ଗାଡ଼ି ଭିତରୁ ଚାଳକଙ୍କ ମୃତଦେହ ମିଳିବା ଘଟଣାକୁ ୪ ଦିନ ବିତିଲା, ୪ ଜଣଙ୍କୁ ମୁହାଁମୁହିଁ ଜେରା

ଭୁବନେଶ୍ବର: ଷ୍ଟେସନ ବଜାର ଦୁର୍ଗା ମଣ୍ଡପ ନିକଟରେ ଗାଡ଼ି ଭିତରୁ ଚାଳକ ତଥା ମାଲିକ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ମୃତଦେହ ମିଳିବା ଘଟଣାକୁ ୪ ଦିନ ବିତି ଗଲାଣି। କିନ୍ତୁ ଏଯାଏ ମୃତ୍ୟୁ ଉପରୁ ପରଦା ହଟି ପାରିନାହିଁ। ଗତକାଲି ଧରା ପଡ଼ିଥିବା ଯୁବକ ଓ ପୂର୍ବରୁ ଜେରା ହୋଇଥିବା ତିନିଜଣ ଯୁବକଙ୍କୁ ଆଜି ମୁହାଁମୁହଁ କରିଛି ପୁଲିସ। ସେମାନଙ୍କୁ ଜେରା ପରେ ପୁଲିସକୁ କିଛି ତଥ୍ୟ ମିଳିଛି। ମୃତଦେହ ମିଳିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ରବିବାର ରାତିରେ କୃଷ୍ଣଚନ୍ଦ୍ର ଓ ଜେରା ହୋଇଥିବା ୪ ଯୁବକ ଏକାଠି ମିଶି ଭୋଜି କରିବା ସହ ମଦ୍ୟପାନ କରିଥିଲେ। ଖାଇବା ପିଇବା ସରିବା ପରେ ୩ ଜଣ ଯୁବକ ଚାଲି ଯାଇଥିଲେ। କିନ୍ତୁ ଗତକାଲି ଧରାପଡ଼ିଥିବା ଯୁବକଜଣଙ୍କ କୃଷ୍ଣଚନ୍ଦ୍ରଙ୍କ ସହ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲା।

ଏହାର ପରଦିନ ଅର୍ଥାତ୍ ସୋମବାର ଅପରାହ୍‌ଣରେ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ମିଳିବା ପରେ ସେହି ଯୁବକଜଣକ ଫେରାର୍‌ ହୋଇ ଯାଇଥିଲା। ସେହି ଯୁବକ ଉପରୁ ପୁଲିସର ସନ୍ଦେହ ହଟି ନଥିବାରୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପକ୍ଷରେ ଘଟଣାକୁ ୪ ଦିନ ବିତିଯାଇଥିଲେ ମଧ୍ୟ ଏଯାଏ କୃଷ୍ଣଚନ୍ଦ୍ରଙ୍କ ମୃତଦେହର କରୋନା ପରୀକ୍ଷା ରିପୋର୍ଟ ଆସି ପାରିନାହିଁ। ଫଳରେ ଶବ ବ୍ୟବଚ୍ଛେଦ ହୋଇପାରି ନାହିଁ। ତେଣୁ ମୃତ୍ୟୁ ରହସ୍ୟ ଉନ୍ମୋଚନ ହେବାରେ ଦିନ ପରେ ଦିନ ଗଡ଼ି ଚାଲିଛି। ପରିବାରଲୋକ ପୁଅର ମୃତଦେହ କେବେ ପାଇବେ, ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ଭାବେ ଛିଡ଼ା ହୋଇଛି। ଏଭଳି ଏକ ସମ୍ବେଦନଶୀଳ ମାମଲାରେ କରୋନା ପରୀକ୍ଷା ରିପୋର୍ଟ ବିଳମ୍ବ ହେଉ ଥିବାରୁ ବିଭାଗ ପ୍ରତି ଅଙ୍ଗୁଳି ନିର୍ଦେଶ କରିଛି। କାହିଁକି ଏଭଳି ମାମଲାରେ କରୋନା ପରୀକ୍ଷା ରିପୋର୍ଟ ଆସିବାରେ ବିଳମ୍ବ ହେଉଛି? କେଉଁଠି ଅସୁବିଧା ରହୁଛି? ଗୋଟିଏ ଦିନ ପରେ ଆସିବ ବୋଲି କୁହାଯାଉଥିଲେ ମଧ୍ୟ କାହିଁକି ଏତେ ବିଳମ୍ବ ହେଉଛି? ସେ ନେଇ ମଧ୍ୟ କାହାରି ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ସୂଚନାଯୋଗ୍ୟ, ଗତ ସୋମବାର ଷ୍ଟେସନ ବଜାର ଦୁର୍ଗା ମଣ୍ଡପ ନିକଟରୁ ଡାଲା ଅଟୋରୁ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରା ଯାଇଥିଲା।

ସମ୍ବନ୍ଧିତ ଖବର