ଡେଡ୍‌ଲାଇନ୍‌ ସରିଲା, ଖୋଳା ସରିଲାନି

ଭୁବନେଶ୍ୱର: ହକି ବିଶ୍ୱକପ୍‌ ପାଇଁ ରାଜଧାନୀର ସୌନ୍ଦର୍ଯ୍ୟକରଣ କରିବା ସହ ସମସ୍ତ ନିର୍ମାଣ କାର୍ଯ୍ୟ (ମୁଖ୍ୟତଃ ରାସ୍ତା ଖୋଳି) ଅଗଷ୍ଟ ୩୧ସୁଦ୍ଧା ଶେଷ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଥିଲା। ଏହାସହ ସେପ୍ଟେମ୍ବର ୧୫ ପରେ କୌଣସି ରାସ୍ତା ଖୋଳା ଯିବନି ଏବଂ ସେପ୍ଟେମ୍ବର ୩୦ ପୂର୍ବରୁ ରାସ୍ତା ପୋତା ହେବ ବୋଲି ନିଷ୍ପତ୍ତି ହୋଇଥିଲା। ଏହାପରେ ବିଏମ୍‌ସି କମିସନର କ୍ରିଷନ କୁମାର ରାଜଧାନୀରେ ବିଭିନ୍ନ କାର୍ଯ୍ୟ ପାଇଁ ରାସ୍ତା ଖୋଳୁଥିବା ଓପିଟିସିଏଲ୍‌, ଜନସ୍ୱାସ୍ଥ୍ୟ, ସ୍ୱେରେଜ୍‌ ବୋର୍ଡ, ପୂର୍ତ୍ତ ବିଭାଗ, ଟେଲିକମ୍‌ ସଂସ୍ଥା ଆଦିକୁ ନିର୍ଦ୍ଦେଶ ଦେଲେ ଯେ, ରାଜଧାନୀରେ ଯେଉଁମାନେ ରାସ୍ତା ଖୋଳିବା ପାଇଁ ଅନୁମତି ପାଇଛନ୍ତି ସେଗୁଡ଼ିକୁ ସେପ୍ଟେମ୍ବର ୧୨ରୁ ଡିସେମ୍ବର ୨୦ ପର୍ଯ୍ୟନ୍ତ ବାତିଲ୍‌ କରାଯିବ। ଏହା ପୂର୍ବରୁ ଯିଏ ରାସ୍ତା ଖୋଳିବା କଥା ଖୋଳି କାମ ଶେଷ କରିବେ। କିନ୍ତୁ ଏହା କେବଳ ଘୋଷଣାରେ ରହି ଯାଇଛି।

ଏବେବି ବିଭିନ୍ନ ରାସ୍ତାରେ ଜେସିବି, ରୋଡ୍‌ କଟର୍‌ ଓ ଡ୍ରିଲିଂ ମେସିନ୍‌ ଲାଗି ରାସ୍ତା ଖୋଳା ହେଉଛି। ଜନସ୍ୱାସ୍ଥ୍ୟ ବିଭାଗ ଅମୃତ ଯୋଜନାରେ ପାଣି ପାଇପ୍‌ ବିଛାଉଛି, ସ୍ୱେରେଜ୍‌ ବୋର୍ଡ ସ୍ୱେରେଜ୍‌ ଲାଇନ୍‌ ବିଛାଉଛି, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ରାସ୍ତା ଖୋଳା ହେଉଛି, ଓପିଟିସିଏଲ୍‌ ଭୂତଳ କେବୁଲ୍‌ ବିଛାଇବା ପାଇଁ ଦିନରାତି ଏକ କରି ରାସ୍ତା ଖୋଳି ଚାଲିଛି, କେତେକ ଟେଲିକମ୍‌ ସଂସ୍ଥା କେବୁଲ୍‌ ପକାଇବା ପାଇଁ ରାସ୍ତା କଡ଼ରେ ଆଣ୍ଠୁଏ ଉଚ୍ଚରେ ଖୋଳିଛନ୍ତି। ରାସ୍ତା ଉପରେ ଯେତିକି କେବୁଲ ଓ ପାଇପ୍‌ ଗଦା ହୋଇଛି ଆସନ୍ତା ୧୫ଦିନ ଭିତରେ ଏହିସବୁ କାର୍ଯ୍ୟ ସରିବାର କୌଣସି ସମ୍ଭାବନା ଦେଖାଯାଉନି। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନିରବ ହୋଇ ବସିଯାଇଛନ୍ତି। ନା କିଛି ପଦକ୍ଷେପ ନେଉଛନ୍ତି ନା ତାଗିଦ୍‌ କରୁଛନ୍ତି। ଜନପଥ, କଟକରୋଡ୍‌, ସଚିବାଳୟ ମାର୍ଗ ଏବଂ ବିଦ୍ୟୁତ ମାର୍ଗରେ କୌଣସି ନିର୍ମାଣ କାର୍ଯ୍ୟ ଅଗଷ୍ଟ ୩୧ତାରିଖ ପରେ ହେବନି ବୋଲି ନିଷ୍ପତ୍ତି ହୋଇଛି। ଏହି ଚାରିଟି ରାସ୍ତାରେ ହିଁ ଅଧିକ ଖୋଳା ହୋଇଛି। କେତେକ ସ୍ଥାନରେ ରାସ୍ତା ଖୋଳିକି ଛାଡ଼ି ଦିଆଯାଇଥିବାରୁ ଲୋକଙ୍କ ଯାତାୟାତରେ ସମସ୍ୟା ଉପୁଜୁଛି। ଏପରିକି ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। କିନ୍ତୁ କାମ କିପରି ଜଲ୍‌ଦି ଶେଷ ହେବ, ଯେଉଁଠି କାମ ଶେଷ ହେଉଛି ସେଠାରେ ତୁରନ୍ତ ରାସ୍ତା ମରାମତି କରାଯିବ ସେ ଦିଗରେ ନିର୍ମାଣକାରୀ ସଂସ୍ଥା ପଦକ୍ଷେପ ନେଉନାହାନ୍ତି। କେବଳ ଏତିକି ନୁହେଁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ହକି ବିଶ୍ୱକପ୍‌ ପୂର୍ବରୁ ୨୦୦ଟି ବସ୍‌ ଷ୍ଟପ୍‌ ନିର୍ମାଣ କରିବାକୁ ଯୋଜନା ହୋଇଥିବାବେଳେ ଏଥିପାଇଁ ଏବେ ୧୦୦ଟି ସ୍ଥାନ ଚିହ୍ନଟ ହୋଇଛି। ଏଥିରୁ ୫୦ଟି ସ୍ଥାନରେ ଖୋଳା ସରିଥିବାବେଳେ ୨୦ଟି ସ୍ଥାନରେ କଙ୍କ୍ରିଟ ଢଳେଇ ସରିଲାଣି। ବାକି ୫୦ଟି ସ୍ଥାନରେ ରାସ୍ତା ଖୋଳା ହେବ। ହେଲେ ଧାର୍ଯ୍ୟ ସମୟ ଶେଷ ହେବା ପରେ କ୍ରୁଟ୍‌ କିପରି ରାସ୍ତା ଖୋଳିବ ବୋଲି ପ୍ରଶ୍ନ ଉଠିଛି। ଯଦି ଧାର୍ଯ୍ୟ ସମୟ ପରେ କେଉଁଠି ବି ରାସ୍ତା ଖୋଳା ହେଉଥିବ ତେବେ ସ୍ଥାନୀୟ କର୍ପୋରେଟର୍‌ମାନେ ବିଏମ୍‌ସିରେ ଅଭିଯୋଗ କରିବାକୁ କୁହାଯାଇଛି। କିନ୍ତୁ କର୍ପୋରେଟର୍‌ମାନେ ବି ଚୁପ୍‌।

ଏନେଇ ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କେତେକ ସଂସ୍ଥା ସପ୍ତାହକ ମଧ୍ୟରେ କାମ ଶେଷ କରିବାକୁ କହିଛନ୍ତି। ତେଣୁ ଆମେ ନିୟମ କିଛି କୋହଳ କରିଛୁ। ସେପ୍ଟେମ୍ବର ୨୦ ପରେ ଆଉ ରାସ୍ତା ଖୋଳା ହେବନି। ପୂର୍ବ ଧାର୍ଯ୍ୟ ସମୟ ଅନୁଯାୟୀ ସେପ୍ଟେମ୍ବର ୩୦ ସୁଦ୍ଧା ଖୋଳା ଯାଇଥିବା ରାସ୍ତା ପୋତା ହେବ। ସୌନ୍ଦର୍ଯ୍ୟକରଣ ଏବଂ କେତେକ ଜରୁରୀ ସେବା ପାଇଁ ରାସ୍ତା ଖୋଳିବାକୁ ବିଏମ୍‌ସି ଅନୁମତି ଦେବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର