ଜଙ୍ଗଲ ଟ୍ରେଞ୍ଚରୁ ନାବାଳକଙ୍କ ଶବ ଜବତ ମାମଲା: ଇଏ କି ପ୍ରକାର ମୃତ୍ୟୁ?

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଥାନା ପଣ୍ଡା ପାର୍କ ବସ୍ତିର ନାବାଳକ ଦୈତ୍ୟରାଜ ନାୟକ(୧୬) ମୃତ୍ୟୁ ମାମଲା ରହସ୍ୟ ହୋଇ ରହିଗଲା। ହଠାତ୍ ବସ୍ତିରୁ ନିଖୋଜ ହେବା ଓ ୩ ଦିନ ପରେ ଭରତପୁର ସଂରକ୍ଷିତ ଜଙ୍ଗଲ ଟ୍ରେଞ୍ଚରୁ ଗଳିତ ଶବ ଜବତ ହେବା ଘଟଣାକୁ ନେଇ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଇଥିଲା। ଏମିତିକି ମୃତକଙ୍କ ବାପା ଯୁଧିଷ୍ଠିର ମଧ୍ୟ ଦୁଇ ସନ୍ଦିଗ୍ଧଙ୍କ ନାଁ ନେଇ ଏଭଳି ଅଭିଯୋଗ ଆଣିଥିଲେ। କିନ୍ତୁ ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟରୁ କିଛି ସୁରାକ ମିଳିନଥିବା କହି ଚୁପ ରହିଛି।

ଫୋରେନ୍‌ସିକ୍‌ ଲାବ୍‌ରୁ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି। ପୁଲିସର ଏଭଳି ପଦକ୍ଷେପକୁ ନେଇ ମୃତକଙ୍କ ପରିବାର ଓ ବସ୍ତିବାସିନ୍ଦାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଯଦି ହତ୍ୟାକାଣ୍ଡ ନୁହେଁ, ତେବେ ଦୈତ୍ୟରାଜଙ୍କ ମୃତ୍ୟୁ କି ପ୍ରକାର ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଏହା ଆତ୍ମହତ୍ୟା କି କୌଣସି ରୋଗଜନିତ ମୃତ୍ୟୁ, ପୁଲିସ ସ୍ପଷ୍ଟ କରୁ ବୋଲି ବସ୍ତିଲୋକେ ଦାବି କରିଛନ୍ତି।

ଗତ ୧୩ ତାରିଖ ଅପରାହ୍ଣରେ ବସ୍ତିରୁ ଦୈତ୍ୟରାଜ ନିଖୋଜ ହୋଇଗଲେ। ସନ୍ଧ୍ୟାବେଳକୁ ଜଣେ ପିଲା ‌ଦୈତ୍ୟରାଜଙ୍କ ମୋବାଇଲ୍‌ ଫୋନ୍‌ ଆଣି ତାଙ୍କ ଘରେ ଦେଇଗଲା। ଅଥଚ ଦୈତ୍ୟରାଜ କୁଆଡ଼େ ଗଲେ, ସେନେଇ କିଛି ସ୍ପଷ୍ଟ ସୂଚନା ଦେଇନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ହତାଶ ହେବା ପରେ ଚନ୍ଦ୍ରଶେଖରପୁର ଥାନାରେ ନିଖୋଜ ଅଭିଯୋଗ କଲେ। ୧୬ ତାରିଖ ଅପରାହ୍ଣ‌ରେ ମିଳିଲା ଦୈତ୍ୟରାଜଙ୍କ ମୃତଦେହ। ବସ୍ତିଠାରୁ ପ୍ରାୟ ୫୦/୬୦ ମିଟର ଦୂରରେ ଥିବା ହାତୀଙ୍କ ପାଇଁ ଖୋଳା ଯାଇଥିବା ଟ୍ରେଞ୍ଚ ଭିତରେ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା।

ମୃତଦେହରେ ପୋଷାକ ନଥିବା ବେଳେ ଏକ କମ୍ବଳ ଲାଗି ରହିଥିଲା। ପୁଲିସ ଟ୍ରେଞ୍ଚରୁ ଶବ ଜବତ କଲା ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କଲା। ମୂଳରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସମସ୍ତଙ୍କର ଧାରଣା ହୋଇଥିଲା। ଏଭଳି ଧାରଣା ଜନ୍ମିବା ପଛରେ ବି ଯଥେଷ୍ଟ କାରଣ ଥିଲା। ପ୍ରାୟ ୧୫ ଦିନ ପୂର୍ବରୁ ବସ୍ତିର ଦୁଇ ଯୁବକ ଗେଡ଼ୁ ଓ ଦୀପକ ସହ ଦୈତ୍ୟରାଜ ପରିବାରର ଗଣ୍ଡଗୋଳ ହୋଇଥିଲା। ଏନେଇ ବସ୍ତିରେ ବୈଠକ ବସିଥିଲା। ମୁରବିମାନେ ଆପୋଷ ବୁଝାମଣା କରାଇଥିଲେ। ତେଣୁ ମାମଲାର ସମାଧାନ ହୋଇଥିଲେ ବି ପୂର୍ବ ରାଗର ପ୍ରତିଶୋଧ ନେବାକୁ ଗେଡ଼ୁ ଓ ଦୀପକ ଏଭଳି କାଣ୍ଡ ରଚିଥିବା ସନ୍ଦେହ କରାଯାଇଥିଲା।

ଦୈତ୍ୟରାଜ ମୋବାଇଲ୍‌ କିଭଳି ଉକ୍ତ ପିଲା ହାତକୁ ଆସିଲା ଓ ପିଲାଟି ତାଙ୍କ ଘରେ ଦେଇଗଲା, ତାହାକୁ ନେଇ ଘଟଣା ପଛରେ ଷଡ଼୍‌ଯନ୍ତ୍ର ଥିବା ଚର୍ଚ୍ଚା ହୋଇଥିଲା। ଅଭିଯୋଗ ପାଇବା ପରେ ପୁଲିସ ମଧ୍ୟ ଗେଡ଼ୁ ଓ ଦୀପକକୁ ବାରମ୍ବାର ଥାନାକୁ ନେଇ ପଚରାଉଚରା କରିଥିଲା। ମାତ୍ର ଶେଷରେ ପୁଲିସକୁ କିଛି ମିଳିଲା ନାହିଁ। ଜଣେ ୧୬ ବର୍ଷର ନାବାଳକ ମାତ୍ର ତିନି ଚାରି ଫୁଟ୍‌ ଗଭୀର ଶୁଖିଲା ଡ୍ରେନ୍‌ରେ ପଡ଼ି କେମିତି ମରିପାରେ ଓ ତାହା ବ୍ୟବଚ୍ଛେଦ ରିପୋର୍ଟରୁ କିଭଳି ଜଣାପଡ଼ୁନି, ଏହାକୁ ନେଇ ଚର୍ଚ୍ଚା ଚାଲିଛି।

ସମ୍ବନ୍ଧିତ ଖବର