କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା, ହତ୍ୟାକାରୀ ନିକଟରେ ପୁଲିସ

ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ

ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ଶ୍ରୀରାମନଗର ହନୁମାନ ମନ୍ଦିର ନିକଟରୁ ତନୁଜା ଆଇଚ ନାମକ ଜ‌େଣ ମହିଳାଙ୍କ ମୃତଦେହ ସଫାରି କାର ଭିତରୁ ମିଳିବା ଘଟଣାରେ ପୁଲିସକୁ ସଫଳତା ମିଳିଛି। ପୁଲିସ ହତ୍ୟାକାରୀ ସଂଗ୍ରାମଙ୍କ ନିକଟ‌େର ପହଞ୍ଚିଛି। ଯାଜପୁର ଅଞ୍ଚଳରୁ ପୁଲିସ ତାଙ୍କୁ ଉଠାଇ ଆଣିଛି। ଆ‌ସନ୍ତାକାଲି ତାଙ୍କୁ ଗିରଫ ଦର୍ଶାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେହିପରି ଆଜି ମୃତ ତନୁଜାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି। ରିପୋର୍ଟରେ ତାଙ୍କୁ ମୁଣ୍ଡକୁ ଶକ୍ତ ଅଘାତ ଲାଗିଛି। ଯେଉଁ କାରଣରୁ ତାଙ୍କର ମୃତ୍ୟୁ ଘଟିଛି ବୋଲି ଡାକ୍ତର ରିପୋର୍ଟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଘଟଣାର ଖୋଳତାଡ଼ କରି ପୁଲିସ ଏବେ ଜାଣିବାକୁ ପାଇଛି ତନୁଜାଙ୍କୁ ସଂଗ୍ରାମ ତାଙ୍କ ଘରେ ହିଁ ହତ୍ୟା କରିଛି। ତେଣୁ ପୁଲିସ ସ୍ପଷ୍ଟ ହୋଇଛି ତନୁଜାଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ନୁହେଁ ବରଂ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ। ପୁଲିସ ସଂଗ୍ରାମଙ୍କ ଜଣେ ମହିଳା ବନ୍ଧୁଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି। ତନୁଜାଙ୍କ ମୃତ୍ୟୁ ପଛରେ ତାଙ୍କର କିଛି ଭୂମିକା ଅଛି କିମ୍ବା ନାହିଁ ପୁଲିସ ତାର ଛାନଭିନ୍ ଚଳାଇଛି। ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ପୁଲିସର ୩ଟି ଟିମ୍‌ ସଂଗ୍ରାମଙ୍କୁ ଖୋଜିଖୋଜି କରିବା ଲାଗି ଯାଜପୁର, ଢେଙ୍କାନାଳ ଓ ପୁରୀରେ ଚଢ଼ଉ କରିଥିଲା। କିନ୍ତୁ ସଂଗ୍ରାମର ପତ୍ତା ମିଳି ନ ଥିଲା। ଆଜି ସଂଗ୍ରାମ ଯାଜପୁରରେ ଥିବା ପୁଲିସ ଜାଣି ପାରିବା ପରେ ଏକ ଟିମ୍ ସଂଧ୍ୟାରେ ସେଠାକୁ ଯାଇଛି। ସେହିପରି ଗତକାଲି ଶ୍ରୀ ଲିଙ୍ଗରାଜ ଥାନା ପୁଲିସ ତନୁଜା ରହୁଥିବା ନୂଆଗାଁ ଆନନ୍ଦବିହାର ଘରକୁ ଯାଇଥିଲା। ଘର ବାହାର ପଟୁ ତାଲା ପଡ଼ିଥିଲା। ପୁଲିସ ତାଲା ଭାଙ୍ଗି ଘର ଭିତରକୁ ପଶି ଦେଖିଥିଲା ଯେ, ଘର ଭିତରେ ଆଲମାରି ‌େଖାଲା ରହିଛି, ଖଟ ଉପରେ ବିଛଣାପତ୍ର ଏଣେତେଣେ ପଡ଼ିଛି। ଘର ଭିତରେ ଥିବା ଆସବାବପତ୍ର ଏପାଖସେପାଖ ହୋଇଛି। ତନୁଜାଙ୍କ ଚୁଡି ଭାଙ୍ଗି ଘରର ବିଭିନ୍ନ ସ୍ଥାନରେ ପଡ଼ିଛି। ତେଣୁ ଘର ଭିତରେ ତନୁଜାଙ୍କ ସହିତ ସଂଗ୍ରାମଙ୍କ ପାଟିତୁଣ୍ଡ ସହ ଧସ୍ତାଧସ୍ତି ହୋଇଛି। ଏହି କାରଣରୁ ପୁଲିସ ସନ୍ଦେହ କରୁଛି ଘର ଭିତରେ ହିଁ ତନୁଜାଙ୍କୁ ହତ୍ୟା କରାଯାଇଛି। କିନ୍ତୁ ଘର ଭିତରେ ରକ୍ତର ଚିହ୍ନବର୍ଣ ନାହିଁ। ତେଣୁ ପୁଲିସ ପୁଣି ଥରେ ଦ୍ବନ୍ଦ୍ବରେ ପଡ଼ିଛି।

ସଂଗ୍ରାମଙ୍କ ମହିଳା ବନ୍ଧୁ ଥାନାରେ ଅଟକ
ଘର ଭିତରେ ତନୁଜାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ

ସେହିପରି ପୁଲିସ ଆଜି ଏକ୍ସପର୍ଟକୁ ଡକାଇ ଦୁର୍ଘଟଣା ହୋଇଥିବା ସଫାରିକୁ ‌େଦଖାଇଥିଲା। ସେହି ଏକ୍ସପର୍ଟ ଜଣକ କହିଛନ୍ତି, ଯେଉଁ ଆକାରରେ ଦୁଘର୍ଟଣା ଘଟିଛି ଏଥିରେ ଜଣେ ମରିବା ସମ୍ଭାବନା ନାହିଁ। ଦୁଘର୍ଟଣା ହୋଇଥିଲେ ମଧ୍ୟ କାରର ଇଂଜିନ ବା ଡ୍ୟାସବୋର୍ଡରେ କୌଣସି ବଡ଼ ଧରଣର କ୍ଷୟକ୍ଷତି ଘଟିନାହିଁ। ତେଣୁ ପୁଲିସ ତଦନ୍ତକୁ ଦିଗହରା କରିବାକୁ ସଂଗ୍ରାମ ଜାଣିଶୁଣି ଦୁଘର୍ଟଣା ଘଟାଇଛି ବୋଲି ଅନୁମାନ କରାଯାଉଛି। ତନୁଜାଙ୍କ ମୃତଦେହ କାର ଭିତରୁ ମିଳିବାବେଳେ ସେ ତଳକୁ ମୁହଁ କରି ପଡ଼ିଥିଲେ। ଏହି ସମୟରେ ତାଙ୍କ ମୁଣ୍ଡ, ନାକ ଓ କାନରୁ ରକ୍ତ ବାହାରୁ ଥିଲା। କିନ୍ତୁ କାର ଭିତରେ ରକ୍ତ ଏତେ ପରିମାଣରେ ନ ଥିଲା। ଯେଉଁଥି ପାଇଁ ସନ୍ଦେହ ପୁଣି ବଢ଼ିଛି। ପୁଲିସ କହିବା ଅନୁଯାୟୀ, ଯଦି ଦୁର୍ଘଟଣାରେ ତନୁଜାଙ୍କ ମୃତ୍ୟୁ ଘଟିଛି, କାର ଭିତରେ ରକ୍ତ ଧାରଧାର ହୋଇ ବୋହିବା କଥା। ଯାହା ଘଟିନାହିଁ। ତେଣୁ ତାଙ୍କୁ ଅନ୍ୟ କେଉଁଠି ହତ୍ୟା କରାଯାଇଛି ବୋଲି ସ୍ପଷ୍ଟ ହୋଇଛି। ତେବେ ଏ ସମ୍ପକର୍ରେ ଡିସିପି ଅନୁପ ସାହୁ କହିଛନ୍ତି, ପୁଲିସ ତଦନ୍ତ ଚଳାଇଛି। ଖୁବ୍ ଶୀଘ୍ର ଘଟଣାର ପର୍ଦାଫାସ ହେବ।

ସମ୍ବନ୍ଧିତ ଖବର