କେନାଲରୁ ଯୁବତୀଙ୍କ ଶବ ଜବତ, ଦୁଷ୍କର୍ମ ଓ ହତ୍ୟା ସନ୍ଦେହ

ଭୁବନେଶ୍ୱର/ପିପିଲି: ପିପିଲି ଥାନା କୁସିଦା ଗ୍ରାମ ନିକଟ ତେଇସିପୁର ପଞ୍ଚାୟତ ସୋଲଣା ମୌଜାର ଏକ ସଫେଇ କେନାଲରୁ ଜଣେ ମହିଳାଙ୍କ ଗଳିତ ଶବ ଆଜି ଅପରାହ୍ନରେ ପିପିଲି ପୁଲିସ ଉଦ୍ଧାର କରିଛି। ମୃତା ଯୁବତୀ ଜଣକ ଭୁବନେଶ୍ବର ବଡ଼ଗଡ଼ ବ୍ରିଟ୍‌ କଲୋନି ଭୋଇ ସାହିର କରଣ ଭୋଇଙ୍କ ଅବିବାହିତା ଝିଅ ମମତା(୨୯) ବୋଲି ଜଣାପଡ଼ିଛି। ପୁଲିସଠାରୁ ଖବର ପାଇ ମମତାଙ୍କ ଦାଦା, ଦୁଇ ଭାଇ ଚନ୍ଦନ ଓ ଦୀପୁ ଘଟଣାସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି। ଏହି ହତ୍ୟାକାଣ୍ତରେ ମଙ୍ଗଳପୁର ଅଞ୍ଚଳର ଜଣେ ଯୁବକ ସମ୍ପୃକ୍ତ ଥିବା ମୃତା ମମତାଙ୍କ ଦାଦା ଗଣେଶ ଭୋଇ ସନ୍ଦେହ କରିବା ସହ ମମତା ୯ ଦିନ ହେବ ନିଖୋଜ ଥିବା ପ୍ରକାଶ କରିଛନ୍ତି। ସୂଚନା ଅନୁଯାୟୀ ଗୁରୁବାର ସକାଳେ ନିକଟବର୍ତୀ କୁସିଦା ଗ୍ରାମର ଲୋକେ ମାଛ ମାରିବାକୁ ଉକ୍ତ ସଫେଇ କେନାଲକୁ ଯାଇଥିଲେ। କେନାଲର ଦଳ ଭର୍ତ୍ତି ପାଣିରେ ଜଣେ ଯୁବତୀଙ୍କ ଶବ ଭାସୁଥିବାର ସେମାନେ ଦେଖିଥିଲେ। ସୂଚନା ପାଇ ଥାନାଧିକାରୀ ଶରତ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ପାଣିରୁ ଗଳିତ ଶବ ଉଦ୍ଧାର କରିଥିଲେ। କିଛି ଦୂରରେ ପଡ଼ିଥିବା ଏକ ଭ୍ୟାନିଟି ବ୍ୟାଗ୍‌ରେ ଥିବା ଆଧାର କାର୍ଡରୁ ଯୁବତୀ ଜଣକ ଭୁବନେଶ୍ବର ବଡ଼ଗଡ଼ ବ୍ରିଟ କଲୋନି ନିକଟ ଭୋଇସାହିର କରଣ ଭୋଇଙ୍କ ଝିଅ ମମତା ଭୋଇ ବୋଲି ଜଣାପଡ଼ିଥିଲା। ପୁରୀରୁ ଫୋରେନ୍‌ସିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିବା ପରେ ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ କରୁଛି। ତେବେ ଏହି ମହିଳା ଜନବସତି ଠାରୁ ପ୍ରାୟ ୩କିମି ଦୂର ଓ ଏକ ନିଛାଟିଆ ସ୍ଥାନକୁ କିପରି ଓ କେଉଁ ପରିସ୍ଥିତିରେ ଆସିଲେ ତାହାର ସଠିକ କାରଣ ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଏହି ମହିଳାଙ୍କୁ ଦୁଷ୍କର୍ମ ବା ଗଣଦୁଷ୍କର୍ମ ପରେ ଦୁର୍ବୃତ୍ତମାନେ ଏଠାରେ ଆଣି ଫିଙ୍ଗିଦେଇଥିବାର ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

ସମ୍ବନ୍ଧିତ ଖବର