ରିୟଲ ଇଷ୍ଟେଟ ଅଫିସ ବାଲକୋନିରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସଂଦେହ

ଭୁବନେଶ୍ବର : ସହିଦନଗରର ଏକ ରିୟଲ ଇଷ୍ଟେଟ ଅଫିସ (ପ୍ଲଟ୍ ନଂ-୫୩୭)ବାଲକୋନିରୁ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି । ମୃତକ ହେଲେ ପିପିଲିର ଯାଜୁଲ୍ୟମାନ ନାଥ । ସେ ଉକ୍ତ ରିୟଲ ଇଷ୍ଟେଟ୍ ଅଫିସରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ କାମ କରନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିଲା ବେଳେ ଆତ୍ମହତ୍ୟା ନା ହତ୍ୟା ତାହା ଏବେ ସନ୍ଦେହ ଘେରରେ ରହିଛି । ଖବର ପାଇ ତାଙ୍କ ଘର ଲୋକ ଏଠାରେ ପହଞ୍ଚିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଯାଜୁଲ୍ୟମାନ ସେହି ଅଫିସରେ କାମ କରିବା ସହ ସେଠାରେ ରହନ୍ତି । ଆଜି ସକାଳେ ବାଲକୋନିରେ ମୃତଦେହ ଦେଖି ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଇଥିଲେ । ଯଦି ସେ ଆତ୍ମହତ୍ୟା କରିଛନ୍ତି ତାହାଲେ ଘର ଭିତରେ ନ କରି ବାଲକୋନିରେ କାହିଁକି କଲେ ବୋଲି ପ୍ରଶ୍ନ ସୃଷ୍ଟି ହୋଇଛି ।  କାରଣ କ’ଣ ରହିଛି ସେ ସମ୍ପର୍କରେ ପୁଲିସ ଅଧିକ ଖୋଳତାଡ଼ ଚଳାଇଛି | କିଛି ମନୋମାଳିନ୍ୟ କିମ୍ବା କୌଣସି କାରଣକୁ ନେଇ କାହା ସହ ବିବାଦ ଥିଲା କି  ବୋଲି ପ୍ରଶ୍ନ ଉଠିଛି । ପୁଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

ସମ୍ବନ୍ଧିତ ଖବର