କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ଦ୍ବନ୍ଦ୍ବରେ ପୁଲିସ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ତନୁଜା ଆଇଚ ନାମକ ଜ‌େଣ ମହିଳାଙ୍କ ମୃତଦେହ ସଫାରି କାର ଭିତରୁ ମିଳିବା ଘଟଣା ଏବେ ବି ରହସ୍ୟମୟ। ତନୁଜାଙ୍କ ପରିବାର ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି କହୁଥିବାବେଳେ ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିସି କ୍ୟା‌ମେରାରେ ସଫାରିଟିକୁ ଏକ ହାଇୱା ଧକ୍‌କା ଦେଇଥିବା ଜଣାପଡ଼ୁଛି। କିନ୍ତୁ ପୁଲିସ ତନୁଜାଙ୍କ ପରିବାର ଲୋକଙ୍କ ଅଭିଯୋଗ ମୁତାବକ ଏକ ହତ୍ୟା ମାମଲା ରୁଜୁ କରିଛି। ଶ୍ରୀଲିଙ୍ଗରାଜ ଥାନା ପୁଲିସ ଏବେ ଏହି ଘଟଣାକୁ ନେଇ ଏକ ଦ୍ବନ୍ଦ୍ବରେ ପଡ଼ିଛି। କାରଣ ପାରିପାର୍ଶ୍ବିକ ପରିସ୍ଥିତିରୁ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସତ, କିନ୍ତୁ କାର ଭିତରୁ ଅସ୍ତ୍ରଶସ୍ତ୍ର ମିଳିବା, ଦୁର୍ଘଟଣାରେ ଆହତ ହୋଇଥିବା ପତ୍ନୀଙ୍କୁ ମେଡିକାଲ ନେବା ବଦଳରେ କାରକୁ ଲକ୍ କରି ସ୍ବାମୀ ସଂଗ୍ରାମ ଆଇଚ ଛାଡ଼ି ପଳାଇବା, ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିବା ସହିତ ତାଙ୍କ ପତ୍ତା ନ ମିଳିବା ଘଟଣା ଏବେ ପୁଲିସ ପାଇଁ ରହସ୍ୟମୟ ହୋଇ ପଡ଼ିଛି। ପୁଲିସ ଆଜି ମୃତ ତନୁଜା ଓ ସଂଗ୍ରାମଙ୍କ ପରିବାର ଲୋକଙ୍କୁ ଭେଟି ଦୁହିଁଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଛି। ପୁଲିସ ସଂଗ୍ରାମଙ୍କ ମୋବାଇଲ୍ ଫୋନର କଲ୍ ଡିଟେଲ୍ସ ମଗାଇଛି। ଘଟଣା ରାତିରେ ସଂଗ୍ରାମ କାହା ସହିତ କଥା ହୋଇଥିଲେ ସେହି ତଥ୍ୟ ପୁଲିସ ଜାଣିବାକୁ ଉଦ୍ୟମ ଆରମ୍ଭ କରିଛି। ପୁଲିସ ଘଟଣାସ୍ଥଳରେ ଲାଗିଥିବା କେତେକ ସିସି କ୍ୟାମେରାରେ କଏଦ୍‌ ହୋଇଥିବା ଭିଡିଓକୁ ଅନୁଧ୍ୟାନ କରୁଛି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ଥାନା ଇନ୍ସପେକ୍ଟର ଜନାର୍ଦନ ପାଢ଼ି କହିଛନ୍ତି, ତଦନ୍ତ ଚାଲୁଥିବାରୁ ସେ କିଛି ବି କହି‌େବ ନାହିଁ।

ସିସି କ୍ୟାମେରାରେ ଥିବା ୩ ଯୁବକ କିଏ ?
ରାତି ୨ଟାରେ କାହିଁକି ଆସିଥିଲେ ଶ୍ରୀରାମନଗର ?
କାରରେ କାହିଁକି ରଖିଥିଲେ ଖଣ୍ଡା, ଗୁପ୍ତି ?

ପୁଲିସ ପାଇଁ କେତେକ ଅସମାହିତ ପ୍ରଶ୍ନ
୧- ସଂଗ୍ରାମଙ୍କ ଘର ଧଉଳି ଥାନା ଅଧୀନ ନୂଆଗାଁ ଆନନ୍ଦ ବିହାରରେ। କିନ୍ତୁ ରାତି ୨ଟାବେଳେ ସେ ପରିବାର ସହିତ ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗର ଆସିଥିଲେ କାହିଁକି ?
୨- ନିକଟରେ ହସ୍ପିଟାଲ ଥିଲେ ମଧ୍ୟ ତନୁଜାଙ୍କୁ କାହିଁକି ସେଠାକୁ ନେଇ ନ ଥିଲେ ସଂଗ୍ରାମ ?
୩- ହାଇୱା ସଂଗ୍ରାମଙ୍କ ସଫାରିର ବାମ ପାର୍ଶ୍ବ( ‌େଯଉଁ ପଟେ ତନୁଜା ବସିଥିଲେ)କୁ ଧକ୍‌କା ଦେବା ‌େଯାଜନାବଦ୍ଧ ନୁହେଁ ତ ?
୪- ଗାଡିରେ ପତ୍ନୀଙ୍କ ଛାଡି ପୁଅକୁ ଧରି ପଳାଇବାର ଉଦ୍ଦେଶ୍ୟ କ’ଣ ?
୫- ଦୁର୍ଘଟଣା ପ‌େର ସଂଗ୍ରାମ ଯେଉଁମାନଙ୍କ ସହିତ କଥା ହେଉଥିଲେ, ସେମାନେ କିଏ ?
୬- ଦୁର୍ଘଟଣା ପଛରେ ସେମାନଙ୍କ ସଂପୃକ୍ତି ନାହିଁ ତ ?
୭- ସଂଗ୍ରାମଙ୍କ କାର ଭିତରେ କାହିଁକି ଖଣ୍ଡା, ଗୁପ୍ତି ଭଳି ମାରଣାସ୍ତ୍ର ଥିଲା ?

ସିସି କ୍ୟାମେରାରୁ ସ୍ପଷ୍ଟ ହେଉଛି କି, ରାତି ପ୍ରାୟ ୨ଟାବେଳେ ଶ୍ରୀରାମନଗର ଛକରେ ସଫାରିକୁ ଏକ ହାଇୱା ଧକ୍କା ଦେଇଥିଲା। ଧକ୍କା ହେବା‌ ପରେ ସଂଗ୍ରାମ ସଫାରିକୁ କିଛି ବାଟ ଯାଇ ୟୁଟର୍ନ କରି ବୁଲାଇ ଆଣିଥିଲେ। ୧୦ ମିଟର ଦୂରରେ ସଂଜୀବନୀ ହସ୍ପିଟାଲ ଥିଲା। କିନ୍ତୁ ସେଠାକୁ ନ ଯାଇ ସେ ହନୁମାନମନ୍ଦିର ନିକଟରେ କାର ପାର୍କିଂ କରି ଓହ୍ଲାଇ ଚାଲି ଯାଇଥିଲେ। ବାମ ପଟେ ପୁଅକୁ କୋଳେଇ ଥିବା‌େବଳେ ଡାହାଣ ହାତରେ ଏକ ବ୍ୟାଗ୍ ଧରିଲେ। ପରେ ସେ ସେହି ରାସ୍ତାରେ ୩ ଜଣ ଯୁବକଙ୍କ ସହିତ କିଛି ସମୟ କଥା ହୋଇଥିଲେ। ଏହା ପରେ ଦୁଇ ଜଣ ଯୁବକ ବାଇକ୍‌ରେ ଚାଲି ଯାଇଥିଲେ, ଜଣେ ଚାଲି ଚାଲି ପଳାଇଥିଲେ। ସିସି କ୍ୟାମେରାରୁ ପୁଲିସ ଏସବୁ ଦେଖିବା ପରେ ଏବେ ଦ୍ବନ୍ଦ୍ବରେ ପଡ଼ିଛି। ଏହା ଏକ ଦୁର୍ଘଟଣା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ ସେ ନେଇ ଖୋଳତାଡ଼ ଆରମ୍ଭ କରିଛି ପୁଲିସ। କାରଣ ପୂର୍ବରୁ ଅନେକ ଥର ତନୁଜା ଓ ସଂଗ୍ରାମଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି। ତନୁଜାଙ୍କୁ ତାଙ୍କ ସ୍ବାମୀ, ନଣନ୍ଦ, ଦିଅର, ଶାଶୂ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିଲେ। ଏନେଇ ବାରମ୍ବାର ଝଗଡ଼ା ହେବା ସହ ଶ୍ରୀଲିଙ୍ଗରାଜ ଥାନା ଓ ଧଉଳି ଥାନାରେ ଅନେକ ଥର ସମାଧାନ ମଧ୍ୟ ହୋଇଛି। ଏକ ବର୍ଷ ତଳେ ତନୁଜାଙ୍କ ଛାଡି ସଂଗ୍ରାମ ପଳାଇଥିଲେ। କିଛି ଦିନ ତଳେ ପୁଣି ଥରେ ଫେରି ଆସି ପୁଅକୁ ନେବାକୁ ଜିଦ୍ କରିଥିଲେ। ତନୁଜାଙ୍କ ପରିବାର ଲୋକ ପୁଅକୁ ଦେବେ ନାହିଁ ବୋଲି ସ୍ପଷ୍ଟ କରିବା ପରେ ସଂଗ୍ରାମ ଆଉ ପାଟିତୁଣ୍ଡ ନ କରି ତନୁଜାଙ୍କ ସହିତ ମିଶି କରି ରହିବା ଆରମ୍ଭ କରିଥିଲେ। କିନ୍ତୁ ସେ ମନେ ମନେ ଯୋଜନା କରି ତନୁଜାଙ୍କ ରାସ୍ତାରୁ ହଟାଇବା ସହିତ ପୁଅକୁ ନେବାକୁ ଉଦ୍ୟମ କରୁଥିଲେ ବୋଲି ପୁଲିସ ଏବେ ତଦନ୍ତବେଳେ ଜାଣିବାକୁ ପାଇଛି। ତେଣୁ ପୁଲିସ ଏବେ ସଂଗ୍ରାମଙ୍କୁ ଖୋଜିବା ଆରମ୍ଭ କରିଛି। ସଂଗ୍ରାମଙ୍କ ନିଜ ଗାଁ ଢ଼େଙ୍କାନାଳ ଥାନା ଅଧୀନ ମରୁଦଙ୍ଗାରରେ ଚଢ଼ଉ କରିଥିଲା, କିନ୍ତୁ ସେଠାରେ ବି ସଂଗ୍ରାମଙ୍କ ପତ୍ତା ମିଳିନାହିଁ। ସେହିପରି ଯେଉଁ କାର ଭିତରୁ ତନୁଜାଙ୍କ ମୃତଦେହ ମିଳିଛି ତାହା ଏସ୍ଆ୍ର କ୍ୟାରିଅର ନାମକ ଏକ ଟ୍ରାନ୍ସପୋର୍ଟ କମ୍ପାନି ନାଁରେ ରହିଛି। ପୂର୍ବରୁ ସଂଗ୍ରାମ ଓ ତନୁଜା ମିଶି କରି ଟ୍ରାନ୍ସପୋର୍ଟ କମ୍ପାନି ଚଳାଉଥିଲେ। ତେଣୁ ଯେଉଁ ହାଇୱା ଦୁର୍ଘଟଣା ଘଟାଇଛି ତାକୁ ‌େନଇ ମଧ୍ୟ ‌େଖାଳତାଡ଼ ଆରମ୍ଭ ହୋଇଛି। ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ଆସିବା ପରେ ଘଟଣା ସ୍ପଷ୍ଟ ହେବ। ପୁଲିସ ତଦନ୍ତ ଚାଲିଛି। ଖୁବ୍ ଶୀଘ୍ର ରହସ୍ୟ ଉନ୍ମୋଚନ ହେବ।

ସମ୍ବନ୍ଧିତ ଖବର