ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରେ ଅଘଟଣ: ଅଟୋରୁ ଯୁବକଙ୍କ ମୃତଦେହ ଜବତ

ଭୁବନେଶ୍ବର: ଆଜି ସନ୍ଧ୍ୟାରେ ରମାଦେବୀ ବିଶ୍ବବିଦ୍ୟାଳୟ ପରିସରରେ ଏକ ଅଟୋରିକ୍ସାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। ମୃତକଙ୍କ ପରିଚୟ ମିଳି ପାରିନାହିଁ। ସହିଦନଗର ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ କରାଇବା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଶବ ସଂରକ୍ଷଣ ଗୃ୍ହରେ ଭର୍ତ୍ତି କରିଛି। ଅଟୋଟି ଜଣେ ସୁରକ୍ଷା କର୍ମୀଙ୍କର ହୋଇଥିବାରୁ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। କିନ୍ତୁ ନିଶାରେ ଚୁର୍‌ ସୁରକ୍ଷାକର୍ମୀଙ୍କଠାରୁ ପୁଲିସ କୌଣସି ସ୍ପଷ୍ଟ ଉତ୍ତର ପାଇ ପାରିନାହିଁ। ଘଟଣାକୁ ନେଇ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ହଇଚଇ ସୃଷ୍ଟି ହୋଇଛି।

ସୂଚନାନୁସାରେ, ସବୁଦିନ ଭଳି ସୁରକ୍ଷା କର୍ମୀଜଣଙ୍କ ଆଜି ନିଜ ଅଟୋରେ ଡ୍ୟୁଟିକୁ ଆସିଥିଲେ। ତାଙ୍କ ଅଟୋରେ ଜଣେ ଯୁବକ ବସିଥିଲେ। ସୁରକ୍ଷା କର୍ମୀଙ୍କ ରୁମ୍‌ ନିକଟରେ ଅଟୋ ରଖି ଅଟୋ ଚାଳକ ରୁମ୍‌ ଭିତରକୁ ଯାଇଥିଲେ। କିଛି ସମୟ ପରେ ସେ ପୁଣି ଅଟୋ ପାଖକୁ ଆସିଥିଲେ ଏବଂ ବସିଥିବା ଯୁବକଙ୍କୁ ଡାକିଥିଲେ। କିନ୍ତୁ ସେ କିଛି ଜବାବ ନ ଦେବାରୁ ସୁରକ୍ଷା କର୍ମୀ ତାଙ୍କୁ ହଲାଇ ଦେଇଥିଲେ। ଯୁବକଜଣଙ୍କ ସେଇଠି ଅଟୋ ଭିତରେ ଟଳି ପଡ଼ିଥିଲେ। ସେତେବେଳକୁ ଯୁବକଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଖବର ପ୍ରଚାରିତ ହେବା ପରେ କ୍ୟାମ୍ପସ୍‌ରେ ଏକପ୍ରକାର ଆତଙ୍କ ଖେଳି ଯାଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ସେଠାରେ ପହଞ୍ଚି ମୃତଦେହ ଜବତ କରିବା ସହ ନିଶାସକ୍ତ ସୁରକ୍ଷା କର୍ମୀଙ୍କୁ ଥାନାକୁ ନେଇଯାଇଥିଲା।

ଏହି ଘଟଣା ପରେ ବିଶ୍ବବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିଶାସକ୍ତ ସୁରକ୍ଷାକର୍ମୀଙ୍କୁ କିଭଳି ଏଠାରେ ନିଯୁକ୍ତି ମିଳିଥିଲା ଏବଂ ମଦ ପିଇ ସେ କିଭଳି ଏଠାରେ ଡ୍ୟୁଟି କରୁଥିଲେ, ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ସୁରକ୍ଷା କର୍ମୀଜଣଙ୍କ ନିଜର ମଦୁଆ ସାଙ୍ଗଙ୍କୁ ଆଣି କ୍ୟାମ୍ପସ୍‌ ଭିତରେ ତାଙ୍କ ରୁମ୍‌ରେ ମଦ ଆସର କରୁଥିବା ଅଭିଯୋଗ ହେଉଛି। ଛାତ୍ରୀମାନଙ୍କ ସୁରକ୍ଷା ଜଡ଼ିତ ଥିବାରୁ ଏହାକୁ ଏକ ଅତି ସମ୍ବେଦନଶୀଳ ମାମଲା ଭାବେ ବିଚାର କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି।

ସମ୍ବନ୍ଧିତ ଖବର