର ସବୁ ଜେଲ୍କୁ ନିଶାଦ୍ରବ୍ୟ ପ୍ରବେଶ କରୁଛି। ଗଳାବାଟ ଦେଇ କଏଦୀଙ୍କ ନିକଟରେ ନିଶାଦ୍ରବ୍ୟ ପହଞ୍ଚିଯାଉଛି। ଏହାକୁ ରୋକିବା ପାଇଁ ଡ୍ରଗ୍ ଡିଟେକ୍ସନ୍ କିଟ୍ ଲଗାଯିବ। ଚୌଦ୍ବାର ଓ ଝାରପଡ଼ା ଜେଲ୍ରେ ଆଗ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ। ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା ଓ ଡ୍ରଗ୍ସ ଡିଟେକ୍ସନ୍ କିଟ୍ ବ୍ୟବହାର ଜେଲ୍ରେ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବ ବୋଲି ଡିଜି ଶ୍ରୀ ନାଥ କହିଛନ୍ତି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp