ଭୁବନେଶ୍ୱର: ରାଜଧାନୀ ଅଶୋକ ନଗରସ୍ଥିତ ଏକ ହୋଟେଲ୍ ରୁମ୍ରୁ ଗୁରୁବାର ସନ୍ଧ୍ୟାରେ ଏକ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ପ୍ରେମୀଯୁଗଳ ରହୁଥିବା ‘ହୋଟେଲ ସେନାପତି’ର ଏକ ନିଦ୍ଧିଷ୍ଟ ରୁମ୍ ଦୀର୍ଘ ସମୟ ପର୍ଯ୍ୟନ୍ତ ବନ୍ଦ ରହିବା ପରେ ସୂଚନା ପାଇ ଖାରବେଳ ନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ ପହଞ୍ଚିବା ବେଳକୁ ହୋଟେଲ୍ ରୁମ୍ ବନ୍ଦ ଥିବାରୁ କବାଟ ଭଙ୍ଗା ଯାଇଥିଲା। ରୁମ୍ ଖୋଲିବା ବେଳକୁ ହୋଟେଲ୍ ରୁମ୍ର ଏକ ପଙ୍ଖାରେ ଯୁବତୀ ଜଣକ ନିଜର ଓଢ଼ଣୀ ଓ ଯୁବକ ଜଣକ ବାଇକରେ ବନ୍ଧା ଯିବା ପାଇଁ ଉଦ୍ଦିଷ୍ଟ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଛନ୍ତି।
ପ୍ରେମ ଜନିତ ସମସ୍ୟା ନେଇ ପ୍ରେମୀଯୁଗଳ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୁଲିସ ସୂଚନା ଦେଇଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରେମୀ ଯୁଗଳ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେମାନେ ହାଓ୍ଵଡାରୁ ଭୁବନେଶ୍ୱର ବୁଲିବାକୁ ଆସିଥିଲେ ଓ ହୋଟେଲରେ ରହୁଥିଲେ। ଆଜି ସକାଳୁ ଦୀର୍ଘ ସମୟ ପର୍ଯ୍ୟନ୍ତ ରୁମ୍ ବନ୍ଦ ହେବା ପରେ ହୋଟେଲ ମାଲିକ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି।