ଭାର୍ଗବୀ ନଦୀପଠାରୁ ଶବ ଜବତ ଘଟଣା, ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା

ମୃତ୍ୟୁର କାରଣ ଖୋଜୁଛି ପୁଲିସ, ଏଯାଏ ଅଭିଯୋଗ କରିନାହାନ୍ତି ପରିବାର ଲୋକ

ଧଉଳି: ସରଦେଇପୁରସ୍ଥିତ ଭାର୍ଗବୀ ନଦୀପଠାରୁ କାଠ କାରିଗର ଜଗନ୍ନାଥ ମହାରଣା (୩୦)ଙ୍କ ମୃତଦେହ ଉଦ୍ଧାର ହେବାକୁ ୩୬ ଘଣ୍ଟାରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ଏପର୍ଯ୍ୟନ୍ତ ମୃତ୍ୟୁ ରହସ୍ୟ ଜଣାପଡ଼ି ନାହିଁ। ପରିବାରଲୋକଙ୍କ ପକ୍ଷରୁ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହୋଇ ନଥିବାରୁ ପୁଲିସ୍ ତଦନ୍ତ ଆଗେଇ ପାରିନାହିଁ। କେବଳ ଗ୍ରାମରକ୍ଷୀଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ନିଜ ଆଡ଼ୁ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ସେଥିରୁ କିଛି ତଥ୍ୟ ଉନ୍ମୋଚିତ ହୋଇପାରେ ବୋଲି ପୁଲିସ ଆଶା ରଖିଛି।

ଥାନାର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଶବ ଉଦ୍ଧାର ହୋଇଥିବା ସ୍ଥାନର ପାରିପାର୍ଶ୍ବିକ ସ୍ଥିତି ଓ ଜଗନ୍ନାଥଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ଜଣାପଡ଼ୁଛି। କିନ୍ତୁ ତାଙ୍କ ପରିବାର ପକ୍ଷରୁ ଏନେଇ କୌଣସି ମାମଲା ରୁଜୁ କରାଯାଇନଥିବାରୁ ତଦନ୍ତ ପ୍ରକ୍ରିୟା ଆଗେଇ ପାରିନାହିଁ। ଥାନା ଅଧିକାରୀ ଦୟାନିଧି ନାୟକଙ୍କ ସୂଚନା ଅନୁସାରେ, ଜଗନ୍ନାଥଙ୍କ ମୃତ୍ୟୁ ଖବର ପାଇ ଗତ ସଂଧ୍ୟାରେ ହସ୍ପିଟାଲରେ ତାଙ୍କ ସାନଭାଇ ବଳରାମ ମହାରଣାଙ୍କ ସହ ଅନ୍ୟ ସଂପର୍କୀୟମାନେ ପହଞ୍ଚିଥିଲେ। ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯାଇଥିଲା। ସେମାନେ ଶବକୁ ନେଇ ଗାଁକୁ ପଳାଇଥିଲେ। ଆଜି ବଳରାମଙ୍କୁ ଫୋନ କରି ଥାନାକୁ ଡକାଯାଇଥିଲା। ହେଲେ ଅନ୍ତିମ ସତ୍କାର କାର୍ଯ୍ୟ ଶେଷ ହୋଇନଥିବାରୁ ଥାନାରେ ପହଞ୍ଚି ପାରୁ ନଥିବା ସେ କହିଥିଲେ। ତେଣୁ ଆସନ୍ତାକାଲି ବଳରାମ ଥାନାରେ ପହଞ୍ଚିଲା ପରେ ଅଭିଯୋଗ କରିବେ।

ଏଭଳି ସ୍ଥିତିରେ ବ୍ୟବଚ୍ଛେଦ ରିପୋର୍ଟ ପୁଲିସର ହସ୍ତଗତ ହୋଇପାରି ନଥିବାରୁ ମୃତ୍ୟୁର କାରଣ ମଧ୍ୟ ସ୍ପଷ୍ଟ ହୋଇପାରିନି।
ଅପରପକ୍ଷରେ ଜୋନ୍‌ ଏସିପି ବିଷ୍ଣୁ ପ୍ରସାଦ ପାତ୍ରଙ୍କ ସୂଚନା ଅନୁଯାୟୀ, ଜଗନ୍ନାଥଙ୍କ ମୃତ୍ୟୁ ଘଟଣା ଉପରୁ ପରଦା ଉଠାଇବା ପାଇଁ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ ହୋଇଛି। ଜଗନ୍ନାଥଙ୍କ ମୋବାଇଲ ଫୋନ କଲ ଡିଟେଲ୍ସ ମଗାଯାଇଛି। ସ୍କୁଟି ମାଲିକ କୁମ୍ଭାରପଡ଼ା ଥାନା ଅଧୀନ ଖଣ୍ଡିଆବନ୍ଧ ଗ୍ରାମର ସୁଶାନ୍ତ କୁମାର ସାହୁ ଏବଂ ବଡ଼ଗଡ଼ ଅଞ୍ଚଳରେ କାଠ କାମ କରୁଥିବା ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି। ଆଜି ପୁଲିସ ଜାତୀୟ ରାଜପଥ ଓ ଡାକବଙ୍ଗଳା ଆଖପାଖରେ ଲାଗିଥିବା ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରିଛି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜଗନ୍ନାଥ କିଛି ଦିନ ହେବ ତାଙ୍କର ଅନ୍ୟ ଦୁଇ ସହକର୍ମୀଙ୍କ ସହ ଆସି ବଡ଼ଗଡ଼ ଅଞ୍ଚଳରେ କାଠ କାମ କରୁଥି‌ଲେ। ଗତ ୧୦ ତାରିଖ ସକାଳେ ଭାର୍ଗବୀ ନଦୀପଠାରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର