ଟ୍ରେନ୍‌ରେ କଟି ଯୁବକ ମୃତ

ଚନ୍ଦ୍ରଶେଖରପୁର : ପଟିଆ ବାରଙ୍ଗ ରେଳଧାରଣାରେ ଆଜି ଜଣେ ଯୁବକଙ୍କ ଟ୍ରେନ୍‌ ଧକ୍କାରେ ମୃତ୍ୟୁ ହୋଇଛି। ଯୁବକଙ୍କ କୌଣସି ପରିଚୟ ମିଳପାରି ନାହିଁ। ଏନେଇ ସୂଚନା ପାଇ ମଞ୍ଚେଶ୍ୱର ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ପଞ୍ଚନାମ ପରେ ଶବ ଉଦ୍ଧାରକରି ବ୍ୟବଚ୍ଛେଦପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି। ତେବେ ତାଙ୍କ ନିକଟରୁ ମିଳିଥିବା ଏକ ନୋଟ୍‌ବୁକ୍‌ରୁ ତାଙ୍କ ପରିଚୟ ଜାଣିବା ପାଇଁ ପୁଲିସ୍‌ ତଦନ୍ତ କରୁଛି। ଏନେଇ ଉକ୍ତ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ବନ୍ଦ ଘରୁ ଗଳିତ ଶବ ଉଦ୍ଧାର

ଚନ୍ଦ୍ରଶେଖରପୁର : କାନନବିହାର ଫେଜ୍‌ ୧ରେ ଥିବା ଏକ ବନ୍ଦ ଘରୁ ଶନିବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଜଣେ ଯୁବକଙ୍କ ଗଳିତ ଶବକୁ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳି ନପାରିବାରୁ ପୁଲିସ୍‌ ଉକ୍ତ ଘର ମାଲିକ ଓ ଅନ୍ୟ କିଛି ଲୋକଙ୍କୁ ପଚରାଉଚରା କରୁଛି। କଲୋନିରେ ବନ୍ଦଥିବା ଉକ୍ତ ଘର ନିକଟରୁ ଗନ୍ଧ ବାହାରିବାରୁ ଆଖପାଖ ଲୋକ ପୁଲିସ୍‌କୁ ସୂଚନା ଦେଇଥିଲେ। ପୁଲିସ୍‌ ଘର ନିକଟରେ ପହଞ୍ଚି ଘର ମାଲିକଙ୍କୁ ସୂଚନା ଦେଇଥିଲା। କବାଟ ଖୋଲିରୁ ଜଣେ ଯୁବକଙ୍କ ଗଳିତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲା। ଯୁବକଙ୍କ ବେକରେ ରଶି ବନ୍ଧା ହୋଇଥିବାରୁ ଏହା ଆତ୍ମହତ୍ୟା ଘଟଣା ବୋଲି ପୁଲିସ୍‌ ସନ୍ଦେହ କରୁଛି। କିଛି ଦିନ ଶବଟି ଝୁଲି ରହିବା ପରେ ଖସିପଡ଼ିଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଲଗା ପ୍ରକାର ଚର୍ଚା ହେଉଛି। ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲୁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର