ଭୁବନେଶ୍ୱର: ଆଇଆର୍ସି ଭିଲେଜ୍ ହାଇସ୍କୁଲ୍ ପରିସରରୁ ପୂର୍ଣ୍ଣଚନ୍ଦ୍ର ନାୟକ ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାର ମାସକ ପରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ହତ୍ୟାକରୀକୁ ଗିରଫ କରିବାରେ ସଫଳ ହୋଇଛି। ସେ ହେଲା ଯାଜପୁର ଜିଲ୍ଲା ବରୀ ହଳଦୀବସନ୍ତ ଅଞ୍ଚଳର ନରେଶ ମଲ୍ଲିକ(୨୭)। ଏଠାରେ ବାଲିଅନ୍ତା ଥାନା ଅଟଳା ଅଞ୍ଚଳରେ ରହି ଶ୍ରମିକ ଭାବେ କାମ କରୁଥିଲା। ହେଲେ ମୁଖ୍ୟ ଅଭିଯକ୍ତୁ ପୂର୍ଣ୍ଣଚନ୍ଦ୍ର ଜେନା ଏବେ ବି ଫେରାର୍ ରହିଛି। ପୁଲିସ ସୂଚନା ମୁତାବକ, ପୂର୍ଣ୍ଣ ଜେନା ଓ ପୂର୍ଣ୍ଣ ନାୟକ ଦୁଇଜଣ ଭଲ ବନ୍ଧୁ। ଉଭୟଙ୍କ ମଧ୍ୟରେ ବ୍ୟବସାୟିକ ସମ୍ପର୍କ ଥିଲା। ପୂର୍ଣ୍ଣ ଜେନା ସାଲିଆସାହି ତାରିଣୀ ନଗରରେ ରୁହେ। ହେଲେ ହତ୍ୟାକାଣ୍ଡ ପରଠାରୁ ସେ ସାଲିଆସାହି ଘରେ ରହୁ ନାହିଁ। ଘରେ ତାଲା ପକାଇ କେଉଁଆଡ଼େ ଚାଲିଯାଇଛି। ପୂର୍ଣ୍ଣ ଉପରେ ସନ୍ଦେହ ହେବାରୁ ପୁଲିସ ତା ସଂପର୍କରେ ଅଧିକ ଖୋଳତାଡ଼ କରିଥିଲା। ପୁଲିସ ପୂର୍ଣ୍ଣର ନମ୍ବରକୁ ଯାଞ୍ଚ କରି ଆଉ ଏକ ସୁରାକ ପାଇଥିଲା। ହତ୍ୟାକାଣ୍ଡ ପରଠାରୁ ସେ ଗୋଟିଏ ନମ୍ବରେର ବିଭିନ୍ନ ସମୟରେ କଥା ହୋଇଛି। ଯେଉଁ ବ୍ୟକ୍ତିଙ୍କ ସହ ପୂର୍ଣ୍ଣ କଥା ହେଉଥିଲା ସେ ପୂର୍ଣ୍ଣ ପାଖାପାଖି ରହୁଥିଲା। ପୁଲିସ ନମ୍ବର ଟ୍ରାକିଂ କରି ବାଲିଅନ୍ତା ଥାନା ଅଟଳାରେ ପହଞ୍ଚି ଏକ ନିର୍ମାଣାଧୀନ କୋଠାରୁ ନରେଶକୁ ଗିରଫ କରିଥିଲା। ସେଠାରୁ ରକ୍ତଲଗା ସାର୍ଟ ଓ ଭୁଜାଲି ଜବତ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଥାନାକୁ ଆଣି ପଚରାଉଚରା ପରେ ନରେଶ ସ୍ବୀକାର କରିଥିଲା ଯେ, ଅର୍ଥ କାରବାରକୁ ନେଇ ପୂର୍ଣ୍ଣ ଜେନା ଓ ପୂର୍ଣ୍ଣ ନାୟକ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ତେବେ ପୂର୍ଣ୍ଣଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ପୂର୍ଣ୍ଣ ଜେନା ଯୋଜନା କରିଥିଲା। ହତ୍ୟାକାଣ୍ଡ ଦିନ ମୋବାଇଲ୍ ହଜି ଯାଇଛି କହି ତାକୁ ଆଇଆର୍ସି ସ୍କୁଲ୍ ଭିତରକୁ ଡକାଇଥିଲେ। ସେ ମୋବାଇଲ୍ ଖୋଜୁଥିବା ବେଳେ ତା ବେକକୁ ଉଭୟ ଭୁଜାଲିରେ ଚୋଟ ମାରିଥିଲେ। ଏହାପେର ସେଠାରୁ ଉଭୟ ପଳାଇଥିଲେ। ପୂର୍ଣ୍ଣ ନରେଶକୁ ଅଟଳାରେ ଛାଡ଼ି ଫେରାର ହୋଇଯାଇଥିଲା। ପଚରାଉଚରା ପରେ ପୁଲିସ ନରେଶକୁ କୋର୍ଟ ଚାଲାଣ କରିଛି। ତେବେ ପୂର୍ଣ୍ଣକୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ଆଆଇସି ଉମାକାନ୍ତ ପ୍ରଧାନ କହିଛନ୍ତି। ସୂଚନାଯୋଗ୍ୟ ଯେ, ୨୧ ତାରିଖ ସକାେଳ ଆଇଆର୍ସି ଭିଲେଜ ହାଇସ୍କୁଲ୍ ପରିସରରୁ ପୂର୍ଣ୍ଣଙ୍କ ରକ୍ତାକ୍ତ ଶବ ଉଦ୍ଧାର କରାଯାଇଥିଲା।