ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ଅଞ୍ଚଳରେ ଥିବା କିମ୍ଭୀରିଆ ବସ୍ତିରେ ଏକ ଗାଡ଼ି ଭିତରୁ ମୃତଦେହ ମିଳିଛି। ମୃତକ ହେଉଛନ୍ତି ନବ ବିଶ୍ୱାଳ। ଗାଡ଼ି କାଚ ଭାଙ୍ଗି ତାଙ୍କ ଶବ ଉଦ୍ଧାର କରାଯାଇଛି। ମଞ୍ଚେଶ୍ବର ଥାନା ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ମଞ୍ଚେଶ୍ବର ପୁଲିସ କହିଛି। ଅତ୍ୟଧିକ ମଦ୍ୟପାନ ଯୋଗୁଁ ବନ୍ଦ ଗାଡ଼ି ଭିତରେ ରହି ଯାଇଥିବାରୁ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲସ ସନ୍ଦେହ କରୁଛି। ତେବେ ପରିବାର ସଦସ୍ୟ କିନ୍ତୁ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି। ନବଙ୍କୁ ହତ୍ୟା କରାଯାଇଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।
ସୂଚନା ମୁତାବକ, ମଞ୍ଚେଶ୍ୱର ଥାନା କିମ୍ଭୀରିଆ ବସ୍ତିରେ ରହୁଥିବା ନବ ଗତ ରାତିରେ ନିଜ ବଲେରୋ ଗାଡ଼ି ନେଇ ବାହାରକୁ ଆସିଥିଲେ। ସାଙ୍ଗସାଥୀମାନଙ୍କ ସହ ଭୋଜି କରୁଛନ୍ତି ବୋଲି ଘରେ କହିଥିଲେ। କିନ୍ତୁ ରାତିରେ ନ ଫେରିବାରୁ ପରିବାରଲୋକ ତାଙ୍କୁ ବାରମ୍ବାର ଫୋନ୍ କରିଥିଲେ। କିନ୍ତୁ ନବ ଉତ୍ତର ନ ଦେବାରୁ ପରିବାରଲୋକଙ୍କର ସନ୍ଦେହ ବଢ଼ିଥିଲା। ନବଙ୍କ ପତ୍ନୀ ଖୋଜାଖୋଜି କରିବା ପରେ ବିଳମ୍ବିତ ରାତିରେ ବସ୍ତି ନିକଟରେ ତାଙ୍କ ବୋଲେରୋ ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ। କାର୍ କାଚ ଭିତରପଟୁ ବନ୍ଦ ଥିଲା। କାଚ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହତ୍ୟା ଅଭିଯୋଗ ହୋଇଥିଲେ ମଧ୍ୟ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।