ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ତୁରିନ୍ତିରା ପଞ୍ଚାୟତ ଅଙ୍ଗାରପଡା କୁକୁଡ଼ା ଫାର୍ମ ନିକଟରେ ସକାଳୁ ଯୁବକଙ୍କ ମୃତଦେହ ଠାବ ହୋଇଥିଲା। ମୃତକଜଣଙ୍କ ତୁରିନ୍ତିରା ପଞ୍ଚାୟତ ଦୋରବାଙ୍ଗ ଭୋଇ ସାହିର ସ୍ବର୍ଗତ ନବଘନ ଦାସଙ୍କ ପୁଅ ନରେନ୍ଦ୍ର କେଶରୀ ଦାସ ଓରଫ ସୁମନ୍ତ ( ୩୭ ) ବୋଲି ଜଣାପଡିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ଅଛି।
ସୂଚନା ଅନୁସାରେ, ନରେନ୍ଦ୍ର ରାତି ସାଢେ ୩ ଟାରୁ ଘରୁ ଚାଲି ଆସିଥିଲେ। ସ୍ଥାନୀୟ ଅଙ୍ଗାରପଡ଼ା ଅଞ୍ଚଳରେ ବୁଲୁଥିବା ସକାଳୁ ଦେଖିଥିଲେ। ପ୍ରାୟ ୭ଟା ବେଳେ ଅଙ୍ଗାରପଡା ନିକଟସ୍ଥ ଏକ କୁକୁଡ଼ା ଫାର୍ମ ନିକଟରେ ନରେନ୍ଦ୍ର ପଡିଥିବା ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଛନ୍ତି। ମୃତଦେହ ନିକଟରୁ ଏକ ଔଷଧ ବୋତଲ ପୁଲିସ ଜବତ କରିଛି। ବାଲିପାଟଣା ପୁଲିସ ଘଟଣାସ୍ଥଳରେ ତଦନ୍ତ କରିବା ସହ ୧0୮ ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲା। ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ମୃତ ଘୋଷଣା କରିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଛେଦ ହେବ ବୋଲି ଜଣାପଡ଼ିଛି। ଶବ ବ୍ୟବଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଆଇଆଇସି କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।