ଭୁବନେଶ୍ବର: ୨୦୧୭ ଫେବ୍ରୁଆରି ପହିଲାରେ ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀ ପଠାରୁ ମିଳିଥିଲା ଜଣେ ଯୁବତୀଙ୍କ ମୃତଦେହ। ସେତେବେଳେ ଏକ ଜରି ଅଖା ଭିତରୁ ଯୁବତୀଙ୍କ ମୃତଦେହ ମିଳିଥିଲା। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିଲା। ଏ ନେଇ ପୁଲିସ ପ୍ରଥମେ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ହତ୍ୟା ଆସିବା ପରେ ପୁଲିସ ବାଧ୍ୟ ହୋଇ ଏକ ହତ୍ୟା ମାମଲା ରୁଜୁ କରିଥିଲା। ପୁଲିସ ହତ୍ୟା ମାମଲା ରୁଜୁ କରି ଦେଇଥିଲା ସତ; କିନ୍ତୁ ମୃତ ଯୁବତୀଙ୍କ ପରିଚୟ ପାଇ ନ ଥିଲା। ଯୁବତୀଙ୍କ ପରିଚୟ ପାଇବା ପାଇଁ ରାଜଧାନୀ ସମେତ ରାଜ୍ୟର ସମସ୍ତ ଥାନା ଫଟୋ ପଠାଇଥିଲା। କିନ୍ତୁ କୌଣସି ବି ପରିଚୟ ମିଳି ନ ଥିଲା। ଶେଷରେ ପଡ଼ୋଶୀ ରାଜ୍ୟର ପୁଲିସକୁ ମଧ୍ୟ ଯୁବତୀଙ୍କ ଫଟୋ ପଠାଇ ଚିହ୍ନଟ କରିବାକୁ ଅନୁରୋଧ କରିଥିଲା କମିସନରେଟ ପୁଲିସ। ମାସ ମାସ ପର୍ଯ୍ୟନ୍ତ ଅପେକ୍ଷା କରିବା ପରେ ମଧ୍ୟ କେହି ବି ଯୁବତୀଙ୍କ ସମ୍ପର୍କରେ ସୂଚନା ଦେଇ ନ ଥିଲେ। ବଡ଼ କଥା ହେଉଛି ଯୁବତୀ ନିଖୋଜ ହେବା ନେଇ କୌଣସି ରିପୋର୍ଟ ମଧ୍ୟ ରାଜ୍ୟର କୌଣସି ବି ଥାନାରେ ରୁଜୁ ହୋଇ ନ ଥିଲା। ପୁଲିସର ତଦନ୍ତ ଏକଦମ୍ ଶୂନ ଅବସ୍ଥାକୁ ଚାଲି ଆସିଥିଲା। ସେତେବେଳେ ଡିସିପି ଥିଲେ ସତ୍ୟବ୍ରତ ଭୋଇ। ଘଟଣାର କିଛି ଦିନ ପରେ ତାଙ୍କର ବଦଳି ହୋଇ ଯାଇଥିଲା। ନୂତନ ଡିସିପି ଭାବେ ଅନୁପ ସାହୁ ଯୋଗ ଦେଇଥିଲେ। କିନ୍ତୁ ମୁଖିଆ ବଦଳି ଗଲେ ଯେମିତି ତଦନ୍ତ ବଦଳି ଯାଇଥାଏ ସେହିଭଳି ଏହି ଘଟଣାକୁ ମଧ୍ୟ ପୁଲିସ ଧୀରେ ଧୀରେ ଭୁଲିବାକୁ ଲାଗିଥିଲା। ଏହି ଭଳି ଭାବେ ଘଟଣାକୁ ଏବେ ଦୁଇ ବର୍ଷ ପାଖାପାଖି ହୋଇ ଗଲାଣି। ନା ଯୁବତୀଙ୍କ ପରିଚୟ ମିଳି ପାରିଲା, ନା ହତ୍ୟାକାଣ୍ଡର ପର୍ଦାଫାସ ହୋଇପାରିଲା। ପୁଲିସର ନାଲି ଫିତା ତଳେ ଆଉ ଏକ ହତ୍ୟା ମାମଲା ସେମିତି ଚପି ଗଲା। ହତ୍ୟାକାରୀ ଏବେ ବିନ୍ଦାସରେ କେଉଁଠି କେଉଁଠି ବୁଲୁଥିବ, କିନ୍ତୁ ପୁଲିସ ତା’ର ପତ୍ତା ପାଉନାହିଁ। ଆସନ୍ତୁ ଜାଣିବା ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟଣାର କ’ଣ ଥିଲା ପ୍ରଚ୍ଛଦପଟ୍ଟ।
ମଞ୍ଚେଶ୍ବର ଥାନା ଅଧୀନ କୁଆଖାଇ ନଦୀପଠା। ବ୍ରିଜ୍ ତଳେ ପୋଲ ନିର୍ମାଣକାରୀ ସ˚ସ୍ଥାର ଜଣେ ସିକ୍ୟୁରିଟି ଗାର୍ଡ ଏମ୍ କ୍ରିଷ୍ଣନ୍ ସକାଳୁ ସକାଳୁ ଶୌଚ ପାଇଁ ନଦୀ ପଠାକୁ ଯାଇଥିଲେ। ସେ ଦେଖିବାକୁ ପାଇଥିଲେ ଏକ ବଡ଼ ଏୟାର ବ୍ୟାଗ୍ ନଦୀ ପଠାରେ ପଡ଼ିଛି, ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି, ମାଛି ସେହି ବ୍ୟାଗ୍ ଉପରେ ଉଡୁଛନ୍ତି। ସିକ୍ୟୁରିଟି କ୍ରିଷ୍ଣନନ୍ଙ୍କ ମନରେ ସନ୍ଦେହ ହୋଇଥିଲା। ସେ ନିଜ ସିକ୍ୟୁରିଟି ଅଫିସରଙ୍କୁ ଜଣାଇଥିଲେ। ସିକ୍ୟୁରିଟି ଅଫିସର ଜଣକ ପୁଲିସ କଣ୍ଟ୍ରୋଲ ରୁମ୍କୁ ଖବର ଦେଇଥିଲେ। ଖବର ପାଇ ପିସିଆର ଭ୍ୟାନ୍, ମଞ୍ଚେଶ୍ବର ଥାନା ପୁଲିସ ନଦୀପଠାରେ ପହଞ୍ଚିଥିଲା। ପୁଲିସ ଦେଖିବାକୁ ପାଇଥିଲା ଏକ କଳାରଙ୍ଗର ଏୟାର ବ୍ୟାଗ ପଡ଼ିଛି। ପୁଲିସ ସେହି ବ୍ୟାଗ୍ ଖୋଲି ଦେଖିବାକୁ ପାଇଥିଲା, ଯୁବତୀ ଜଣକ ଲାଲ୍ ରଙ୍ଗର ଚୁଡ଼ି ପ୍ୟାଣ୍ଟ୍, ଘିଅ ରଙ୍ଗର ଚୁଡିଦାର ପିନ୍ଧିଥିଲେ। ବ୍ୟାଗ୍ ଭିତରୁ ରକ୍ତ ଲଗା ଦୁଇଟି କମ୍ବଳ ମିଳିଥିଲା। ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା। ଯୁବତୀଙ୍କ ବୟସ ପାଖାପାଖି ୨୫ ବର୍ଷ ହେବ। ତାଙ୍କ ଶରୀର ସ˚ପୂର୍ଣ୍ଣ ପଚି ସଢ଼ି ଯାଇଥିଲା। ମୁହଁକୁ ପଥରରେ ଛେଚି ବିକୃତ କରାଯାଇଥିଲା। ଶରୀର ପୋକ ସାଲୁବାଲୁ ହୋଇ ଯାଇଥିଲା। ଯୁବତୀଙ୍କ ସମ୍ବେଦନଶୀଳ ସ୍ଥାନରୁ ରକ୍ତ ମଧ୍ୟ ଝରିବା ଚିହ୍ନ ସହିତ କାମୁଡ଼ା ଦାଗ ମଧୢ ଥିଲା। ପୁଲିସ ସନ୍ଦେହ କରିଥିଲା, ୬/୭ ଦିନ ତଳୁ ଯୁବତୀଙ୍କୁ ହତ୍ୟା କରାଯାଇ, ପ୍ରମାଣ ନଷ୍ଟ ଲାଗି ନଦୀପଠାରେ ମୃତଦେହକୁ ଫିଙ୍ଗି ଦିଆଯାଇଛି ବୋଲି। ପୁଲିସ ଯୁବତୀଙ୍କ ଗଳିତ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇ ଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସ୍ପଷ୍ଟ ସୂଚନା ମିଳିଥିଲା। ଯୁବତୀଙ୍କ ପରିଚୟ ମିଳି ନ ଥିବାରୁ ପୁଲିସ ଯୁବତୀଙ୍କ ହାତର ପାପୁଲି ରଖିଥିଲା। ଏହାଛଡ଼ା ଯୁବତୀଙ୍କ ଫିଙ୍ଗର ପ୍ରିଣ୍ଟ୍ ସ˚ଗ୍ରହ କରାଯିବା ସହିତ ତାଙ୍କର ଡିଏନ୍ଏ ମଧୢ ଟେଷ୍ଟ କରାଇଥିଲା। ଯୁବତୀଙ୍କ ଶବ ବ୍ୟବଚ୍ଛେଦ କରାଯିବା ବେଳେ ଭିସେରା ସ˚ଗ୍ରହ ହୋଇଥିଲା। ପରିଚୟ ସ˚ଗ୍ରହ ପାଇଁ ପୁଲିସ ସବୁ ପ୍ରକାର ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଥିଲା।
ଯୁବତୀଙ୍କ ପରିଚୟ ସୂଚନା ପୁଲିସକୁ ଦେଇ ୧୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା କମିସନରେଟ ପୁଲିସ। କିନ୍ତୁ ଯୁବତୀଙ୍କ ସମ୍ପର୍କରେ କେହି ସୂଚନା ଦେଇ ପାରି ନ ଥିଲେ। ଏହି ପୁରସ୍କାର ଟଙ୍କା ଲୋଭରେ ପଡି ଜଣେ ଅଟୋ ଚାଳକ ଥାନାରେ ପହଞ୍ଚି କହିଥିଲା ସେ ମୋ ପତ୍ନୀ। ମୁଁ ତାକୁ ହତ୍ୟା କରିଛି ବୋଲି। ପୁଲିସ ସଂପୃକ୍ତ ଅଟୋ ଚାଳକଙ୍କୁ ଅଟକ ରଖି ତଦନ୍ତ କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା କି ସେ ମିଛ କହୁଛି। ତା’ର ପତ୍ନୀ ଗାଁରେ ରହୁଥିଲେ। ଅତ୍ୟଧିକ ନିଶା ଖାଉଥିବା କାରଣରୁ ସେ ମାନସିକ ଭାରସାମ୍ୟ ହରାଇ ପୁଲିସକୁ ଏଭଳି ସୂଚନା ଦେଇଥିଲା। ସେହିପରି ଏୟାର ବ୍ୟାଗର ଏକ ଜରି ଅଖା ଭିତରୁ ମୃତଦେହ ମିଳିଥିଲା। ଯାହାକି ଏକ ଚୋକଡ଼ କମ୍ପାନିର ଅଖା ଥିଲା। ପୁଲିସ ସେହି ଚୋକଡ଼ ଅଖାକୁ ନେଇ ମଧ୍ୟ ତଦନ୍ତ ଚଳାଇଥିଲା। କିନ୍ତୁ ପୁଲିସକୁ ସେଥିରୁ କିଛି ବି ସଫଳତା ମିଳି ନ ଥିଲା। ତେବେ ଏ ସମ୍ପର୍କରେ ଜଣେ ପୁଲିସ ଅଧିକାରୀ କହିଛନ୍ତି, ଏଭଳି ହତ୍ୟାକାଣ୍ଡ ଅନର କିଲିଂ ହୋଇଥାଇ ପାରେ ଅବା ଅନ୍ୟ ରାଜ୍ୟର ଯୁବତୀଙ୍କୁ ଅପହରଣ କରାଯାଇ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଥିଲା। କମିସନରେଟ ପୁଲିସ ପକ୍ଷରୁ ପଠାଯାଇଥିବା ଫଟୋକୁ ଅନ୍ୟ ପୁଲିସ ଜିଲ୍ଲା ଓ ରାଜ୍ୟ ପୁଲିସ ଏତେଟା ଗୁରତ୍ବ ଦେଇ ନ ଥିବାରୁ ଯୁବତୀଙ୍କ ପରିଚୟ ମିଳିବା କଷ୍ଟକର ହୋଇଥିଲା। ଯେଉଁ କାରଣ ପାଇଁ ହତ୍ୟାକାଣ୍ଡର ମଧ୍ୟ ପର୍ଦାଫାସ ହୋଇ ପାରିଲା ନାହିଁ ବୋଲି ଉକ୍ତ ଅଧିକାରୀ ଜଣକ କହିଛନ୍ତି।