ଧଉଳି : କୌଶଲ୍ୟାଗଙ୍ଗ ଫାଣ୍ଡି ପୁଲିସ ଆଜି ପୂର୍ବାହ୍ନରେ ସ୍ଥାନୀୟ ଗୁଡ଼ିଆପୋଖରୀସ୍ଥିତ ସାଇମନ୍ଦିର ନିକଟ ଏକ ନିର୍ମାଣାଧୀନ ୪ମହଲା ବିଲ୍ଡିଂରୁ ଜଣେ ଯୁବକଙ୍କ ଗଳିତ ଶବ ଜବତ କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଓ ଉତ୍ତରା ଫାଣ୍ଡି ଅଧିକାରୀ ସୌମ୍ୟରଞ୍ଜନ ଜେନା ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି କଟକ ଫରେନ୍ସିକ୍ ଲାବରୋଟାରିକୁ ପଠାଇଥିବା ଜଣାଯାଇଛି। ଏ ସଂପର୍କରେ ପିପିଲି ଥାନାରେ ନଂ ୫/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ମୃତ ଯୁବକଙ୍କ ବୟସ ୨୫ରୁ ୩୦ବର୍ଷ ମଧ୍ୟରେ ହେବ। ସେ କଳାରଙ୍ଗର ଜିନ୍ସ ପ୍ୟାଣ୍ଟ ଓ ନୀଳରଙ୍ଗର ଗଞ୍ଜି ପିନ୍ଧିଥିଲେ। ପୁଲିସ ଶବ ଜବତ ବେଳେ ତାଙ୍କ ପ୍ୟାଣ୍ଟ ପକେଟରୁ ଦେଢ଼ଫୁଟ ଲମ୍ବର ଏକ ଷ୍ଟିଲ ପାଇପ୍ ଜବତ କରିଛି।
ସୂଚନାନୁଯାୟୀ, ଉକ୍ତ ବିଲ୍ଡିଂରେ କିଛି ଦିନ ହେଲା କାମ ବନ୍ଦ ଥିବା ବେଳେ ମୁଖ୍ୟ ଗେଟ୍ରେ ତାଲା ପଡ଼ିଥିଲା। ଆଜି କିଛି ଶ୍ରମିକ ସେ ପାଖରେ କାମ କରୁଥିବା ବେଳେ ଉତ୍କଟ ଗନ୍ଧ ହୋଇଥିଲା। ସନ୍ଦେହ ହେବାରୁ ସେମାନେ ପୁଲିସକୁ ସୂଚନା ଦେଇଥିଲା। ପୁଲିସ୍ ଗେଟ୍ ଖୋଲି ଦେଖିବା ବେଳକୁ ତଳ ମହଲା ଲିଫ୍ଟରେ ଯୁବକଙ୍କ ଗଳିତ ଶବ ପଡ଼ିଥିଲା। ବିଲ୍ଡିଂ ବନ୍ଦ ଥିବା ବେଳେ ସେ ଏଠାକୁ କେମିତି ଆସିଲେ ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା?
ଯୁବକଜଣଙ୍କ ରାଜମିସ୍ତ୍ରି ଓ କାମ କରିବା ବେଳେ ଭାରା କିମ୍ବା ଲିଫ୍ଟରୁ ଖସିପଡ଼ି ତାଙ୍କର ମୃତ୍ୟୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ମାମଲା ଭୟରେ ଅନ୍ୟ ମିସ୍ତ୍ରି ଓ ଶ୍ରମିକମାନେ ଗେଟ୍ରେ ତାଲା ପକାଇ ଫେରାର୍ ହୋଇଯାଇଥିବା ଅନୁମାନ କରାଯାଉଛି। ନଚେତ୍ ଚୋରି କରିବାକୁ ଆସି ୪ ମହଲାରୁ ମୁକୁଳା ଲିଫ୍ଟ ପଟେ ତଳକୁ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଏହି ଘଟଣାରେ ପୁଲିସ୍ ଉକ୍ତ ଘରର ମାଲିକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। କିନ୍ତୁ ଏ ସଂପର୍କରେ ସେ କିଛି ଜାଣି ନଥିବା ପୁଲିସ୍ ଆଗରେ ବୟାନ ଦେଇଛନ୍ତି। ସତ୍ୟତା ଜାଣିବା ପାଇଁ ପୁଲିସ ଆଖପାଖରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିବ ବୋଲି କହିଛି।