ଦୟାବ୍ରିଜ୍‌ ନିକଟରୁ ସନ୍ଦେହଜନକ ଅବସ୍ଥାରେ ଯୁବକଙ୍କ ଶବ ଜବତ

ଧଉଳି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଧଉଳି ଥାନା ଅଧୀନ ଦୟାବ୍ରିଜ୍‌ ନିକଟ ରାସ୍ତାକଡ଼ରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକଙ୍କ ଶବ ଜବତ ହୋଇଛି। ମୃତ ଯୁବକ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୀନ ତିଳଭଙ୍ଗା ଗ୍ରାମର ସହଦେବ ପ୍ରଧାନ(୩୦)। ସହଦେବଙ୍କ ସାର୍ଟ ପକେଟ୍‌ରୁ ଜବତ  କାଗଜରେ ଲେଖାଥିବା ମୋବାଇଲ  ନମ୍ବରରୁ ପୁଲିସ ଯୋଗାଯୋଗ କରିଛି। ଆସନ୍ତା କାଲି ଧଉଳି ଥାନା ପୁଲିସ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ ବୋଲି ଥାନା ଅଧିକାରୀ ଜୟଦେବ ବିଶ୍ବଜିତ ସୂଚନା ଦେଇଛନ୍ତି। ସହଦେବଙ୍କ ମୁହଁ କ୍ଷତାକ୍ତ ହୋଇଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ଚିହ୍ନ ରହିଥିବାରୁ ହତ୍ୟା ସନ୍ଦେହ କରାଯାଉଛି। ସହଦେବଙ୍କୁ ହତ୍ୟା କରି ସଡ଼କ ଦୁର୍ଘଟଣାର ରୂପଦେବା ପାଇଁ ଦୁର୍ବୃତ୍ତମାନେ ଦୟାବ୍ରିଜ୍‌ ନିକଟରେ ଫିଙ୍ଗି ଦେଇ ଚାଲିଯାଇଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ପ୍ରାଥମିକ ଭାବେ ଧଉଳି ଥାନାରେ କେସ ନଂ ୨୧/୧୯ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଅଜଣା ଗାଡ଼ି ଧକ୍କାରେ ସହଦେବଙ୍କ  ମୃତ୍ୟୁଥିବା ପୁଲିସ କହୁଛି। ତେବେ ତାଙ୍କ ଘର ଲୋକ ପହଞ୍ଚିବା ପରେ ପ୍ରକୃତ ରହସ୍ୟ ଜଣାପଡ଼ିଯିବ ବୋଲି କୁହାଯାଉଛି।।

ସମ୍ବନ୍ଧିତ ଖବର