ଚନ୍ଦ୍ରଶେଖରପୁର : ଯୁବକଙ୍କ ଶବ ଜବତ, ହତ୍ୟା ସନ୍ଦେହ

ଚନ୍ଦ୍ରଶେଖରପୁର : ଆଜି ସକାଳେ ନୀଳାଦ୍ରି ବିହାର ସେକ୍ଟର-୫ ଅଞ୍ଚଳର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଜବତ କରିଛି। ମୃତକ ହେଲେ ପଣ୍ଡାପାର୍କ ବସ୍ତିର ଜାନ୍ କୁମାର ନାୟକ(୨୦)। ଏକ ଗାମୁଛାରେ ତାଙ୍କ ବେକ ଓ ଗଛ ଡାଳ ବନ୍ଧା ହୋଇଥିବା ଅବସ୍ଥାରେ ମୃତଦେହ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ପୁଲିସ୍ ଘଟଣାସ୍ଥଳରୁ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା।

ସୂଚନାନୁସାରେ ଜାନ୍ ଦିନ ମଜୁରିଆ ଭାବେ ସ୍ଥାନୀୟ ଜଣେ ଠିକାଦାରଙ୍କ ନିକଟରେ କାମ କରୁଥିଲେ। ଯାହା ଆୟ କରୁଥିଲେ ସେଥିରୁ ବହୁ ପଇସା ସେ ନିଶା ଖାଇ ବରବାଦ କରୁଥିଲେ। ଏହି କାରଣକୁ ନେଇ ଗତକାଲି ପରିବାର ଲୋକଙ୍କ ସହ ତାଙ୍କର ବଚସା ହୋଇଥିଲା ଓ ସେ ରାତିରେ ରାଗରେ ଘରୁ ବାହାରି ପଳାଇଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଗଛରେ ଝୁଲୁଥିବା ଦେଖାଯାଇଥିଲା। ହୁଏତ ପାରିବାରିକ ଗଣ୍ଡଗୋଳ ରାଗରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। କିନ୍ତୁ ପାରିପାର୍ଶ୍ବିକ ପରିସ୍ଥିତିରୁ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ମଧ୍ୟ ସ‌ନ୍ଦେହ କରାଯାଉଛି। ନିଶାସକ୍ତ ଅବସ୍ଥାରେ ସେ କାହା ସହ ଝଗଡ଼ା କରିବା ପରେ ତାଙ୍କୁ ହତ୍ୟା କରାଯାଇଥିବ ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି। ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବାକୁ ତାଙ୍କ ମୃତଦେହକୁ ଗଛ ଡାଳରେ ଝୁଲାଇ ଦିଆଯାଇଛି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର