ବାରଙ୍ଗ: ମା’ ଗୋଡ଼ରେ ଚାପି ହୋଇଯିବାରୁ ନନ୍ଦନକାନନରେ ଶୁକ୍ରବାର ରାତିରେ ଜନ୍ମ ନେଇଥିବା ଅଣ୍ଡିରା ବାଘଛୁଆର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏନ୍କ୍ଲୋଜର୍ ପଛ ପାର୍ଶ୍ୱରେ ଯାଉଥିବା ଏକ ହରିଣ ଓ ମା’ ଅଙ୍କିତାର ପ୍ରତିକ୍ରିୟା ଯୋଗୁ ଏପରି ଦୁଃଖଦ ଘଟଣା ଘଟିଥିବା କୁହାଯାଉଛି। ଏହା ଫଳରେ ଅଙ୍କିତା ନିଜ ଜନ୍ମ ଦିନରେ ନନ୍ଦନକାନନକୁ ଯେଉଁ ଖୁସି ଭେଟି ଦେଇଥିଲା ତାହା ୨୪ ଘଣ୍ଟା ମଧ୍ୟରେ ଫିକା ପଡ଼ିଯାଇଛି। ଏହା ନନ୍ଦନକାନନ କର୍ତୃପକ୍ଷଙ୍କୁ ମର୍ମାହତ କରିଛି। ତେବେ ଜୀବିତ ଥିବା ଅନ୍ୟ ମାଈ ଶାବକଟିର ସୁରକ୍ଷାକୁ କର୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି। ନନ୍ଦନକାନନ କର୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ବାଘୁୁଣୀ ଅଙ୍କିତା ରହୁଥିବା ଏନ୍କ୍ଲୋଜର୍ ନମ୍ବର ୨୮(ଗ) ପାଖଦେଇ ଏକ ହରିଣ କୁଦା ମାରିଥିଲା। ହରିଣକୁ ଦେଖି ଅଙ୍କିତା ଗର୍ଜନ କରି ମାଡ଼ି ଯାଇଥିଲା। ଜାଲିକୁ ଝାମ୍ପ ମାରିଥିଲା। କୁଦା ମାରିବା ବେଳେ ଅଙ୍କିତାର ଖୋଜ ଗୋଟିଏ ଶାବକ ଉପରେ ପଡ଼ିଥିଲା। ଫଳରେ ନବଜାତ ଶାବକର ମୃତ୍ୟୁ ହୋଇଯାଇଥିଲା। ଶାବକ ଓ ମା’ ଅଙ୍କିତାର ସୁରକ୍ଷା ପାଇଁ କର୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଥିଲେ ହେଁ ଜାଲି ପଛ ପାଖରେ ଚଳପ୍ରଚଳ ଶବ୍ଦ କଥା କେହି ଭାବି ନଥିଲେ।ତେଣୁ ନନ୍ଦନକାନନ କର୍ତୃପକ୍ଷଙ୍କ ସାମାନ୍ୟ ଅସାବଧାନତା ଯୋଗୁଁ ଏପରି ଅଘଟଣ ଘଟିଲା ବୋଲି ପଶୁପ୍ରେମୀମାନେ ଅଭିଯୋଗ କରିଛନ୍ତି। କେବଳ ସିସିଟିଭିରେ ନିରୀକ୍ଷଣରେ ସୁରକ୍ଷା ବ୍ୟବସ୍ଥାକୁ ସୀମିତ ନରଖି ଯଦି ଅଙ୍କିତା ରହୁଥିବା ଖୁଆଡ଼ର ଚତୁଃପାର୍ଶ୍ୱ ପ୍ରତି ନଜର ଦିଆଯାଇଥାନ୍ତା ତେବେ ଏପରି ଅଘଟଣକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା ବୋଲି ଆଲୋଚନା ହେଉଛି।
ସୂଚନାଯୋଗ୍ୟ ଯେ, ଅଙ୍କିତା ଶୁକ୍ରବାର ରାତି ପ୍ରାୟ ୧୦ଟା ୧୨ ମିନିଟ୍ରେ ପ୍ରଥମ ଓ ୧୦ଟା ୪୦ ମିନିଟ୍ରେ ଦ୍ୱିତୀୟ ଶାବକ ଜନ୍ମ ଦେଇଥିଲା। ସିସିଟିଭି ଚିତ୍ର ଦେଖିବା ପରେ ଗତକାଲି ପୂର୍ବାହ୍ନରେ ଏପରି ସୂଚନା ଦେଇଥିଲେ ନନ୍ଦନକାନନ ଉପ-ନିର୍ଦ୍ଦେଶକ ଜୟନ୍ତ କୁମାର ଦାସ। ୬ ବର୍ଷ ବୟସର ଅଙ୍କିତା ଓ ହାଇଦ୍ରବାଦ୍ ଚିଡ଼ିଆଖାନାରୁ ଆସିଥିବା ‘ସେଫ୍’ର ମିଳନରୁ ଯେଉଁ ଶାବକ ଦୁଇଟି ଜନ୍ମ ନେଇଥିଲେ ସେଥିରୁ ଗୋଟିଏ ଅଣ୍ଡିରା ଓ ଅନ୍ୟଟି ମାଈ ଥିଲା। ତେବେ ରାତିରେ ମା’ ଗୋଡ଼ରେ ଚାପି ହୋଇ ମୃତ ଅଣ୍ଡିରା ବାଘଛୁଆଟି ହୃଷ୍ଟପୃଷ୍ଟ ସହିତ ତା’ର ଓଜନ ୧୩୦୦ ଗ୍ରାମ୍ ଥିଲା। ଜନ୍ମିତ ଦୁଇ ଶାବକକୁ ନେଇ ନନ୍ଦନକାନନର ମୋଟ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଥିଲା ଏମାନଙ୍କ ମଧ୍ୟରେ ୮ଟି ଧଳା ବାଘ(୩ଟି ଅଣ୍ଡିରା ଓ ୫ଟା ମାଈ) ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/barang-SAIF.png)