ଚିକିତ୍ସାଧୀନ ଆହତ ଛାତ୍ରଙ୍କ ମୃତ୍ୟୁ

ହସ୍ପିଟାଲରେ ଉତ୍ତେଜନା

ଖଣ୍ଡଗିରି: ଦୁର୍ଘଟଣାରେ ଗୁରୁତର ଆହତ ଜଣେ ଛାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁକୁ ନେଇ ଶୁକ୍ରବାର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା। ମୃତକ ହେଲେ ଚନ୍ଦ୍ରଶେଖରପୁରସ୍ଥିତ ସିପେଟ୍‌ରେ ଡିପ୍ଲୋମା ପ୍ଲାଷ୍ଟିକ୍‌ ଇଂଜିନିୟରିଂର ଛାତ୍ର ଆଦିତ୍ୟ କୁମାର ସାହୁ(୧୭)। ଚିକିତ୍ସାରେ ଅବହେଳା କାରଣରୁ ଛାତ୍ରଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଉତ୍ତ୍ୟକ୍ତ ଲୋକେ ହସ୍ପିଟାଲ ସମ୍ମୁଖରେ ଧାରଣା ଦେବା ସହ ସେଠାରେ ଯାଇଥିବା ଏକ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଫଳରେ ପ୍ରାୟ ଏକ ଘଣ୍ଟା ଯାଏ ଉକ୍ତ ରାସ୍ତାରେ ଯାନବାହାନ ଚଳାଚଳ ଠପ୍‌ ହୋଇଯାଇଥିଲା। ପରେ ଖଣ୍ଡଗିରି ଥାନା ପୁଲିସ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସୂଚନାନୁସାରେ ଖଣ୍ଡଗିରିବାରୀ ଅଞ୍ଚଳରେ ରହୁଥିବା ଗଣେଶ୍ୱର ସାହୁଙ୍କ ପୁଅ ଆଦିତ୍ୟ(୧୭) ଗତ ଗୁରୁବାର ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ। ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ପରେ ପରିବାର ଲୋକେ ଆଦିତ୍ୟଙ୍କୁ ଖଣ୍ଡଗିରିସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନେଇ ଆସିଥିଲେ। କିନ୍ତୁ ଆଜି ସକାଳେ ତାଙ୍କ ମୃତ୍ୟୁ ହୋଇଯାଇଛି ବୋଲି ଡାକ୍ତର ଘୋଷଣା କରିଥିଲେ। ଆଦିତ୍ୟଙ୍କ ସମ୍ପର୍କୀୟମାନଙ୍କ ଅଭିଯୋଗ ଯେ ଚିକିତ୍ସାରେ ଅବହେଳା ପାଇଁ ଏଭଳି ଘଟିଲା। ଆଦିତ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ବୋଲି ମେଡିକାଲ ପକ୍ଷରୁ ବାରମ୍ବାର କୁହାଯାଉଥିଲା, ଅଥଚ ପରେ ତାଙ୍କ ମୃତ୍ୟୁ କେମିତି ହେଲା ବୋଲି ସେମାନେ ଅଭିଯୋଗ କରିଥିଲେ। ଚିକିତ୍ସା ବାବଦରେ ସେମାନେ ୧.୬ ଲକ୍ଷ ଟଙ୍କା ପଇଠ କରିଥିବାବେଳେ ଅଧିକ ବ୍ୟୟ କରିବାକୁ ମଧ୍ୟ ପ୍ରସ୍ତୁତ ଥିଲେ ବୋଲି କହିଛନ୍ତି। ପୁଅର ସ୍ୱାସ୍ଥ୍ୟାବସ୍ଥା ବାବଦରେ ହସ୍ପିଟାଲ ପକ୍ଷରୁ ସତ କୁହାଯାଇଥିଲେ, ସେ ଅନ୍ୟତ୍ର ନେଇ ଚିକିତ୍ସା କରାଇ ପାରିଥାନ୍ତେ ବୋଲି ବାପା ଗଣେଶ୍ୱର କହିଛନ୍ତି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା କଥା ଆଦିତ୍ୟଙ୍କ ପ୍ରାଥମିକ ଚିକିତ୍ସାରେ ଅବହେଳା ହେବାରୁ ସେମାନେ ଏଠାକୁ ଆଣିଥିଲେ। ତଥାପି ତାଙ୍କ ଡାକ୍ତରମାନେ ବହୁ ଚେଷ୍ଟା କରିଥିଲେ ଓ ଅପରେସନ୍‌ ମଧ୍ୟ ଠିକ୍‌ଠାକ ଥିଲା। କିନ୍ତୁ ଦୁର୍ଭାଗ୍ୟ ଆଦିତ୍ୟଙ୍କୁ ବଞ୍ଚାଇ ହେଲା ନାହିଁ। ଏଥିପାଇଁ ଡାକ୍ତରମାନେ ମଧ୍ୟ ଖୁବ୍‌ ମର୍ମାହତ। କିନ୍ତୁ ଚିକିତ୍ସାରେ ଅବହେଳା ଅଭିଯୋଗକୁ କର୍ତ୍ତୃପକ୍ଷ ଖଣ୍ଡନ କରିିଛନ୍ତି।

ସମ୍ବନ୍ଧିତ ଖବର