ଗହୀର ଭିତରୁ ମୃତଦେହ ଜବତ

ଖଣ୍ଡଗିରି: ଶନିବାର ରାତିରେ ଖଣ୍ଡଗିରି ଥାନା ପୁଲିସ ସ୍ଥାନୀୟ ଘାଟିକିଆ ଗହୀର ଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ଘାଟିକିଆରେ ଭଡ଼ାରେ ରହୁଥିବା ନୟାଗଡ଼ ଜିଲ୍ଲା ଗଣିଆ ଥାନା ଗୋପୀବଲ୍ଲଭପୁର ଗାଁର ସୁକେଶ ପଣ୍ଡା(୩୪)। ପ୍ରଥମେ ଏହା ଏକ ହତ୍ୟାକାଣ୍ଡ ବୋଲି ଖବର ପ୍ରଚାରିତ ହୋଇଥିଲେ ବି ପ୍ରାଥମିକ ତଦନ୍ତରୁ ଏହା ଏକ ବିଷପାନ ଜନିତ ଆତ୍ମହତ୍ୟା ବୋଲି ପୁଲିସ ସୂଚନା ଦେଇଛି। ପୁଲିସ ତାଙ୍କ ସମ୍ପର୍କୀୟମାନଙ୍କ ଉପସ୍ଥିତିରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛିି। ମୃତଦେହ ନିକଟରୁ ଏକ ବିଷ ବୋତଲ, ଥଣ୍ଡା ବୋତଲ ଓ ଏକ ଛୁରି ମିଳିଛି।

ସୂଚନାନୁସାରେ ଆଜି ସନ୍ଧ୍ୟାରେ ଘାଟିକିଆର କିଛି ଲୋକ ଗହୀରକୁ ଭିତରକୁ କୌଣସି କାମରେ ଯାଇଥିବାବେଳେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିିବା ଦେଖି ତୁରନ୍ତ ଖଣ୍ଡଗିରି ଥାନା ପୁଲିସକୁ ଖବର ଦେଇଥିଲେ। ମୃତଦେହ ମୁହଁମାଡ଼ି ପଡ଼ିଥିବାବେଳେ ନିକଟରେ ଏକ ଥଣ୍ଡା ବୋତଲ ଓ ଏକ ଛୁରି ପଡ଼ିଥିଲା। ତେଣୁ କେହି ଯୁବକଙ୍କୁ ମାରି ଫିଙ୍ଗି ଦେଇଛି ବୋଲି ଲୋକେ ଧରି ନେଇଥିଲେ ଓ ସେହି ଅନୁସାରେ ଗୁଜବ ଖେଳି ଯାଇଥିଲା। ତେଣୁ ସ୍ଥାନୀୟ ଅଞ୍ଚଳର ଶହ ଶହ ଲୋକ ଘଟଣାସ୍ଥଳକୁ ଛୁଟି ଯାଇଥିଲେ। ତେବେ ଗୁରୁବାରଠାରୁ ସୁକେଶ ନିଖୋଜ ଥିବା ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିବାରୁ ପୁଲିସ ତୁରନ୍ତ ସୁକେଶଙ୍କ ସମ୍ପର୍କୀୟମାନଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା। ମୃତଦେହରୁ ପ୍ରବଳ ବିଷ ଗନ୍ଧ ବାହରୁଥିବାରୁ ପୁଲିସର ସନ୍ଦେହ ହୋଇଥିଲା ଓ ମୃତଦେହକୁ ଉଠାଇବାବେଳେ ପେଟ ତଳେ ମାଡ଼ି ହୋଇଥିବା ଏକ ବିଷ ବୋତଲ ଦେଖିବାକୁ ମିଳିଥିଲା। ସୁକେଶଙ୍କ ସମ୍ପର୍କୀୟମାନଙ୍କ ସୂଚନାନୁସାରେ ବେପାରରେ ବହୁତ କ୍ଷତି ହେବାପରେ ସେ କରଜରେ ବୁଡ଼ି ରହିଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ସେ ଏଭଳି କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର