ଭୁବନେଶ୍ବର: ଆଜି ସହିଦନଗର ଥାନା ପୁଲିସ ସ୍ଥାନୀୟ ଏକ ଲଜ୍ରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ମୃତକ ହେଲେ ଛତିଶଗଡ଼ର ସତ୍ପ୍ରୀତ ସିଂ(୨୩)। ମୃତଦେହ ନିକଟରୁ ଏକ ବିଷ ଶିଶି ଓ ସୁଇସାଇଡ୍ ନୋଟ୍ ଜବତ କରାଯାଇଛି। ସୁଇସାଇଡ୍ ନୋଟ୍ରେ ସେ ଜଣେ ଯୁବତୀଙ୍କୁ ଭଲ ପାଉଥିବା ଉଲ୍ଲେଖ କରିଛନ୍ତି। ତାଙ୍କ ସହ ଲିଭ୍ ଇନ୍ରେ ରହୁଥିବା ଯୁବତୀଙ୍କୁ ତାଙ୍କ ବାପା ଜୋର୍ କରି ନେଇଥିବା ମଧ୍ୟ ଉକ୍ତ ନୋଟ୍ରେ ରହିଛି। ତେଣୁ ସେ ବିଷ ପିଇ ଆତ୍ମହତ୍ୟା କରୁଥିବା ସନ୍ଦେହ କରାଯାଉଛି। ତେବେ ସତ୍ପ୍ରୀତଙ୍କ ମୋବାଇଲ୍ ଫୋନ୍ ମିଳୁନଥିବାରୁ ଘଟଣାଟି ରହସ୍ୟମୟ ହୋଇପଡ଼ିଛି। ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍କୁ ପଠାଇଛି। ପରିବାର ଲୋକଙ୍କୁ ଖବର ଦିଆଯାଇଛି ଏବଂ ସେମାନେ ଭୁବନେଶ୍ବରରେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।
ବିଷ ଶିଶି, ସୁଇସାଇଡ୍ ନୋଟ୍ ଜବତ
ପ୍ରେମିକା କିଏ, ମୋବାଇଲ୍ ଗଲା କୁଆଡ଼େ?
ସୂଚନା ମୁତବାକ, ସତ୍ପ୍ରୀତ ଗୁରୁବାର ଦିନ ଭୁବନେଶ୍ବର ଆସିଥିଲେ। ସକାଳ ପ୍ରାୟ ୬ଟା ବେଳେ ସହିଦନଗର ଅଞ୍ଚଳରେ ଥିବା ଉକ୍ତ ଲଜ୍ରେ ପହଞ୍ଚିଥିଲେ। ଗୁରୁବାର ରାତି ୧୦ଟା ପର୍ଯ୍ୟନ୍ତ ବାହାରେ ବୁଲାବୁଲି କରି ଲଜ୍କୁ ଫେରିଥିଲେ। ପରଦିନ ଅର୍ଥାତ ଶୁକ୍ରବାର ଦିନ ୧୧ଟା ସମୟରେ ଝାଡ଼ୁଦାର କବାଟ ଖୋଲିବା ପାଇଁ ତାଙ୍କୁ ଡାକିଥିଲେ। କିନ୍ତୁ ସେ ନା ଜବାବ ଦେଇଥିଲେ, ନା କବାଟ ଖୋଲିଥିଲେ। ତେଣୁ ସନ୍ଦେହ କରି ଝାଡ଼ୁଦାର ଘଟଣା ସମ୍ପର୍କରେ ଲଜ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ରିସେପ୍ସନ କର୍ମଚାରୀ ମୋବାଇଲ୍ ନମ୍ବରରେ ତାଙ୍କୁ ଯୋଗାଯୋଗ କଲେ। ହେଲେ ମୋବାଇଲ୍ ସୁଇଚ୍ ଅଫ୍ ଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ପହଞ୍ଚିବା ପରେ କବାଟ ଭଙ୍ଗାଯାଇଥିଲା।
ସେତେବେଳକୁ ସତ୍ପ୍ରୀତଙ୍କ ମୃତଦେହ ବେଡ୍ରେ ପଡ଼ିଥିଲା ଏବଂ ପାଖରେ ଏକ ବିଷ ବୋତଲ ପଡ଼ିଥିଲା। ସେହିପରି ସେଠାରେ ସୁଇସାଇଡ୍ ନୋଟ୍ଟି ମଧ୍ୟ ଥିଲା। ହିନ୍ଦୀରେ ଲେଖାଥିବା ସୁଇସାଇଡ୍ ନୋଟ୍ରୁ ଜଣାପଡ଼ିଥିଲା ଯେ ସେ ଜଣେ ଯୁବତୀଙ୍କୁ ଭଲପାଉଥିଲେ। ସେମାନେ ଲିଭ୍ ଇନ୍ରେ ଥିଲେ। ଯୁବତୀଙ୍କ ବାପା ଜୋର୍ କରି ଯୁବତୀଙ୍କୁ ନେଇଯିବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଲେଖିଥିଲେ। ପୁଲିସ ତାଙ୍କ ମୋବାଇଲ୍ ଖୋଜି ପାଇନଥିଲା। ତାଙ୍କ ମୋବାଇଲ୍ ଗଲା କୁଆଡ଼େ? ଯୁବତୀଙ୍କୁ ତାଙ୍କ ବାପା କେଉଁଠୁ ନେଲେ? ଏସବୁ ଦିଗକୁ ନେଇ ପୁଲିସ ଖୋଳାତାଡ଼ କରୁଛି।